ଭୁବନେଶ୍ୱର :ରାଜ୍ୟରେ ବୈଦ୍ୟୁତିକ ଯାନ ବା ଇଭି ଗାଡ଼ି ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହ ପ୍ରଦୂଷଣମୁକ୍ତ ସବୁଜ ପରିବେଶ ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସରକାରୀ ଅଫିସଗୁଡ଼ିକରେ ଭଡ଼ା ପାଇଁ ଇଭି ଗାଡ଼ି ବାଧ୍ୟତାମୂଳକ କରିବା ପରେ ଏବେ ରାଜ୍ୟର ସବୁ ସହରାଂଚଳରେ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଓ ଏନଏସିଗୁଡ଼ିକରେ ଇଭି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି ପ୍ରସ୍ତୁତ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ଚିଠା ଏସଓପିକୁ ଏବେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ଇଭି ପଲିସି ୨୦୨୧ ର ନିୟମାବଳୀ ଆଧାରରେ ଯାଂଚ କରିବା ନିମନ୍ତେ ରାଜ୍ୟ ପରିବହନ କମିଶନରଙ୍କ ପାଖକୁ ପଠାଯାଇଛି। ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଏହି ଇଭି ଚାର୍ଜିଂ ଷ୍ଟେସନ ଗୁଡ଼ିକୁ ସହରାଂଚଳର ଏକ ରାଜସ୍ୱ ଆଦାୟକାରୀ ଭିତ୍ତିଭୂମି ଭାବେ ସାମିଲ କରାଯାଇଛି, ଯାହା ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପୌରସଂସ୍ଥା ଗୁଡ଼ିକର ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ।
ଏହି ଚିଠା ଏସଓପି ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ସହରାଂଚଳର ସ୍ଥାନୀୟ ସଂସ୍ଥା ବା ୟୁଏଲବିଗୁଡ଼ିକ ସେମାନଙ୍କ ଅଧୀନରେ ଥିବା ସରକାରୀ ଜମିକୁ ଏହି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ପାଇଁ ଚିହ୍ନଟ କରିବେ। ଏହି ସ୍ଥାନ ଚୟନ ସମୟରେ ବିଶେଷକରି ପାର୍କିଂ ହବ୍, ବ୍ୟବସାୟିକ କେନ୍ଦ୍ର, ସରକାରୀ କୋଠାବାଡ଼ି, ବଜାର ଓ ପ୍ରମୁଖ ଯାତାୟାତ କରିଡରଗୁଡ଼ିକୁ ପ୍ରାଥମିକତା ଦିଆଯିବ। ଏହାସହିତ ସମ୍ପୃକ୍ତ ସ୍ଥାନରେ ପର୍ଯ୍ୟାପ୍ତ ଜାଗା, ଜନସାଧାରଣଙ୍କ ପାଇଁ ସହଜ ଗମନାଗମନ ବ୍ୟବସ୍ଥା, ବୈଦ୍ୟୁତିକ ସଂଯୋଗୀକରଣର ସୁବିଧା, ନିରାପତ୍ତା ଓ ଭବିଷ୍ୟତରେ ଏହାର ସମ୍ପ୍ରସାରଣ ପାଇଁ ଥିବା ସୁଯୋଗକୁ ବିଚାରକୁ ନିଆଯାଇ ସ୍ଥାନ ଚୂଡ଼ାନ୍ତ କରାଯିବ।
ଏହି ପ୍ରକଳ୍ପ ଅଧୀନରେ ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକର ବିକାଶ ଓ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ପୌରସଂସ୍ଥା ଗୁଡ଼ିକ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ପାଣ୍ଠିରୁ ସମ୍ପାଦନ କରିବେ। ଏହି ସ୍ଥାନଗୁଡ଼ିକରେ ଗାଡ଼ି ରଖିବା ପାଇଁ ପାର୍କିଂ ସେଡ୍, ଆଲୋକୀକରଣ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ ସୁବିଧା, ଶୌଚାଳୟ ଓ ଚାର୍ଜିଂ ଷ୍ଟେସନ ପାଇଁ ଆବଶ୍ୟକ ହେଉଥିବା ଅନ୍ୟାନ୍ୟ ଆନୁସଙ୍ଗିକ ସେବା ପ୍ରଦାନ କରାଯିବ। ଯେଉଁ ପୌର ସଂସ୍ଥାଗୁଡ଼ିକୁ ୨୦୨୫-୨୬ ଆର୍ଥିକ ବର୍ଷରେ ପାଣ୍ଠି ପ୍ରଦାନ କରାଯାଇଛି, ସେମାନେ ନିଜର ଆବଶ୍ୟକତା ଅନୁଯାୟୀ ଏହି ଅର୍ଥକୁ ଉପଯୋଗ କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିପାରିବେ।
ଆଗାମୀ ୨୦୨୬-୨୭ ଆର୍ଥିକ ବର୍ଷର ବାର୍ଷିକ କାର୍ଯ୍ୟ ଯୋଜନାରେ ସମସ୍ତ ସାଇଟ୍ ବିବରଣୀ ଓ ଜିଓ-କୋଅର୍ଡିନେଟ୍ସ ସହିତ ଏହି ପ୍ରସ୍ତାବକୁ ସାମିଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଚାର୍ଜିଂ ଷ୍ଟେସନ ଗୁଡ଼ିକର ସ୍ଥାପନ, ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଉପଯୁକ୍ତ ସଂସ୍ଥା ବା ଏଜେନ୍ସି ଚୟନ କରାଯିବ। ବାଣିଜ୍ୟ ଓ ପରିବହନ ବିଭାଗର ନିର୍ଦ୍ଦେଶାବଳୀ ଓ ଓଡ଼ିଶା ଇଭି ନୀତି-୨୦୨୧କୁ ଆଧାର କରି ପୌର ସଂସ୍ଥାଗୁଡ଼ିକ ଏହି ଟେଣ୍ଡର ପ୍ରକ୍ରିୟା ପରିଚାଳନା କରିବେ। ମନୋନୀତ ଏଜେନ୍ସି ଚାର୍ଜିଂ ଭିତ୍ତିଭୂମି ସ୍ଥାପନ କରିବା ସହ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବେ ଓ ଏଥିରୁ ମିଳୁଥିବା ରାଜସ୍ୱ ବା ଆୟକୁ ପୌର ସଂସ୍ଥା ସହିତ ଭାଗ କରିବେ। ରାଜ୍ୟ ସରକାର ଏହି ଏସଓପିକୁ ଖୁବଶୀଘ୍ର ଚୂଡ଼ାନ୍ତ ରୂପ ଦେଇ ରାଜ୍ୟର ସମସ୍ତ ପୌରାଂଚଳରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି।

