Home News in Odia ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବାକୁ ଗୁରୁତ୍ୱ

ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁଗମ ପରିବହନ ପାଇଁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ‎ଭୁବନେଶ୍ୱର ଓ କଟକ ଡିସିପି, ଟ୍ରାଫିକ ଡିସିପି, ପୁରୀର ଅତିରିକ୍ତ ଏସପି, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ବସ୍ ମାଲିକ ସଂଘର ‎କର୍ମକର୍ତ୍ତା, ଓଏସଆରଟିସି ଏବଂ କ୍ରୁଟ୍‌ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଭର୍ଚ୍ଚୁଆଲ ମାଧ୍ୟମରେ ପୁରୀ ଜିଲ୍ଲାପାଳ ଯୋଗ ‎ଦେଇଥିଲେ।

ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ। ଶ୍ରଦ୍ଧାଳୁମାନେ କିଭଳି ପୁରୀରେ ‎ସୁବିଧାରେ ପହଞ୍ଚିବେ ଓ ଫେରିବେ, ସେ ବିଷୟରେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ‎କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ଯାତ୍ରୀଙ୍କ ଚାହିଦା ପୂରଣ ପାଇଁ ପୁରୀକୁ ବହୁ ସଂଖ୍ୟାରେ ଷ୍ଟେଜ୍ କ୍ୟାରେଜ୍ ବସ୍ ଚଳାଚଳ କରିବାର ଆବଶ୍ୟକତା ରହିଛି। ‎ଏଥିପାଇଁ ଶ୍ରୀଗୁଣ୍ଡିଚା ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ନିମନ୍ତେ ଅସ୍ଥାୟୀ ପରମିଟ୍ ପ୍ରଦାନ କରାଯିବ। ରଥଯାତ୍ରାର ପୂର୍ବ ‎ଦିନ ପାଇଁ ମଧ୍ୟ ଏହି ଅସ୍ଥାୟୀ ପରମିଟ୍ ମିଳିପାରିବ। ପୁରୀ ବାହାର ରୁଟ୍‌ର କୌଣସି ବି ବସ୍ ମାଲିକ ଏଥିପାଇଁ ଆବେଦନ ‎କରିପାରିବେ।

ଏବେ ପୁରୀକୁ ପ୍ରତିଦିନ ପ୍ରାୟ ୨୦୦ ଘରୋଇ ବସ୍ ଚଳାଚଳ କରୁଥିବା ବେଳେ ରଥଯାତ୍ରା ସମୟରେ ଏହି ‎ସଂଖ୍ୟାକୁ ଦୁଇଗୁଣା କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିଭଳି ପୁରୀକୁ ଓଏସଆରଟିସି ଏବଂ କ୍ରୁଟ୍‌ ସରକାରୀ ବସ୍ ସଂଖ୍ୟା ‎ମଧ୍ୟ ଏହି ସମୟରେ ବୃଦ୍ଧି କରାଯିବ। ବସରେ କୌଣସି ଯାତ୍ରୀ ଅସୁସ୍ଥ ହେଲେ ତୁରନ୍ତ ସହାୟତା ପ୍ରଦାନ ପାଇଁ ସମସ୍ତ ‎ବସରେ ପ୍ରାଥମିକ ଚିକିତ୍ସା କିଟ୍ ରଖାଯିବ। ପ୍ରମୁଖ ବସ୍ ଟର୍ମିନାଲ, ବସ୍ ଷ୍ଟପ୍ ଏବଂ ବସ୍‌ଗୁଡ଼ିକରେ ‎ଯାତ୍ରୀଙ୍କ ପାଇଁ ପାନୀୟ ଜଳ ଓ ଓଆରଏସ ପ୍ୟାକେଟ୍ ବ୍ୟବସ୍ଥା କରାଯିବ।

