ଭୁବନେଶ୍ୱର : ରାସ୍ତାଘାଟ, କୋଠାବାଡ଼ି ଏବଂ ସେତୁ ନିର୍ମାଣ ସହ ରାଜ୍ୟର ବିକାଶକୁ ତ୍ୱରିତ ଗତିରେ ଆଗେଇ ନେବାରେ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ନିର୍ମାଣ କ୍ଷେତ୍ରରେ କାର୍ଯ୍ୟର ଗୁଣବତ୍ତାକୁ ଗୁରୁତ୍ୱ ଦେବା ସହ ସମୟ ଅବଧି ମଧ୍ୟରେ କାର୍ଯ୍ୟ ପରିସମାପ୍ତି କାର୍ଯ୍ୟର ସଫଳତାକୁ ସୂଚାଇ ଥାଏ । ତେଣୁ ଇଂଜିନିୟରମାନେ ପ୍ରତ୍ୟେକ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ସ୍ୱାତନ୍ତ୍ର୍ୟକୁ ପ୍ରଦର୍ଶିତ କରିବା ଭଳି କାର୍ଯ୍ୟ କରିବା ପାଇଁ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ଆଜି ନିର୍ମାଣ ବିଭାଗର ୫୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିର୍ମାଣ ପ୍ରକଳ୍ପର ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ପୁରୀ ଐତିହ୍ୟ ପ୍ରକଳ୍ପଠାରୁ ଆରମ୍ଭ କରି ଏସ୍ସିବିର କ୍ଲିନିକାଲ୍ ଓ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସ, ମହିମା ଗାଦି ମନ୍ଦିର ପ୍ରକଳ୍ପ, ବ୍ରାହ୍ମଣୀ ଓ ବୈତରଣୀ, ମହାନଦୀରେ ହାଇଲେବୁଲ୍ ସେତୁ ନିର୍ମାଣ ଆଦି ପ୍ରକଳ୍ପ ରାଜ୍ୟ ବିକାଶର ଗୋଟିଏ ଗୋଟିଏ ବୃହତ୍ ଅଙ୍ଗ ସଦୃଶ । ଏହାର ସଫଳ ପରିସମାପ୍ତି କେବଳ ସରକାରଙ୍କ ପାଇଁ ନୁହେଁ, ବରଂ ରାଜ୍ୟବାସୀଙ୍କ ପାଇଁ ବଡ଼ ଉପଲବ୍ଧି ।
ତେଣୁ ଏହିସବୁ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ । ସରକାରୀ ଅଧିକାରୀଙ୍କ ଦାୟିତ୍ୱହୀନତା କାରଣରୁ ହେଉ କିମ୍ବା ଠିକା ସଂସ୍ଥା ଦ୍ୱାରା ଅଯଥା ବିଳମ୍ବ ହେବା ନେଇ ସମସ୍ତ ଅଭିଯୋଗ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତି । ଏହି କ୍ରମରେ ଏସ୍ସିବିର କ୍ଲିନିକାଲ୍ ଓ ରେସିଡେନ୍ସିଆଲ୍ କମ୍ପ୍ଲେକ୍ସ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାକୁ କାର୍ଯ୍ୟରେ ବିଳମ୍ବ ପାଇଁ ଚେତାବନୀ ଦିଆଯିବା ସହ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ନହଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି I
ଆଜିର ବୈଠକରେ ପୁରୀ ବାସେଳି ସାହି ଧର୍ମଶାଳାର ନିର୍ମାଣ, ଦିଗବାରେଣୀ ଓ ସମଙ୍ଗ ପାର୍କିଂ, ରେଭେନ୍ସା ବାଳିକା ହଷ୍ଟେଲ ନିର୍ମାଣ, ଭୁବନେଶ୍ୱରସ୍ଥିତ ବିଧାୟକ କୋଠା, ଟାଇପ୍-୪, ଟାଇପ୍-୨ ଆବାସିକ କମ୍ପ୍ଲେକ୍ସ, ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ, ସାରଳା ମନ୍ଦିର ଉନ୍ନୟନ ପ୍ରକଳ୍ପ, ମହିମା ମନ୍ଦିର ଉନ୍ନୟନ ପ୍ରକଳ୍ପ, ଯାଜପୁର ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ସମେତ ନିର୍ମାଣ ବିଭାଗ ଅଧୀନରେ ଥିବା ୧୦ଟି ରାସ୍ତା, ୯ଟି ସେତୁ, ୮ଟି ବିଲ୍ଡିଂ ସମେତ ଓବିସିସିର ୨୦ଟି ପ୍ରକଳ୍ପ ନିର୍ମାଣର ଅଗ୍ରଗତି ନେଇ ଆଲୋଚନା ହୋଇଥିଲା ।
ଏହି ବୈଠକରେ ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ୱାମିସ୍ ଭଳି ଗୁରୁତ୍ୱପୂର୍ଣ୍ଣ ଅନ୍ଲାଇନ୍ ଆପ୍ଲିକେସନ୍ର ସଦୁପଯୋଗ ସହ ବିଭିନ୍ନ ବିଭାଗ ସହ ଆବଶ୍ୟକ ସମନ୍ୱୟ ରକ୍ଷାକରି ପ୍ରକଳ୍ପ କାର୍ଯ୍ୟକୁ ଆଗେଇ ନେବା ଉପରେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଓବିସିସିର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅନୁପମ୍ ସାହା, ସ୍ୱତନ୍ତ୍ର ଶାସନ ସଚିବ ଇଂ. ଏଲ୍.କେ. ପାଢ଼ୀ, ଇଆଇସି (ସିଭିଲ୍) ଇଂ ସତ୍ୟବ୍ରତ ବେହେରା, ଇଆଇସି (ଡିଜାଇନ୍, ପ୍ଲାନିଂ, କୋଅର୍ଡିନେସନ୍) ଇଂ ସମୀର ହୋତା, ଇଆଇସି (ରୋଡସ୍) ଇଂ ଧ୍ୟାନଚାନ୍ଦ ନାୟକ, ଉପଦେଷ୍ଟା ଶ୍ରୀ ଜେ.କେ. ଦାସ, ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ ଇଂ ନାରାୟଣ ପଟେଲ, ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ମନୋଜ ମହାନନ୍ଦ, ଅର୍ଥ ପରାମର୍ଶଦାତା ଶ୍ରୀ ରତୀକାନ୍ତ ମହାପାତ୍ର, ଯୁଗ୍ମ ଶାସନ ସଚିବ ଶ୍ରୀ ଦୀପ୍ତିରଞ୍ଜନ ବେହେରାଙ୍କ ସମେତ ବିଭିନ୍ନ ଜୋନ୍ର ମୁଖ୍ୟଯନ୍ତ୍ରୀ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ଠିକା ସଂସ୍ଥାର କାର୍ଯ୍ୟନିର୍ବାହୀମାନେ ଉପସ୍ଥିତ ଥିଲେ ।

