ଭୁବନେଶ୍ୱର : ପଶ୍ଚିମାଞ୍ଚଳର ଦ୍ରୁତ ବିକାଶ ପାଇଁ ୧୯୯୯ ମସିହାରେ ଗଠନ କରାଯାଇଥିବା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲୁଓଡିସି) ର ମୁଖ୍ୟ ଦପ୍ତର ୨୭ବର୍ଷ ଧରି ଭୁବନେଶ୍ୱରରେ ରହିଛି । ଅବିଭକ୍ତ କଳାହାଣ୍ଡି, ବଲାଙ୍ଗୀର, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର କୌଣସି ସ୍ଥାନରେ ଏଯାବତ୍ ଏହି ଦପ୍ତର ପ୍ରତିଷ୍ଠା କରାଯାଇପାରୁନି ।
ସରକାରରେ ରାଜନୈତିକ ନେତୃତ୍ୱ ବଦଳି ଚାଲିଥିବାବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ଦପ୍ତର କାହିଁକି ଯେ ସଂପୃକ୍ତ ଅଞ୍ଚଳରେ ନରହି ଭୁବନେଶ୍ୱରରେ ଚାଲୁଛି ତାହାର ସନ୍ତୋଷଜନକ ଉତ୍ତର କେହି ଦେଇପାରୁ ନାହାନ୍ତି । ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦାୟିତ୍ୱରେ ସଂପୃକ୍ତ ଅଞ୍ଚଳର ବହୁ ପ୍ରଭାବଶାଳୀ ରାଜନେତା ରହିଆସୁଥିବାବେଳେ କେବେ ଏହି ଦପ୍ତର ତାହାର ନିଜ ଇଲାକାକୁ ସ୍ଥାନାନ୍ତରିତ ହେବ ସେ ସଂପର୍କରେ ବି ଅନିଶ୍ଚିତତା ଲାଗି ରହିଛି ।
ବିଜୁ ପଟ୍ଟନାୟକଙ୍କ ସରକାରରେ ଆଇନ୍ ମନ୍ତ୍ରୀ ଥିବା ନରସିଂହ ମିଶ୍ରଙ୍କୁ ୧୯୯୯ ମସିହାରେ କଂଗ୍ରେସ ସରକାର ସମୟରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ଶ୍ରୀ ମିଶ୍ର ଏବେ କଂଗ୍ରେସ ଦଳରେ । ରାଜ୍ୟରେ ଶାସନ ପରିବର୍ତ୍ତନ ହେବା ପରେ ୨୦୦୧ ମସିହାରେ ଜନତା ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଅଇଁଠୁ ସାହୁ ଏହାର ଅଧ୍ୟକ୍ଷ ଭାବରେ ୨୦୦୧ରୁ ୨୦୦୬ ପର୍ଯ୍ୟନ୍ତ ୫ବର୍ଷ ଧରି କାର୍ଯ୍ୟ କରିଥିଲେ । ତାଙ୍କ ପରେ ବିଶିଷ୍ଟ ଅର୍ଥନୀତିଜ୍ଞ ଡ. ନିରଞ୍ଜନ ପଣ୍ଡା ୨୦୧୧ ପର୍ଯ୍ୟନ୍ତ ଏହାର ଅଧ୍ୟକ୍ଷ ହୋଇଥିଲେ ।
ଏକଦା ସୁନ୍ଦରଗଡ଼ର ବିଧାୟିକା ଥିବା ଶ୍ରୀମତୀ ପଦ୍ମିନୀ ଶେଖର ଦେଓ ୨୦୧୧ରୁ ୨୦୧୪ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଦାୟିତ୍ୱରେ ଥିଲେ । ତାଙ୍କ ପରେ କିଶୋର ପଟେଲ ମଧ୍ୟ ଏହାର ଅଧ୍ୟକ୍ଷ ହୋଇଥିଲେ । ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ତାଙ୍କ ପରେ ପରେ ସୁରେଶ ମହାପାତ୍ର କିଛିଦିନ ପାଇଁ ଏହି ସଂସ୍ଥାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ । ପଶ୍ଚିମାଞ୍ଚଳର ଜଣାଶୁଣା ବିଜେପି ନେତା ସୁବାଷ ଚୌହ୍ୱାନ ବିଜେଡିରେ ଯୋଗଦେବା ପରେ ତାଙ୍କୁ ୨୦୧୯ ମସିହାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କରାଯାଇଥିଲା । ତେବେ ଅଳ୍ପ କେଇମାସ ପରେ ତାଙ୍କର ମୃତ୍ୟୁ ଘଟିବାରୁ ପୁଣିଥରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ଅଧ୍ୟକ୍ଷ ହୋଇଥିଲେ ।
୨୦୨୪ରେ ଓଡ଼ିଶାରେ ବିଜେପି ସରକାର ଗଠିତ ହେବା ପରେ ଶ୍ରୀ ତ୍ରିପାଠୀ ତାଙ୍କ ଦାୟିତ୍ୱରୁ ଇସ୍ତଫା ଦେବା ପରେ କିଛିଦିନ ପାଇଁ ଏହି ପଦବୀ ଖାଲି ପଡିଥିଲା । ଏବେ ଉତ୍ତରାଞ୍ଚଳର ରାଜସ୍ୱ ଆୟୁକ୍ତ ପରିଷଦର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଯେଉଁସବୁ ଇଲାକାକୁ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଗଠନ କରାଯାଇଛି ସେହି ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ବଜେଟ୍ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଥାଏ । ଏହି ପରିଷଦ ସହିତ ସଂପୃକ୍ତ ଅଞ୍ଚଳରେ ବହୁ ରାଜନେତା ମଧ୍ୟ ଜଡ଼ିତ ଥାନ୍ତି । କିନ୍ତୁ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫା ପରଠାରୁ ଏଯାବତ୍ କାହାକୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିନାହିଁ । ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଦପ୍ତର ସମ୍ବଲପୁରରେ ଥିବାବେଳେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ ଦପ୍ତର ଭୁବନେଶ୍ୱରରେ ରହିଛି । ପଶ୍ଚିମାଞ୍ଚଳର କେଉଁ ସ୍ଥାନରେ ବିକାଶ ପରିଷଦର ଦପ୍ତର ସ୍ଥାପନ ହେବ ସେଥିଘେନି ସହମତି ପ୍ରକାଶ ପାଇପାରୁନଥିବାରୁ ଏହାର ମୁଖ୍ୟ ଦପ୍ତର ଭୁବନେଶ୍ୱରରେ ରହୁଛି ଏବଂ ବିକାଶ ପରିଷଦର ଅଧ୍ୟକ୍ଷଙ୍କୁ କ୍ୟାବିନେଟ୍ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ମିଳୁଥିବାରୁ ଦାୟିତ୍ୱରେ ରହୁଥିବା ରାଜନେତାମାନେ ଭୁବନେଶ୍ୱରରେ ରହି କାର୍ଯ୍ୟ ଚଳାଉଥିବା କୁହାଯାଉଛି । ତେବେ ଖୁବଶୀଘ୍ର ଏହି ବିକାଶ ପରିଷଦ ତା’ର ପୂର୍ଣ୍ଣକାଳୀନ ନୂତନ ଅଧ୍ୟକ୍ଷ ପାଇବ ବୋଲି ଆଶା କରାଯାଉଛି । (ତଥ୍ୟ)