ରଥଯାତ୍ରା ସମୟରେ ପୁରୀଠାରେ ଏକ ସୂଚନା କେନ୍ଦ୍ର ତଥା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା ଖୋଲା ରହିବ। ‎ଏଥିପାଇଁ ସ୍ୱତନ୍ତ୍ର ନମ୍ବର ଜାରି ହେବ। ତାଳବଣିଆରେ ମଧ୍ୟ ଏକ ହେଲ୍ପଡେସ୍କ କାର୍ଯ୍ୟ କରିବ। ଏହା ସହ ଏସଟିଏ ର ‎୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ମଧ୍ୟ ସୂଚନା ପ୍ରଦାନ ପାଇଁ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଛି।

ପୁରୀର ତାଳବଣିଆଠାରେ ଶ୍ରଦ୍ଧାଳୁମାନଙ୍କ ପାଇଁ ପାନୀୟ ଜଳ ଏବଂ ବିଦ୍ୟୁତ ସୁବିଧା ଥାଇ ବିଶ୍ରାମ ଗୃହ ନିର୍ମାଣ କରାଯିବ। ‎ଏହା ସହ ନିଃଶୁଳ୍କ ରନ୍ଧା ଖାଦ୍ୟ ପ୍ରଦାନ କରାଯିବ। ସେହିଭଳି ମାଳତୀପାଟପୁରରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ‎କରାଯିବ। ଅନ୍ୟ ରାଜ୍ୟର ବସ୍‌ଗୁଡ଼ିକ ମାଳତୀପାଟପୁରଠାରେ ଅଟକିବା ପାଇଁ ବ୍ୟବସ୍ଥା ହେବ ଏବଂ ସେଠାରୁ ଶ୍ରଦ୍ଧାଳୁଙ୍କ ‎ପାଇଁ ନିଃଶୁଳ୍କ ସଟଲ୍ ସର୍ଭିସ୍ ପ୍ରଦାନ କରାଯିବ। ସେହିଭଳି ତାଳବଣିଆ ଓ ଅନ୍ୟ ପ୍ରମୁଖ ପାର୍କିଂ ସ୍ଥାନରୁ ନିଃଶୁଳ୍କ ଇ-ରିକ୍ସା ‎ସୁବିଧା ପରିବହନ ବିଭାଗ ଦ୍ୱାରା କରାଯିବ। ଏଥିପାଇଁ ୪୫୦ଟି ଇ-ରିକ୍ସା ନିୟୋଜିତ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

ପ୍ରତି ବସରେ ଭଡ଼ା ଚାର୍ଟ ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। କୌଣସି ବସ୍ ଯେପରି ନିର୍ଦ୍ଧାରିତ ଭଡ଼ାଠାରୁ ଅଧିକ ଟଙ୍କା ‎ଆଦାୟ ନ କରନ୍ତି, ସେଥିପାଇଁ ପରିବହନ ବିଭାଗ ସହ ବସ୍ ମାଲିକ ସଂଘ ମଧ୍ୟ କଡ଼ା ଦୃଷ୍ଟି ଦେବେ। ସେହିଭଳି ପୁରୀରେ ‎ଅଟୋ ରିକ୍ସା ଭଡ଼ା ପ୍ରତି ମଧ୍ୟ ଆରଟିଓ ଦୃଷ୍ଟି ଦେବେ। ଯାତ୍ରୀମାନେ ଯେପରି କୌଣସି ପ୍ରକାର ଶୋଷଣର ଶିକାର ନ ହୁଅନ୍ତି, ‎ତାହା ସର୍ବାଧିକ ପ୍ରାଥମିକତାରେ ରହିବ।

ମୋଟର ଯାନ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସଡ଼କ ସୁରକ୍ଷା ପାଇଁ ପୁରୀକୁ ଯୋଡ଼ୁଥିବା ‎ସମସ୍ତ ରୁଟରେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମୁତୟନ ହେବେ। ପୋଲିସ ଓ ପରିବହନ ‎ବିଭାଗ ମିଳିତ ଭାବରେ ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବେ।

ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଭୁବନେଶ୍ୱରରୁ ପୁରୀ ରାସ୍ତାରେ ପର୍ଯ୍ୟାପ୍ତ ସଂଖ୍ୟକ କ୍ରେନ୍ ଏବଂ ଆମ୍ବୁଲାନ୍ସ ‎ମୁତୟନ କରାଯିବ। ଏଥିପାଇଁ ପୋଲିସ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ନିରନ୍ତର ସମନ୍ୱୟ ରହିବ। ଉଭୟ ସରକାରୀ ଓ ‎ଘରୋଇ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ତ୍ୱରିତ ଚିକିତ୍ସା ସୁନିଶ୍ଚିତ କରାଯିବ।

ରଥଯାତ୍ରା ସମୟରେ ଭୁବନେଶ୍ୱର-ପୁରୀ ଏବଂ ପୁରୀ-କୋଣାର୍କ ରାଜପଥରେ ଯଦି କୌଣସି ଗାଡ଼ି ଖରାପ ହୁଏ, ତେବେ ‎ତୁରନ୍ତ ମରାମତି ସେବା ଯୋଗାଇଦେବା ପାଇଁ ଗାଡ଼ି ନିର୍ମାତା ଓ ଡିଲରମାନଙ୍କୁ କୁହାଯାଇଛି। କିଛି ମୁଖ୍ୟ ସ୍ଥାନମାନଙ୍କରେ ‎ଗାଡ଼ି ନିର୍ମାତା ଓ ଡିଲରମାନେ ସହାୟତା କ୍ୟାମ୍ପ ସ୍ଥାପନ କରିବେ।

ରଥଯାତ୍ରା ସମୟରେ ବସ୍‌ଗୁଡ଼ିକରେ ସଡ଼କ ସୁରକ୍ଷା ବାର୍ତ୍ତା ସହିତ ବସ୍ ପରିଚାଳକଙ୍କ ଯୋଗାଯୋଗ ନମ୍ବର ପ୍ରଦର୍ଶିତ ‎କରାଯିବ, ଏହାଦ୍ୱାରା ଯାତ୍ରୀମାନେ ଯୋଗାଯୋଗ କରି ଡ୍ରାଇଭରଙ୍କ ଗାଡ଼ି ଚାଳନା ବିଷୟରେ ନିଜର ମତାମତ ବା ‎ଅଭିଯୋଗ ଜଣାଇ ପାରିବେ। ରଥଯାତ୍ରା ପାଇଁ ଟ୍ରାଫିକ କଟକଣା ଏବଂ ନିୟମାବଳୀ ଜନସାଧାରଣଙ୍କ ଅବଗତି ନିମନ୍ତେ ‎ସୋସିଆଲ ମିଡିଆ, ଏଫଏମ୍ ରେଡିଓ ଏବଂ ସମ୍ବାଦପତ୍ର ମାଧ୍ୟମରେ ସୂଚନା ଦିଆଯିବ।

ରଥଯାତ୍ରା ସମୟରେ ଯେଉଁ ସରକାରୀ ବସ୍ ଗୁଡ଼ିକ ପୁରୀକୁ ଯାଉଛି, ତାର ସୁଗମ ପରିଚାଳନା ପାଇଁ କ୍ରୁଟ୍ ଏବଂ ‎ଓଏସଆରଟିସିର ଜେନେରାଲ୍ ମ୍ୟାନେଜର ବୈଠକରେ ଉପସ୍ଥିତ ରହି ନିଜର ମତାମତ ରଖିଥିଲେ। କିଭଳି ଘରୋଇ ଏବଂ ‎ସରକାରୀ ବସ୍ ମଧ୍ୟରେ ସମନ୍ୱୟ ରକ୍ଷା ହୋଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ସୁଗମ ପରିବହନ ବ୍ୟବସ୍ଥା ପ୍ରଦାନ ହେବ, ‎ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ‎