ଭୁବନେଶ୍ୱର :ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ଆଜି ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ଏବଂ ଡେଙ୍ଗୁ ପ୍ରତିଶେଧକ ବ୍ୟବସ୍ଥା ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମ୍ ସି କମିଶନର ଶ୍ରୀ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବର୍ଷା ଋତୁ ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ କରିବା ନେଇ ଆଲୋଚନା କରାଯାଇଥିଲା । ତୃଣମୂଳସ୍ତରରୁ ରୋଗ ପ୍ରତିଶେଧକ ଏବଂ ଡେଙ୍ଗୁ ନିୟନ୍ତ୍ରଣ ନେଇ ଯୋଜନା କରିବା ସଂପର୍କରେ ଆଲୋଚନା କରାଯାଇଛି ।
ଏହି ବୈଠକରେ ଭେକ୍ଟର ବାହୀତ ରୋଗ ନିୟନ୍ତ୍ରଣ ଏବଂ ଡେଙ୍ଗୁ ରୋଗରୁ ରକ୍ଷା ପାଇବା ପାଇଁ ଜନ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଇଛି । ଏ ସଂପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଏହି କାର୍ଯ୍ୟକ୍ରମରେ ବିଏମ୍ ସିର ସମସ୍ତ ଚିକିତ୍ସା ଅଧିକାରୀ, ପରିଚାଳନା କର୍ମଚାରୀ, ସ୍ୱେଚ୍ଛାସେବୀ, ଆଶା କର୍ମୀ, ଅଙ୍ଗନଓ୍ୱାଡି କର୍ମୀ, ମହିଳା ଆରୋଗ୍ୟ ସମିତି ସଦସ୍ୟଙ୍କ ଭଳି ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା କର୍ମୀଙ୍କୁ ସାମିଲ କରାଯିବ ।
ବୈଦ୍ୟୁତିକ, ଛାପା ଓ ସାମାଜିକ ଗଣମାଧ୍ୟରେ ପ୍ରଚାର ପ୍ରସାର ସହ ରେଡିଓ ଜିଙ୍ଗଲ, ଡୋର ଟୁ ଡୋର ଗାଡି ଇଦ୍ୟାଦି ମାଧ୍ୟମରେ ଡେଙ୍ଗୁରୋଗର ପ୍ରତିରୋଧ ସଂପର୍କରେ ପ୍ରଚାର ପ୍ରସାର କରାଯିବ । ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ମାଇକ୍ରୋ ପ୍ଲାନ କରାଯିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ, ଶିକ୍ଷା ବିଭାଗ ସହ ସମନ୍ୱୟ ରକ୍ଷାକରି ସଂପୃକ୍ତ ମେଡିକାର ଅଫିସରଙ୍କ ଦ୍ୱାରା ପ୍ରାର୍ଥନା କ୍ଲାସରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ରୋଗର ସମ୍ବେଦନଶୀଳତା ସଂପର୍କରେ ଅବଗତ କରାଯିବ ।
