Home General ଗ୍ରାମସଭାରେ କୁହନ୍ତୁ ପାନୀୟ ଜଳ ସଂଯୋଗ କଥା

ଗ୍ରାମସଭାରେ କୁହନ୍ତୁ ପାନୀୟ ଜଳ ସଂଯୋଗ କଥା

ଭୁବନେଶ୍ୱର : ଜଳ ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ୱାନ ଦେଇଥିବାବେଳେ ପାନୀୟଜଳ ପାଇବା ନେଇ ଲୋକେ ଗ୍ରାମସଭାରେ ସ୍ୱୀକାର କଲେ ତାହା ହିଁ ଅସଲ ପରିସଂଖ୍ୟାନ ହୋଇପାରିବ । କେନ୍ଦ୍ର ପାନୀୟଜଳ ଓ ପରିମଳ ସଚିବ ଅଶୋକ କୁମାର ମୀନା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟର ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ସମୀକ୍ଷା ଅବସରରେ ଏହା କହିଛନ୍ତି ।

ରାଜ୍ୟରେ ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ଶ୍ରୀ ମୀନାଙ୍କୁ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ସଚିବ ଏସ ଏନ ଗିରିଶ ସୂଚନା ପ୍ରଦାନ କରିଥିବାବେଳେ ଶ୍ରୀ ମୀନା ମଧ୍ୟ ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ସହିତ ଆଲୋଚନା କରିଥିବା ଜଣାଯାଇଛି ।

ଆଲୋଚନା ସମୟରେ କେନ୍ଦ୍ରୀୟ ସଚିବ କହିଛନ୍ତି ଯେ ଗାଁ ଗହଳର ଲୋକଙ୍କୁ ପାନୀୟଜଳ ଯୋଗାଣ ପାଇଁ ଅର୍ଥର ଅଭାବ ରହିବ ନାହିଁ । ଚଳିତ ଆର୍ଥିକ ବର୍ଷରେ ଓଡିଶା ପାଇଁ ମଞ୍ଜୁର ହୋଇଥିବା ୨୭୦୦ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଖୁବଶୀଘ୍ର ପ୍ରଦାନ କରାଯିବ । ତେବେ ଅର୍ଥ ପାଇବା ସହିତ ଧାର୍ଯ୍ୟ ସମୟରେ ପାନୀୟଜଳ ଯୋଗାଣ ପ୍ରକଳ୍ପଗୁଡିକ ସାରିବା ଉପରେ ଶ୍ରୀ ମୀନା ଗୁରୁତ୍ୱାରୋପ କରିଥିଲେ । କାରଣ ପ୍ରକଳ୍ପଗୁଡିକ ନିର୍ମାଣରେ ବିଳମ୍ବ ହେଉଥିବା ଯୋଗୁଁ ଏହାର ବ୍ୟୟବରାଦ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ବର୍ତ୍ତମାନ ଗାଁ ଗହଳରେ ପାନୀୟଜଳ ଯୋଗାଣ ନେଇ ସଫଳତାର ଯେଉଁ ପରିସଂଖ୍ୟାନ ପ୍ରଦାନ କରାଯାଉଛି ତାହା ସେତେବେଳେ ସଫଳ ହେବ ଯେତେବେଳେ ଗାଁ ଗହଳର ଲୋକେ ସେମାନଙ୍କ ଗ୍ରାମରେ ଆୟୋଜିତ ଗ୍ରାମସଭାରେ ପାନୀୟଜଳ ପାଉଥିବା ନେଇ ମତ ରଖିବେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜଳ ଆନ୍ଦୋଳନକୁ ଜନ ଆନ୍ଦୋଳନରେ ପରିଣତ ପାଇଁ ଆହ୍ୱାନ ଦେବା ସହିତ ସମସ୍ତ ଲୋକେ ଯେଭଳି ପାଇପ୍‍ ଯୋଗେ ବିଶୁଦ୍ଧ ପାନୀୟଜଳ ପାଇପାରିବେ ତାହା ସୁନିଶ୍ଚିତ କରିବାକୁ କହିଛନ୍ତି ।

ଉଲ୍ଲେଖନୀୟ ଯେ ରାଜ୍ୟରେ ଶତାଧିକ ମେଗା ପାନୀୟଜଳ ପ୍ରକଳ୍ପ ସହିତ ଛୋଟ ଛୋଟ ପାନୀୟଜଳ ପ୍ରକଳ୍ପ ମଧ୍ୟ କାର୍ଯ୍ୟକାରୀ ହେଉଛି । ତେବେ ମେଗା ପାନୀୟଜଳ ପ୍ରକଳ୍ପ ନିର୍ମାଣରେ ବିଳମ୍ବ ଯୋଗୁଁ ପଦ୍ମ ଘୁଞ୍ଚି ଘୁଞ୍ଚ ଯିବା ଭଳି ଶତ ପ୍ରତିଶତ ପାନୀୟଜଳ ଯୋଗାଣର ସମୟ ମଧ୍ୟ ବଢିବାରେ ଲାଗିଛି । ତେବେ ୨୦୨୭ ମାର୍ଚ୍ଚ ସୁଦ୍ଧା ରାଜ୍ୟର ସମସ୍ତ ଲୋକଙ୍କୁ ପାନୀୟଜଳ ଯୋଗାଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିବାବେଳେ ଏହି ଅବଧି ମଧ୍ୟରେ କାର୍ଯ୍ୟ ସାରିବାପାଇଁ ଶ୍ରୀ ମୀନା ରାଜ୍ୟ ଅଧିକାରୀମାନଙ୍କୁ କହିଛନ୍ତି ।

ରାଜ୍ୟରେ ଏକାଧିକ ମେଗା ପାନୀୟଜଳ ପ୍ରକଳ୍ପ କାର୍ଯ୍ୟକାୀ ହେଉଥିବାବେଳେ ସେଥିରେ ବିଳମ୍ବ ଯୋଗୁଁ ପଶ୍ଚିମଓଡିଶା ଠାରୁ ଆରମ୍ଭ କରି ଉପକୂଳଓଡିଶା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାନୀୟଜଳ ସମସ୍ୟା ଲାଗି ରହିଛି । ଏହି ପ୍ରସଙ୍ଗ ବିଧାନସଭାରେ ବାରମ୍ବାର ଉଠିବା ସହିତ ବିଧାୟକମାନେ ଅସନ୍ତୋଷ ବ୍ୟକ୍ତ କରିବାରେ ଲାଗିଛନ୍ତି । ସେହିଭଳି ପ୍ରକଳ୍ପ କାର୍ଯ୍ୟ ସରିଥିବା କେତେକ ସ୍ଥାନରେ ବିଦ୍ୟୁତ୍‍ ସଂଯୋଗ, ମୋଟରର ରକ୍ଷଣାବେକ୍ଷଣ ଆଦିକୁ ନେଇ ମଧ୍ୟ ପାନୀୟଜଳ ଯୋଗାଣରେ ସମସ୍ୟା ସୃଷ୍ଟି ହେଉଛି । ଏଭଳି ସ୍ଥିତିରେ କେନ୍ଦ୍ର ପାନୀୟଜଳ ଓ ପରିମଳ ସଚିବଙ୍କ ଓଡିଶା ଗସ୍ତ ଓ ସମୀକ୍ଷା ମେଗା ପାନୀୟଜଳ ପ୍ରକଳ୍ପକାର୍ଯ୍ୟ ଶୀଘ୍ର କାର୍ଯ୍ୟକ୍ଷମ ହେବା ନେଇ ଆଶା ସଞ୍ଚାର କରିଛି । (ତଥ୍ୟ)