Home General ସାଇବର ଅଭିଯୋଗ ପାଇଁ ବ୍ୟାଙ୍କ୍‍ ଗ୍ରାହକ ହଟହଟା

ସାଇବର ଅଭିଯୋଗ ପାଇଁ ବ୍ୟାଙ୍କ୍‍ ଗ୍ରାହକ ହଟହଟା

ଭୁବନେଶ୍ୱର : ଓଡିଶାର ବ୍ୟାଙ୍କ୍‍ ଗ୍ରାହକଙ୍କ ନାମରେ ଅନ୍ୟ ରାଜ୍ୟରେ ହେଉଥିବା ସାଇବର ଅଭିଯୋଗ ପାଇଁ ଏବେ ବହୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି । ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ଅନ୍ଧାରରେ ରହୁଥିବାବେଳେ ଗ୍ରାହକମାନଙ୍କର ବି ଲକ୍ଷାଧିକ ଟଙ୍କା ଅଚଳ ଅବସ୍ଥାରେ ରହୁଛି ।

ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍‍ର ଗ୍ରାହକମାନଙ୍କର ଆକାଉଣ୍ଟରେ ଥିବା ଅର୍ଥ ମଧ୍ୟରୁ ହଠାତ୍‍ କିଛି ଅର୍ଥକୁ ଅଚଳ କରିଦିଆଯାଉଛି । ଗ୍ରାହକମାନେ ନିଜ ନିଜ ମୋବାଇଲ୍‍ ଆପ୍ଲିକେଶନରେ ଏହା ଜାଣିପାରୁ ନଥିବାରୁ ବ୍ୟାଙ୍କ୍‍କୁ ଯାଉଛନ୍ତି । ସେଠାରେ ଖୋଳତାଡ କଲାପରେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷ କହୁଛନ୍ତି ଯେ ଏହି ଅର୍ଥକୁ ସାଇବର ଅପରାଧ ପାଇଁ ଅଚଳ କରିଦିଆଯାଇଛି । ତେବେ କେଉଁ ପ୍ରକାର ସାଇବର ଅପରାଧ କେଉଁଠାରେ କିଭଳି ହୋଇଛି ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ତାହାର ସୂଚନା ଦେଉନାହାନ୍ତି । ଏ ସଂକ୍ରାନ୍ତରେ ବ୍ୟାଙ୍କ୍‍ ଶାଖାର ପରିଚାଳକ ବି ହାତଟେକି ଦେଉଛନ୍ତି । ଗ୍ରାହକମାନେ ବ୍ୟସ୍ତ ବିବ୍ରତ ହେଲେ ଟଙ୍କା ଫେରସ୍ତ ପାଇଁ ଦରଖାସ୍ତ ଲେଖି ଦେବାକୁ କହୁଛନ୍ତି ।

ଗ୍ରାହକମାନେ ଦେଉଥିବା ଦରଖାସ୍ତକୁ ବ୍ୟାଙ୍କ୍‍ ଶାଖାଗୁଡିକ ସେମାନଙ୍କ ମୁଖ୍ୟାଳୟକୁ ପଠାଉଛନ୍ତି । ସେଠାରୁ ଏହି ପତ୍ର ସାଇବର ଅପରାଧ ଶାଖାକୁ ଯାଉଥିବାବେଳେ ଟଙ୍କା ଫେରିବା କିନ୍ତୁ ସହଜ ହେଉନାହିଁ । ଅନ୍ୟ ପକ୍ଷରେ ନିଜର କଷ୍ଟାର୍ଜିତ ଅର୍ଥକୁ କ’ଣ ପାଇଁ ସାଇବର ଅପରାଧ ନିୟନ୍ତ୍ରଣ କର୍ତ୍ତୃପକ୍ଷ ଅଚଳ କରି ରଖିଛନ୍ତି ତାହା ଜାଣିବା ବି ସହଜ ହେଉନାହିଁ ।