ମଶା ପ୍ରଜନନ ଉତ୍ସଗୁଡିକୁ ଚିହ୍ନଟ କରିବା ଏବଂ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ଏହି ଉତ୍ସଗୁଡିକର ବିରୋଫ ପାଇଁ ଉଭୟ ଘରୋଇ ଏବଂ ଘରୋଇ ସର୍ବେ କରିବାକୁ ନିଷ୍ପତ୍ତି ହୋଇଛି । ତିନି ମାସ ପାଇଁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯିବ । ୨୦ଟି ଟିମ୍ ଗଠନ କରାଯାଇ ପ୍ରତିଦିନ 40ଟି ଘରକୁ ପ୍ରତ୍ୟେକ ଟିମ୍ ଯାଇ ସଚେତନ କରାଇବେ । ଡେଙ୍ଗୁର ଉତ୍ସଗୁଡିକୁ ହ୍ରାସ କରିବା ପାଇଁ ସେମାନେ ମଧ୍ୟ ସଚେତନତା ସୃଷ୍ଟି କରିବେ । ପ୍ରତ୍ୟେକ ଓ୍ୱାର୍ଡରେ ଡେଙ୍ଗୁ ଦିବସ ପାଳନ କରାଯିବ । କର୍ପୋରେଟରଙ୍କ ଅଧ୍ୟକ୍ଷତାରେ ଆଶାକର୍ମୀ, ସ୍ୱଚ୍ଛସାଥୀ, ଆରଡବ୍ଲ୍ୟୁଏ ଏବଂ ସମସ୍ତ ବିଭାଗର ପ୍ରତିନିଧିଙ୍କର ସଭା ଓ ଶୋଭାଯାତ୍ରା ଅନୁଷ୍ଠିତ କରାଯିବାକୁ ନିଷ୍ପତ୍ତି ହୋଇଛି ।
ଏହି କାର୍ଯ୍ୟକ୍ରମରେ ମାର୍କେଟ ଆସୋସିଏସନ, ଆବାସିକ କଲ୍ୟାଣ ସଂଗଠନର କର୍ମକର୍ତ୍ତା ତଥା ସଦସ୍ୟ, ସଦସ୍ୟା, ବସ୍ତି ବାସିନ୍ଦା ସଂଘଙ୍କୁ ମଧ୍ୟ ସାମିଲ କରାଯିବ । ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ପ୍ରତିଷ୍ଠାନ, ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ମଲ, ପାର୍କ, ବସ୍ ଷ୍ଟାଣ୍ଡ, ବିବାହ, ସମିଳନୀ, ମନ୍ଦିର, ଫୁଡ୍ କୋର୍ଟ, ନିର୍ମାଣକାରୀ ସଂସ୍ଥା ଆଦିଙ୍କୁ ସେମାନଙ୍କ ପରିସରରୁ ମଶା ପ୍ରଜନନ ଉତ୍ସଗୁଡିକୁ ହଟାଇବା ପାଇଁ ଅନୁରୋଧ କରାଯିବ । ଏହା ବ୍ୟତୀତ ସମସ୍ତ ସନ୍ଦିଗ୍ଧ ଡେଙ୍ଗୁ ମାମଲା ନିର୍ଦ୍ଦିଷ୍ଟ ସେଣ୍ଟିନେଲ ସାଇଟରେ ପରୀକ୍ଷା କରାଯିବ ।
ଆର୍.ଏମ୍. ଆର୍.ସି, ଏମ୍ସ, କ୍ୟାପିଟାଲ ହସ୍ପିଟାଲ, ପଟିଆ ୟୁ.ସି.ଏଚ୍.ସି, ନୟାପଲ୍ଲୀ ୟୁ.ପି.ଏଚ୍.ସି ଆଦିରେ ରକ୍ତ ନମୂନା ପରୀକ୍ଷା କରାଯିବାକୁ ନିଷ୍ପତ୍ତି ହୋଇଛି । ଡେଙ୍ଗୁ ରୋଗ ଚିହ୍ନଟ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ଅନୁସନ୍ଧାନ ଏବଂ ଏହା ଯେପରି ଅନ୍ୟକୁ ନ ବ୍ୟାପେ, ସେଥିପାଇଁ ପଦକ୍ଷେପ ନିଆଯିବ । ପ୍ରତି ଶୁକ୍ରବାରକୁ ଡ୍ରାଏ ଡେ ଭାବେ ପାଳନ କରାଯିବ । ଗତ ବର୍ଷ ଚିହ୍ନଟ ହୋଇଥିବା ହଟସ୍ପଟ ସହ ଅନ୍ୟ ସାମ୍ଭାବ୍ୟ ହଟସ୍ପଟଗୁଡିକର ମଧ୍ୟ ସମୀକ୍ଷା କରାଯିବ । ଜୁନ୍ ଆରମ୍ଭରୁ ବିଏମ୍ ସି ମୁଖ୍ୟାଳୟରେ ୧୨ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ । ଏଥିରେ ବିଏମ୍ ସି ସ୍ୱାସ୍ଥ୍ୟ ଉପାୟୁକ୍ତଙ୍କ, ୟୁଏମ୍ଏସ୍ ୟୁ, ଏନ୍ ୟୁ ଏଚ୍ ଏମ୍ ଓ ଓ୍ୱାଟକୋର ପ୍ରତିନିଧିମାନେ ଉପସ୍ଥିତ ରହିବେ ।

