Home News in Odia ସ୍ଲିପର୍‌ ବସ୍‌ ର କଡାକଡି ଯାଞ୍ଚ

ସ୍ଲିପର୍‌ ବସ୍‌ ର କଡାକଡି ଯାଞ୍ଚ

ଭୁବନେଶ୍ୱର : ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତ୍ରୀଙ୍କ ସୁରକ୍ଷା ବୃଦ୍ଧି ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ଵତନ୍ତ୍ର ଯାଞ୍ଚ ହୋଇଥିଲା। ସ୍ଲିପର୍‌ ବସ୍‌ଗୁଡ଼ିକରେ ବେଆଇନ ଭାବେ ଲାଗିଥିବା ଡ୍ରାଇଭର ପାର୍ଟିସନ୍‌ କବାଟ ବିରୋଧରେ ସାତ ଦିନ ମଧ୍ୟରେ ମୋଟ ୩,୩୦୪ଟି ଗାଡ଼ି ଯାଞ୍ଚ ହୋଇଥିବା ବେଳେ ୩୮୯ଟି ଚାଲାଣ ଜାରି ହୋଇଛି।

କଟକ ଆରଟିଓ ରେ ୨୮୭ଟି ବସ୍‌ ଯାଞ୍ଚ ହୋଇଥିବା ବେଳେ ଯାଜପୁରରେ ୨୪୧ଟି, ଗଞ୍ଜାମ ଆରଟିଓ ରେ ୧୯୧ଟି, ରାଉରକେଲା ଆରଟିଓ ରେ ୧୭୦ଟି, ସମ୍ବଲପୁର ଓ ଦେବଗଡ଼ରେ ୧୬୮ଟି ଲେଖାଏଁ ବସ୍ ଯାଞ୍ଚ ହୋଇଛି ଏବଂ ଚଣ୍ଡିଖୋଲ ଆରଟିଓ ରେ ୧୪୭ଟି ବସ୍‌ ଯାଞ୍ଚ କରାଯାଇଛି।

କଟକରେ ନିୟମ ଉଲ୍ଲଙ୍ଘନ କରୁଥିବା ୬୦ଟି ଗାଡ଼ି ବିରୋଧରେ ଚାଲାଣ ଜାରି ହୋଇଥିବା ବେଳେ, ନୟାଗଡ଼ରେ ୩୬ଟି, ଭୁବନେଶ୍ୱର-II ଆରଟିଓଙ୍କ ପକ୍ଷରୁ ଏବଂ ଗଞ୍ଜାମ ଆରଟିଓଙ୍କ ପକ୍ଷରୁ ୨୫ଟି ଲେଖାଏଁ ଚାଲାଣ ଜାରି ହୋଇଛି। ଯାଜପୁରରେ ୧୮ଟି ଏବଂ ସମ୍ବଲପୁର ଓ ମୟୂରଭଞ୍ଜରେ ୧୫ଟି ଲେଖାଏଁ ଚାଲାଣ ଜାରି ହୋଇଛି।

ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଆଗକୁ ଜାରି ରହିବ। ବସ୍‌ ମାଲିକମାନଙ୍କୁ ସଡ଼କ ସୁରକ୍ଷା ନିୟମକୁ ପ୍ରାଧାନ୍ୟ ଦେଇ ସୁରକ୍ଷା ନିୟମ ମାନି ଗାଡ଼ି ଚଳାଇବାକୁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।