ଯେଉଁ ଗ୍ରାହକମାନେ ସାଇବର ପୁଲିସ୍‍ ନିକଟରେ ପହଞ୍ଚୁଛନ୍ତି ସେମାନେ ସାମାନ୍ୟ କିଛି ସୂଚନା ପାଉଛନ୍ତି । ତେବେ ନିକଟରେ ଜଣେ ଗ୍ରାହକଙ୍କର ଆକାଉଣ୍ଟ ବିରୁଦ୍ଧରେ ଗୁଜୁରାଟରେ ଅଭିଯୋଗ ହୋଇଥିବା ସେ ଜାଣିବାକୁ ପାଇଥିଲେ ମଧ୍ୟ ଏ ସଂକ୍ରାନ୍ତରେ ବିସ୍ତୃତ ସୂଚନା ପାଇପାରୁ ନାହାନ୍ତି ।

ତେବେ ବ୍ୟାଙ୍କ୍‍ କର୍ତ୍ତୃପକ୍ଷଙ୍କର କହିବାକଥା ଯେ ନିଷିଦ୍ଧ ଗେମ୍‍ ଆପ୍‍ଗୁଡିକ ଜରିଆରେ ମିଳୁଥିବା ଅର୍ଥ ଯେଉଁସବୁ ଆକାଉଣ୍ଟକୁ ଆସୁଛି ଓ ଏହି ଅର୍ଥ ଅନ୍ୟ ଯେଉଁସବୁ ଆକାଉଣ୍ଟକୁ ଯାଉଛି ତାହା ଉପରେ ଜାତୀୟ ସ୍ତରରେ ସାଇବର ସେଲ୍‍ ନଜର ରଖିଛି । ଏହାର ସୂଚନା ପାଇବାମାତ୍ରେ ତୁରନ୍ତ ସମ୍ପୃକ୍ତ ଆକାଉଣ୍ଟ ବିରୁଦ୍ଧରେ ଅଭିଯୋଗ କରାଯିବା ସହିତ ସେହି ବ୍ୟାଙ୍କ୍‍ର ମୁଖ୍ୟାଳୟକୁ ଅବଗତ କରାଯାଉଛି । ବ୍ୟାଙ୍କ୍‍ କର୍ତ୍ତୃପକ୍ଷ ତତ୍କାଳ ଉକ୍ତ ଆକାଉଣ୍ଟକୁ ଅଚଳ କରୁଛନ୍ତି ନହେଲେ ଅଭିଯୋଗ ଅନୁଯାୟୀ ଅର୍ଥ କାଟି ରଖୁଛନ୍ତି ।

ତେବେ ସବୁଠାରୁ ବଡକଥା ହେଉଛି ଅଭିଯୋଗର ଶିକାର ହେଉଥିବା ଗ୍ରାହକ କିମ୍ବା ତାଙ୍କ ବ୍ୟାଙ୍କ୍‍ ଶାଖା ଏ ସଂକ୍ରାନ୍ତରେ କୌଣସି ସୂଚନା ପାଇପାରୁ ନାହାନ୍ତି । ଫଳରେ ବ୍ୟାଙ୍କ୍‍ ଆକାଉଣ୍ଟ ସକ୍ରିୟ ଥିଲେ ମଧ୍ୟ ଗ୍ରାହକମାନେ ଏହାକୁ ଚଳାଇବାକୁ ସାହସ କୁଳାଇ ପାରୁନାହାନ୍ତି । ଗାଁ ଗହଳରେ ବୁଢା ବୁଢୀମାନେ ଏଭଳି ଅଚଳାବସ୍ଥା ଯୋଗୁଁ ସେମାନଙ୍କର ଭତ୍ତା ଅର୍ଥ ବି ପାଇପାରୁ ନାହାନ୍ତି ।
ତେଣୁ ଯେଉଁସବୁ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ବିରୁଦ୍ଧରେ ସାଇବର ଅପରାଧ/ଠକେଇ ଅଭିଯୋଗ ହେଉଛି ସେ ସଂକ୍ରାନ୍ତରେ ଗ୍ରାହକମାନଙ୍କୁ ବିସ୍ତୃତ ସୂଚନା ମିଳିବା ଆବଶ୍ୟକ । ଗ୍ରାହକମାନଙ୍କୁ ଯଦି ନମିଳୁଛି ତେବେ ସମ୍ପୃକ୍ତ ବ୍ୟାଙ୍କ୍‍ ଶାଖାକୁ ଏ ସଂକ୍ରାନ୍ତରେ ଅବଗତ କରାଗଲେ ଗ୍ରାହକଟି ନ୍ୟାୟ ପାଇବା ସହଜ ହୋଇପାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)