Home Environment ରାଜଧାନୀରେ ନିମ୍ନମାନର ବାୟୁ

ରାଜଧାନୀରେ ନିମ୍ନମାନର ବାୟୁ

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବୃଦ୍ଧିରେ ରାଜଧାନୀବାସୀ ସନ୍ତୁଳି ହେଉଥିବାବେଳେ ବାୟୁ ପ୍ରଦୂଷଣ ଏବେ ସେମାନଙ୍କ କଷ୍ଟକୁ ବଢାଇ ଦେଇଛି । ଗୋଟିଏ ପଟେ ମୁଣ୍ଡଫଟା ଖରା ଓ ଅନ୍ୟପଟେ ତୈଳ କଟକଣା ଯୋଗୁଁ ଗାଡିମୋଟର ବ୍ୟବହାର ହ୍ରାସ ପାଇଥିବାବେଳେ ବାୟୁର ମାନ କିନ୍ତୁ ରାଜଧାନୀରେ ଦୁର୍ବଳ ସ୍ଥିତିରେ ରହିଛି ।

ଆଜି ରାଜଧାନୀରେ ବାୟୁର ମାନ ବା ଏକ୍ୟୁଆଇ ୧୧୨ ରହିଛି । ଯାହାକି ଅତି ନିମ୍ନମାନର । ସହରର ବିଭିନ୍ନ ସ୍ଥାନରେ ସ୍ଥିତି ଏଭଳି ରହିଛି । ଦୈନିକ ପାଖପାଖିି ଦୁଇଟି ସିଗାରେଟ ସେବନ କଲେ ଶରୀରର ଯେତିକି କ୍ଷତି ହୋଇଥାଏ ଦୁର୍ବଳ ମାନର ବାୟୁ ଯୋଗୁଁ ଅନୁରୂପ କ୍ଷତି ହୋଇଥାଏ ବୋଲି ଦର୍ଶାଯାଇଛି । ନିମ୍ନମାନର ବାୟୁ ଜନିତ କ୍ଷତି ମାସକୁ ୫୭ଟି ସିଗାରେଟ ଟାଣିବା ସହିତ ସମାନ ବୋଲି କୁହାଯାଇଛି ।

ଭୁବନେଶ୍ୱରରେ ବାୟୁର ଏକ୍ୟୁଆଇ ୧୧୨ ଥିବାବେଳେ ମୁମ୍ବାଇ ଭଳି ସହରରେ ୫୦ ରହିଛି । ସେହିଭଳି ନୂଆଦିଲ୍ଲୀ ଓ ପୁନେରେ ୭୬ ରେକର୍ଡ ହୋଇଥିବାବେଳେ ଅହମ୍ମଦାବାଦରେ ୬୦, ହାଇଦ୍ରାବାଦରେ ୯୧ ଓ ଚେନ୍ନାଇରେ ୧୦୫ ରେକର୍ଡ କରାଯ।।ଇଛି । କୋଲକତା ମହାନଗରରେ କିନ୍ତୁ ଏକ୍ୟୁଆଇ ୧୩୭ ରେକର୍ଡ ହୋଇଛି । ଭୁବନେଶ୍ୱରରେ ବାୟୁର ମାନକୁ ଦେଖି ଏୟାର ଫିଲଟର ବ୍ୟବହାର ପାଇଁ ପରାମର୍ଶ ଦିଆଯାଇଛି ।

କିଛିଦିନ ତଳେ ରାଜଧାନୀ ସମେତ ସମଗ୍ର ରାଜ୍ୟରେ ବାୟୁ ପ୍ରଦୂଷଣକୁ ରୋକିବାପାଇଁ ଗାଡି ମୋଟରଗୁଡିକର ଜୋରଦାର ଯାଞ୍ଚ ହୋଇଥିଲା । ବିଶେଷକରି ପ୍ରଦୂଷଣ ନିୟମ ପାଳନ କରୁନଥିବା ଗାଡିଗୁଡିକୁ ଧରି ଜୋରିମାନା ଆଦାୟ କରାଯାଇଥିଲା । ଲକ୍ଷାଧିକ ଗାଡି ଧରାପଡିଥିଲେ ଓ ପରବର୍ତ୍ତୀ ସମୟରେ ପ୍ରଦୂଷଣ ଯାଞ୍ଚ ପାଇଁ ସହରାଞ୍ଚଳରେ ଲମ୍ବା ଧାଡି ଲାଗିଥିଲା ।

ବ୍ୟାପକ ପ୍ରଦୂଷଣ ଯାଞ୍ଚ ପରେ ସମସ୍ତେ ଆଶା କରାଯାଉଥିଲା ଯେ ସହରାଞ୍ଚଳରେ ବାୟୁର ମାନ ବୃଦ୍ଧି ପାଇବ । ହେଲେ ଖୋଦ୍‍ ରାଜଧାନୀରେ ସେଭଳି କିଛି ହେଉନାହିଁ । ଏଥି ସହିତ ବାୟୁ ପ୍ରଦୂଷଣକୁ ରୋକିବାପାଇଁ ନିର୍ମାଣ କାର୍ଯ୍ୟସ୍ଥଳୀରେ ମଧ୍ୟ କଟକଣା ଲଗାଯାଇଥିଲା । ତେବେ ଅଧିକାଂଶ ନିର୍ମାଣସ୍ଥଳୀରେ ପ୍ରଦୂଷଣ ନିୟମକୁ ଅଣଦେଖା କରାଯାଉଥିବାରୁ ଏହା ବାୟୁ ପ୍ରଦୂଷଣର ଅନ୍ୟତମ କାରଣ ବୋଲି କୁହାଯାଉଛି ।

ତେବେ ରାଜଧାନୀରେ ଯାନବାହାନ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇବା ସହିତ ଏବେ ବି ବହୁ ସଂଖ୍ୟକ ଗାଡି ପ୍ରଦୂଷଣ ନିୟମ ମାନୁନଥିବା, ନିର୍ମାଣ ସ୍ଥଳୀରେ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ ହେଉଥିବା ଯୋଗୁଁ ରାଜଧାନୀରେ ବାୟୁର ମାନ ଖରାପ ସ୍ଥିତିରେ ରହୁଛି ।

ପ୍ରଚଣ୍ଡ ଖରା, ଗରମ ଓ ଗୁଳୁଗୁଳି ସହିତ ବାୟୁର ମାନ ଏଭଳି ଦୁର୍ବଳ ସ୍ଥିତିରେ ରହିଲେ ବିଭିନ୍ନ ପ୍ରକାର ଚର୍ମରୋଗ ଓ ଶ୍ୱାସରୋଗ ଦେଖାଦେବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)