Home News in Odia ଆମ ସୁବାହକ ଯୋଜନାରେ ଇଭି ସାମିଲ

ଆମ ସୁବାହକ ଯୋଜନାରେ ଇଭି ସାମିଲ

ଭୁବନେଶ୍ୱର : ପରିବେଶ ଅନୁକୂଳ ପରିବହନ ଓ ଇନ୍ଧନ ସଞ୍ଚୟକୁ ପ୍ରାଧାନ୍ୟ ଦେଉଛନ୍ତି ସରକାର। ଆଉ ଏହି ଅଭିଯାନରେ ଯୋଡ଼ି ହୋଇଛି ବାଣିଜ୍ୟ ଓ ପରିବହନ ବିଭାଗର ‘ଆମ ସୁବାହକ’ ଯୋଜନା।

ସରକାରଙ୍କ ‘ଆମ ସୁବାହକ’ ଯୋଜନାରେ ପୂଜା ବାରିକ ଏକ ବୈଦ୍ୟୁତିକ କାର୍ କିଣି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଛତିଆ ସ୍ଥିତ ଆଇଡିଟିଆର୍ ରୁ ଗାଡ଼ି ଚାଳନା ପ୍ରଶିକ୍ଷଣ ନେବା ପରେ ସେ ଏହି ଯୋଜନା ପାଇଁ ଆବେଦନ କରିଥିଲେ। ରାଜ୍ୟରେ ଏପର୍ଯ୍ୟନ୍ତ ୯ ଜଣ ହିତାଧିକାରୀଙ୍କୁ ଗାଡ଼ି ପ୍ରଦାନ କରାଯାଇଥିବା ବେଳେ ପୂଜା ହେଉଛନ୍ତି ପ୍ରଥମ ଆତ୍ମନିର୍ଭର ମହିଳା ସୁବାହକ ଯିଏ ଇଭି (EV) ଗାଡ଼ିକୁ ଚୟନ କରିଛନ୍ତି।

ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ.ବି.ଏସ. ରାଜପୁତ ଏବଂ ପରିବହନ ଆୟୁକ୍ତ ଅମିତାଭ ଠାକୁର ପୂଜାଙ୍କୁ ଗାଡ଼ିର ଚାବି ହସ୍ତାନ୍ତର କରିବା ସହ ତାଙ୍କର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ନିଷ୍ପତ୍ତି ଆଗାମୀ ଦିନରେ ଅନ୍ୟ ହିତାଧିକାରୀମାନଙ୍କୁ ମଧ୍ୟ ଇଭି ଗାଡ଼ି କିଣିବା ପାଇଁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ପୂଜା ବାରିକ ‘ଆମ ସୁବାହକ’ ଯୋଜନାର ସୁବିଧା ପାଇବା ସହିତ ଇଭି (EV) ନୀତି ଅଧୀନରେ ମିଳୁଥିବା ସବସିଡିର ସୁବିଧା ପାଇବେ।

ଏହି ଯୋଜନାରେ ବିଭିନ୍ନ ବ୍ୟାଙ୍କ ସହ ସମନ୍ୱୟ ରଖି ହିତାଧିକାରୀଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯାଉଛି। ଏଥିସହ ଗାଡ଼ିର ଏକ୍ସ-ସୋ’ରୁମ୍ ମୂଲ୍ୟର ୧୦ ପ୍ରତିଶତ ଡାଉନ୍ ପେମେଣ୍ଟ ମଧ୍ୟ ରାଜ୍ୟ ସରକାର  ବହନ କରୁଛନ୍ତି। ସରକାର ନିଜେ ଗ୍ୟାରେଣ୍ଟର ରହି ଗାଡ଼ିର କ୍ରେଡିଟ୍ ଗ୍ୟାରେଣ୍ଟି ଚାର୍ଜ ଏବଂ ସମସ୍ତ ସୁଧ ଖର୍ଚ୍ଚ ବହନ କରୁଥିବା ବେଳେ ଆଗାମୀ ୪ ବର୍ଷ ମଧ୍ୟରେ ରାଜ୍ୟରେ ୧,୧୦୦ ‘ଆତ୍ମନିର୍ଭର ମହିଳା ସୁବାହକ’ ସୃଷ୍ଟି କରିବା ପାଇଁ ୪୬.୬୬ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ଯୋଜନାରେ OSRTC, CRUT ର ମହିଳା ଚାଳକ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟା ଏବଂ ‘ସୁଭଦ୍ରା’ ଯୋଜନାର ହିତାଧିକାରୀମାନଙ୍କୁ ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଉଛି।

ପୂଜା କଟକର ବାସିନ୍ଦା ହୋଇଥିବା ବେଳେ ସେ ଉଚ୍ଚ ଶିକ୍ଷିତ ମଧ୍ୟ। ତେବେ ଗାଡ଼ି ଚାଳନା ପ୍ରତି ତାଙ୍କର ବିଶେଷ ଆଗ୍ରହ ଯୋଗୁଁ ସେ ସୁବାହକ ପ୍ରଶିକ୍ଷଣ ନେଇଥିଲେ ଓ ଏବେ ଆତ୍ମନିର୍ଭର ମହିଳା ସୁବାହକ ଭାବେ ଇଭି ଗାଡ଼ି ନେଇ ସମସ୍ତଙ୍କ ପ୍ରଶଂସାଭାଜନ ହୋଇଛନ୍ତି ।