ନୂଆଦିଲ୍ଲୀ : ଚଳିତ ବର୍ଷ ଜାତୀୟ ପଞ୍ଚାୟତ ପୁରସ୍କାର ପାଇଁ ଓଡ଼ିଶାର ୫ ଟି ପଞ୍ଚାୟତ ମନୋନୀତ ହୋଇଅଛି । ଆସନ୍ତା ଜୁନ୍ ମାସ ୩ ତାରିଖରେ ନୂଆଦିଲ୍ଲୀଠାରେ ଏହି ସବୁ ପୁରସ୍କାର ବିତରଣ କରାଯିବ ।
ଦୀନ ଦୟାଲ ଉପାଧ୍ୟାୟ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନସ୍ଥ ପୋଟଲାମପୁର ଗ୍ରାମ ପଞ୍ଚାୟତ ସୁସ୍ଥ ଗ୍ରାମପଞ୍ଚାୟତ ଭାବରେ ଦେଶରେ ଯୁଗ୍ମ ତୃତୀୟ ସ୍ଥାନ ଅଧିକାର କରିଛି । ଏହି ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ ।
ପର୍ଯ୍ୟାପ୍ତ ଜଳ ଉପଲବ୍ଧ ଗ୍ରାମପଞ୍ଚାୟତ ବର୍ଗରେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପଡୁଆ ଗ୍ରାମପଞ୍ଚାୟତ ସର୍ବଭାରତୀୟ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଅଛି । ଏହି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଅର୍ଥରାଶି ମିଳିବ ।
ସୁନ୍ଦରଗଡ ଜିଲ୍ଲା ଲାଠିକଟା ବ୍ଲକର ହାତୀବନ୍ଧା ଗ୍ରାମପଞ୍ଚାୟତ ସ୍ୱଚ୍ଛ ଓ ସବୁଜ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି । ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାରେ ପୁରସ୍କୃତ କରାଯିବ ।
ସେହିପରି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅଧୀନସ୍ଥ ମନ୍ଦାର ଗ୍ରାମପଞ୍ଚାୟତ ସାମାଜିକ ଭାବେ ସୁରକ୍ଷିତ ଓ ସାମାଜିକ ନ୍ୟାୟସଙ୍ଗତ ଗ୍ରାମପଞ୍ଚାୟତ ବର୍ଗରେ ଦେଶରେ ଯୁଗ୍ମ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି । ଏହି ପଞ୍ଚାୟତକୁ ୩୭ ଲକ୍ଷ ୫୦ ହଜାର ଟଙ୍କାର ଅର୍ଥରାଶି ମିଳିବ।
ନାନଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ପରିଷଦ ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଅଛି । ଏହି ଜିଲ୍ଲା ପରିଷଦକୁ ୩ କୋଟି ଟଙ୍କା ମିଳିବ ।

