Home Energy ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବି ବିଜୁଳି କାଟ୍‍

ଶକ୍ତିମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ବି ବିଜୁଳି କାଟ୍‍

ଜଗତ୍‍ସିଂହପୁର : ରାଜ୍ୟରେ ବିଜୁଳିର ଅଭାବ ନାହିଁ । ଖରାଦିନେ ବିଜୁଳି କାଟ୍‍ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଶକ୍ତିମନ୍ତ୍ରୀଙ୍କ ଏଭଳି କଥାକୁ କିନ୍ତୁ କାଳବୈଶାଖୀ ଆଳରେ ବିଦ୍ୟୁତ୍‍ ବିତରଣ କମ୍ପାନୀମାନେ ବାଏଁ ବାଏଁ ଉଡାଇ ଦେଉଛନ୍ତି । ସାମାନ୍ୟ ମେଘ ପବନ ଆରମ୍ଭ ହେଲେ ବିନା କୌଣସି ସୂଚନାରେ ଘଣ୍ଟା ଘଣ୍ଟା ଲାଇନ୍‍ କାଟି ଦେଉଛନ୍ତି ।

ଜିଲ୍ଲାରେ ଏବେ ଏଭଳି ବିଦ୍ୟୁତ୍‍କାଟ୍‍ ଗରମ ଓ ଗୁଳୁଗୁଳି ସମୟରେ ଲୋକଙ୍କ ଦୁର୍ଦ୍ଦଶାକୁ ବହୁଗୁଣିତ କରିଦେଉଛି । ଗତ କିଛିଦିନ ହେଲା ସାମାନ୍ୟ ବର୍ଷା କିମ୍ବା ପବନ ଆରମ୍ଭ ହେଲେ ବିଜୁଳି କାଟ୍‍ ହେଉଛି । କେତେବେଳେ ବିଜୁଳି ସଂଯୋଗ ହେବ ତାହାର କୌଣସି ସୂଚନା ନାହିଁ । ଯଦି କୌଣସି ବ୍ୟକ୍ତି ଏ ସଂକ୍ରାନ୍ତରେ ଫୋନ୍‍ କରୁଛନ୍ତି ତେବେ ବର୍ଷା ପବନର ଆଳ ଦେଖାଯାଉଛି ।

ତେବେ ଏସବୁର କାରଣ ହେଉଛି ପୁରୁଣା ବିଦ୍ୟୁତ୍‍ ତାର, ଟ୍ରାନ୍ସଫର୍ମର ଓ ଖୁଣ୍ଟ ଭଳି ଭିତ୍ତିଭୂମି ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ସେମାନଙ୍କ କହିବାକଥା ଯେ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ଓ ତାର ଆଦିର ଆୟୁଷ ପ୍ରାୟତଃ ୨୫ ବର୍ଷ । ନିୟମିତ ବ୍ୟବଧାନରେ ଏହାର ରକ୍ଷଣା ବେକ୍ଷଣ ହେବା ସହିତ ଏହି ସମୟ ପୂର୍ବରୁ ବଦଳାଯାଇ ତାହା ସ୍ଥାନରେ ନୂତନ ତାର ଓ ଟ୍ରାନ୍ସଫର୍ମର ଆଦି ବଦଳାଯିବା କଥା । ହେଲେ ବିଦ୍ୟୁତ୍‍ ବିତରଣ କମ୍ପାନୀ ସେଥିପ୍ରତି ଆଦୌ ଧ୍ୟାନ ଦେଉ ନାହାନ୍ତି କି ଏ ଦିଗରେ ପୁଞ୍ଜି ବ୍ୟୟ କରୁନାହାନ୍ତି । ଲୋକଙ୍କ ଠାରୁ ନିୟମିତ ଭାବେ ବିଦ୍ୟୁତ୍‍ ଦେୟ ଆଦାୟ କରୁଥିବାବେଳେ ଭିତ୍ତିଭୂମିକର ବିକାଶ ନହେବା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେହିଭଳି ଲୋକଙ୍କୁ ସେବା ଯୋଗାଣ ପାଇଁ ସହରାଞ୍ଚଳ ଭଳି ଆବଶ୍ୟକ ସଂଖ୍ୟକ କର୍ମଚାରୀ କିମ୍ବା ଗାଡିମୋଟର ନାହିଁ । ଫଳରେ ଗାଁ ଗହଳରେ ଯଦି କୌଣସି ଠାରେ ତାର ଛିଡୁଛି କିମ୍ବା ଅନ୍ୟ କୌଣସି ଅଘଟଣ ଘଟୁଛି ସେଠାରେ ପହଞ୍ଚିବାକୁ ଦୀର୍ଘ ସମୟ ଲାଗି ଯାଉଛି । ବିଦ୍ୟୁତ୍‍ ଦେୟ ପଇଠ କରିବାରେ ସହରୀ ଲୋକଙ୍କ ତୁଳନାରେ ଗାଁ ଗହଳର ଲୋକେ କୌଣସି ଗୁଣରେ କମ୍‍ ନଥିବାବେଳେ ଭିତ୍ତିଭୂମି ବିକାଶ ସହିତ ମାନବସମ୍ବଳ ଯୋଗାଣରେ କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଉଛନ୍ତି ।

ଅଳ୍ପଦିନ ତଳେ ଜିଲ୍ଲାରେ ଘନ ଘନ ବିଜୁଳି ବିଭ୍ରାଟକୁ ନେଇ ଜିଲ୍ଲା ସଦରମହକୁମାରେ ଜୋରଦାର ପ୍ରତିବାଦ ହୋଇଥିଲା । ଲୋକେ ବିଜୁଳି ଅଫିସ ଆଗରେ ଧାରଣା ଦେବାକୁ ଧମକ ଦେବାରୁ କର୍ତ୍ତୃପକ୍ଷ ଆଲୋଚନା କରି ଏହାର ସମାଧାନ ହେବ ବୋଲି କହିଥିଲେ । ହେଲେ ଦୁର୍ବଳ ଭିତ୍ତିଭୂମି ଓ ମାନବସମ୍ବଳର ଅଭାବ ଯୋଗୁଁ ସେହି ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରୁ ନାହାନ୍ତି । ଜିଲ୍ଲାର ଦୂର ଦୂରାନ୍ତ ତ ଦୂରରକଥା ସଦରମହୁକୁମା ଠାରୁ ଅଳ୍ପ ଦୂରରେ ଥିବା ଡିହସାହି ବିଦ୍ୟୁତ୍‍ ସେକ୍ସନରେ ହେଉଥିବା ଘନ ଘନ ବିଜୁଳିକାଟ୍‍ କମ୍ପାନୀର ପାରିବା ପଣିଆକୁ ପଦାରେ ପକାଇ ଦେଇଛି । ଅବସ୍ଥା ଏଭଳି ହୋଇଛି ଯେ ଘଣ୍ଟା ଘଣ୍ଟା ବିଜୁଳି କାଟ୍‍ର ସମାଧାନ ନହେଲେ ଆଗାମୀ ଦିନରେ ଲୋକେ ବିଦ୍ୟୁତ୍‍ ନିମାୟକ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବା ସହିତ ନିୟମିତ ଦେଉଥିବା ବିଜୁଳି ବିଲ୍‍ ସଂକ୍ରାନ୍ତରେ ଚିନ୍ତା କରିବେ ବୋଲି ମତ ଦେଲେଣି । (ତଥ୍ୟ)