ଭୁବନେଶ୍ୱର : ରାଜ୍ୟରେ ଗ୍ରୀନ୍ ହାଇଡ୍ରୋଜେନ୍ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
କ୍ରୁଟ୍ , ଏନଟିପିସି ଏବଂ ଗ୍ରୀଡକୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ଏବଂ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବ। ଏହି ଅଭିନବ ପ୍ରୟାସ ଭାରତ ସରକାରଙ୍କ ‘ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ’ ଅନୁରୂପ ହୋଇଥିବା ବେଳେ ଏହା ଦେଶର ‘ନେଟ୍ ଜିରୋ’ କାର୍ବନ ନିର୍ଗମନ ଲକ୍ଷ୍ୟ ହାସଲ କରିବାରେ ଏବଂ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିକୁ ପ୍ରୋତ୍ସାହିତ କରିବ ।
ଏନଟିପିସି, ଗ୍ରୀଡକୋର ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣା ପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଏହି ପ୍ରସ୍ତାବିତ ପ୍ରକଳ୍ପ ଅଧୀନରେ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ‘କ୍ରୁଟ୍’ ଡିପୋରେ ଏକ ‘ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫ୍ୟୁଲିଂ କେନ୍ଦ୍ର’ ପ୍ରତିଷ୍ଠା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ୍ ପ୍ରକଳ୍ପ ଭାବେ ତିନୋଟି ହାଇଡ୍ରୋଜେନ୍ ଫ୍ୟୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି।
ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ ୨୬୦ କିଲୋଗ୍ରାମ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରିବା ସହ ଆଦର୍ଶ ସ୍ଥିତିରେ ଏହି ବସ୍ଗୁଡ଼ିକୁ ଦୈନିକ ୬୦୦ କିଲୋମିଟର ପର୍ଯ୍ୟନ୍ତ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହା ସ୍ୱଚ୍ଛ ଓ ଦକ୍ଷ ସାଧାରଣ ପରିବହନର ବିକଳ୍ପ ଯୋଗାଇବା ସହ ଶୂନ୍ୟ ନିର୍ଗମନ ସୁନିଶ୍ଚିତ କରିବ। ଫଳରେ ବାର୍ଷିକ ପ୍ରାୟ ୯୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ, ଯାହା ପରିବେଶ ସୁରକ୍ଷା ଦିଗରେ ଏକ ବଡ଼ ସଫଳତା ହେବ।
ଏହି ପ୍ରକଳ୍ପ ପାଇଁ ମୋଟ ପୁଞ୍ଜି ବିନିଯୋଗ ୫୩.୫୫ କୋଟି ଟଙ୍କା ଆକଳନ କରାଯାଇଛି, ଯେଉଁଥିରୁ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ ୧୯.୫୨ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ବାକି ଅର୍ଥ ଷ୍ଟେକହୋଲ୍ଡରଙ୍କ ଅଂଶଧନ ଏବଂ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ, ଏହି ଗ୍ରୀନ୍ ହାଇଡ୍ରୋଜେନ୍ ଗତିଶୀଳତା ପ୍ରକଳ୍ପ ଓଡ଼ିଶାକୁ ଆଗାମୀ ପିଢ଼ିର ସ୍ୱଚ୍ଛ ପରିବହନ ସେବା କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠିତ କରିବାର କ୍ଷମତା ରଖିଛି। ସେ ଏକ ସୁଦୃଢ଼ ଏବଂ ପ୍ରସାରଣଯୋଗ୍ୟ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ସାରା ଦେଶ ପାଇଁ ସ୍ଥାୟୀ ସାଧାରଣ ପରିବହନର ଏକ ମଡେଲ୍ ହୋଇପାରିବ।
ସେ ସମସ୍ତ ଅଂଶୀଦାର ସଂସ୍ଥାକୁ ପରସ୍ପର ସହ ସମନ୍ୱୟ ରକ୍ଷା କରି ବାକି ରହିଥିବା ବୈଷୟିକ, ଆର୍ଥିକ ଏବଂ ନିୟାମକ ସମସ୍ୟାଗୁଡ଼ିକର ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସ୍ୱଚ୍ଛତା, ଜବାବଦେହିତା ଏବଂ ଦୀର୍ଘକାଳୀନ କାର୍ଯ୍ୟକ୍ଷମ ସ୍ଥିରତା ବଜାୟ ରଖି ପ୍ରକଳ୍ପର ସମୟାନୁବର୍ତ୍ତୀ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ଏକ ସହଯୋଗୀ ଆଭିମୁଖ୍ୟ ଗ୍ରହଣ କରିବାକୁ ସେ ଗୁରୁତ୍ୱ ଦେଇଥିଲେ।

