Home Health ହୋମିଓପାଥିକ ପାଠପଢା ପାଇଁ ଶିକ୍ଷକ ଅଭାବ

ହୋମିଓପାଥିକ ପାଠପଢା ପାଇଁ ଶିକ୍ଷକ ଅଭାବ

ଭୁବନେଶ୍ୱର : ହୋମିଓପାଥିକ ଔଷଧ ଉପରେ ଲୋକଙ୍କ ଆସ୍ଥା ବଢୁଥିବାବେଳେ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କୁ ପଢାଇବାକୁ କିନ୍ତୁ ଶିକ୍ଷକ ନାହାନ୍ତି । ଶିକ୍ଷକ ତ ଦୂରରକଥା ହୋମିଓପାଥିକ କଲେଜରେ ପ୍ରିନ୍ସିପାଲ ପଦବୀ ବି ପୂରଣ ହୋଇପାରୁ ନାହିଁ ।

ହୋମିଓପାଥିକ ପାଠ ପଢିବାପାଇଁ ରାଜ୍ୟରେ ରହିଛି ୪ଟି ଶିକ୍ଷାନୁଷ୍ଠାନ । ଏଗୁଡିକ ହେଲା ଭୁବନେଶ୍ୱର ଠାରେ ଥିବା ଡକ୍ଟର ଅଭିନ ଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲ, ସମ୍ବଲପୁର ଠାରେ ଥିବା ଓଡିଶା ମେଡିକାଲ କଲେଜ ଅଫ୍‍ ହୋମିଓପାଥି ଆଣ୍ଡ ରିସର୍ଚ୍ଚ, ରାଉରକେଲାରେ ଥିବା ଉତ୍କଳମଣି ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଏବଂ ଗଞ୍ଜାମରେ ଥିବା ବିଜୁ ପଟ୍ଟନାୟକ ହୋମିଓପାଥିକ ମେଡିକାଲ କଲେଜ ଏବଂ ହସ୍ପିଟାଲ ।

ଏହିସବୁ ଶିକ୍ଷାନୁଷ୍ଠାନରେ ଥିବା ସମସ୍ତ ପ୍ରିନ୍ସିପାଲ ଓ ପ୍ରଫେସର ପଦବୀ ଖାଲି ପଡିଛି । ପ୍ରତେକ ଅନୁଷ୍ଠାନରେ ଜଣେ କରି ପ୍ରିନ୍ସିପାଲ ପଦବୀ ଓ ୬ଟି କରି ପ୍ରଫେସର ପଦବୀ ରହିଛି । ସେହିଭଳି ୫୯ଟି ମଞ୍ଜୁରୀପ୍ରାପ୍ତ ରିଡର ପଦବୀରେ ଅଛନ୍ତି ମାତ୍ର ୧୦ ଜଣ । ୬୦ଟି ଅଧ୍ୟାପକ ପଦବୀରେ ୪୪ ଜଣ ଶିକ୍ଷାଦାନ କରୁଛନ୍ତି । ସେହିଭଳି ଅଣଶିକ୍ଷକ ପଦବୀରେ ମଧ୍ୟ କର୍ମଚାରୀ ସଙ୍କଟ । ମଞ୍ଜୁରୀପ୍ରାପ୍ତ ୧୦୫ଟି ପଦବୀରେ କାର୍ଯ୍ୟ କରୁଛନ୍ତି ୪୪ଜଣ ।

ଉଭୟ ଅଧ୍ୟକ୍ଷ ଓ ପ୍ରଫେସର ପଦବୀ ସହିତ ଅନ୍ୟାନ୍ୟ ଶିକ୍ଷକ ପଦବୀ ଖାଲି ପଡିଥିବାରୁ ହୋମିଓପାଥିକ କଲେଜରେ ଶିକ୍ଷାଦାନ ଗୁରୁତର ଭାବେ ପ୍ରଭାବିତ ହେଉଛି । ଏଠାରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ କିଭଳି ପାଠ ପଢିବେ ଜାଣିପାରୁ ନାହାନ୍ତି । କେତେକ ସ୍ଥଳରେ ଠିକା ଅଧ୍ୟାପଙ୍କ ଜରିଆରେ କାମ ଚଳାଇ ନିଆଯାଉଛି ।

ଅବସ୍ଥା ଏଭଳି ହୋଇଛି ଏଲୋପାଥିକ ଡାକ୍ତରମାନଙ୍କୁ ଏଠାରେ କିଛିଦିନ ପାଇଁ ଅସ୍ଥାୟୀଭାବେ ରଖାଯିବାର ନଜିର ରହିଛି । ଯେଉଁ ଏଲୋପାଥିକ ଡାକ୍ତରମାନଙ୍କ ରାଜଧାନୀରୁ ଅନ୍ୟତ୍ର ବଦଳି ହେଉଛି ସେମାନଙ୍କୁ ଅଭିନଚନ୍ଦ୍ର ହୋମିଓପାଥିକ ମେଡିକାଲ କଲେଜର ଥଇଥାନ କରିଦିଆଯାଉଛି । ଏମାନେ ହୋମିଓପାଥିକ ମେଡିକାଲ କଲେଜରେ କି ପ୍ରକାର କାର୍ଯ୍ୟ କରୁଛନ୍ତି ତାହା ଅନେକଙ୍କୁ ଅଜଣା ।

ସେହିଭଳି ହୋମିଓପାଥିକ ମେଡିକାଲ କଲେଜରେ ଶିକ୍ଷକ ଓ କର୍ମଚାରୀ ଅଭାବରୁ ହୋମିଓପାଥିକ ଔଷଧ ପ୍ରସ୍ତୁତି ମଧ୍ୟ ଧିମେଇ ଯାଇଛି । ପୂର୍ବରୁ ଏଠାରୁ ପ୍ରସ୍ତୁତ ଔଷଧ (ମଦର ଟିଞ୍ଚର) ରାଜ୍ୟର ସମସ୍ତ ହୋମିଓପାଥିକ ଚିକିତ୍ସାଳୟକୁ ପଠାଯାଉଥିବାବେଳେ ଏବେ ତାହା ହୋଇପାରୁ ନାହିଁ ।

ଏଲୋପାଥିକ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ସହିତ ଦର ଢେର ଅଧିକ ରହୁଥିବାରୁ ସହର ଠାରୁ ଗାଁ ଗହଳ ପର୍ଯ୍ୟନ୍ତ ଲୋକମାନେ ହୋମିଓପାଥିକ ଔଷଧ ଉପରେ ଆସ୍ଥା ପ୍ରକଟ କରୁଥିବାବେଳେ ମେଡିକାଲ କଲେଜରେ ଶିକ୍ଷକ ସଙ୍କଟ ଯୋଗୁଁ ଆଗାମୀ ଦିନରେ କେଉଁମାନର ହୋମିଓପାଥିକ ଡାକ୍ତର ବାହାରିବେ ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । (ତଥ୍ୟ)