ଭୁବନେଶ୍ୱର : ରାଜ୍ୟର ସରକାରୀ ଡାକ୍ତରଖାନାଗୁଡିକରେ ଯେତିକି ସଂଖ୍ୟକ ଡାକ୍ତର ଚିକିତ୍ସାସେବା ଯୋଗାଉଛନ୍ତି ତାହାର ଦୁଇ ଗୁଣାରୁ ଅଧିକ ଡାକ୍ତର ଘରୋଇ ଡାକ୍ତରଖାନା ଓ ଚିକିତ୍ସାଳୟରେ ସେବା ପ୍ରଦାନ କରୁଛନ୍ତି । ରାଜ୍ୟରେ ଏବେ ପାଖାପାଖି ୩୬ହଜାର ଏଲୋପାଥିକ ଡାକ୍ତର ରୋଗୀମାନଙ୍କୁ ଚିକିତ୍ସାସେବା ଯୋଗାଉଥିବା ଜଣାଯାଇଛି ।
ସରକାରୀ ଡାକ୍ତରଖାନାଗୁଡିକରେ ମଞ୍ଜୁରୀପ୍ରାପ୍ତ ଡାକ୍ତରଙ୍କ ସଂଖ୍ୟା ୧୫,୭୯୩ ହୋଇଥିବାବେଳେ ଏଥିରେ ଏବେ ୧୧ହଜାରରୁ ସାମାନ୍ୟ ଅଧିକ ଡାକ୍ତର କାର୍ଯ୍ୟରତ ରହିଛନ୍ତି । ପ୍ରାୟ ସାଢେ ୪ହଜାର ଡାକ୍ତର ପଦବୀ ଖାଲି ପଡିଛି । ଏହାକୁ ନେଇ ବିଭିନ୍ନ ସ୍ଥାନରୁ ରୋଗୀସେବାରେ ସମସ୍ୟାର ଅଭିଯୋଗ ବାରମ୍ବାର ଆସୁଛି ।
ତେବେ ସରକାରୀ ଡାକ୍ତରଖାନାର ଚିକିତ୍ସକମାନଙ୍କୁ ବାଦ୍ ଦେଲେ ରାଜ୍ୟର ଘରୋଇ ଡାକ୍ତରଖାନାଗୁଡିକରେ ୨୪ହଜାରରୁ ଅଧିକ ଡାକ୍ତର ଚିକିତ୍ସାସେବା ଯୋଗାଉଛନ୍ତି । ଏଥିରେ ଗାଁ ଗହଳ ଠାରୁ ଆରମ୍ଭକରି ସହରାଞ୍ଚଳର କର୍ପୋରେଟ ଡାକ୍ତରଖାନାମାନ ରହିଛି । ଯେହେତୁ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତର ଓଡିଶା କାଉନସିଲ୍ ଅଫ୍ ମେଡିକାଲ ରେଜିଷ୍ଟ୍ରେସନ (ଓସିଏମଆର) ନିକଟରେ ପଞ୍ଜିକୃତ ହୋଇଛନ୍ତି ସେଥିରୁ ବେସରକାରୀ ଚିକିତ୍ସାକେନ୍ଦ୍ରରେ ସେବା ଯୋଗାଉଥିବା ଡାକ୍ତରଙ୍କ ସଂଖ୍ୟା ୨୪ହଜାରରୁ ଅଧିକ ଥିବା ଜଣାଯାଇଛି ।
ସେହିଭଳି ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜରୁ ପ୍ରତିବର୍ଷ ୩୦୨୫ ଜଣ ଡାକ୍ତରୀ ଛାତ୍ର ଶିକ୍ଷା ସମାପ୍ତ କରୁଛନ୍ତି । ଏମାନେ ଓଡିଶା ଲୋକସେବା ଆୟୋଗଙ୍କ ଜରିଆରେ ଚୟନ ପ୍ରକ୍ରିୟାମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କରେ ନିଯୁକ୍ତି ପାଇଥାନ୍ତି । ତେବେ ରାଜ୍ୟରୁ ପ୍ରତିବର୍ଷ ଏତେ ସଂଖ୍ୟକ ଡାକ୍ତର ବାହାରୁଥିବାବେଳେ ସରକାରୀ ଡାକ୍ତରଖାନାରେ କାହିଁକି ଡାକ୍ତର ସଙ୍କଟ ରହୁଛି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି ।
ତେବେ ମିଳିଥିବା ସୂଚନା ଅନୁଯାୟୀ ଓଡିଶାର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ କଲେଜରୁ ଉତ୍ତୀର୍ଣ୍ଣ ଡାକ୍ତରମାନେ କର୍ପୋରେଟ ଡାକ୍ତରଖାନା ସମେତ ଅନ୍ୟାନ୍ୟ ଘରୋଇ ଡାକ୍ତରଖାନାରେ ଉଚ୍ଚ ଦରମାରେ କାର୍ଯ୍ୟ କରୁଛନ୍ତି । ଏଥିରେ ସେମାନଙ୍କର ଦୁଇଟି ଲାଭ ହେଉଛି । ଗୋଟିଏ ପଟେ ମୋଟା ଅଙ୍କର ପାରିଶ୍ରମିକ ସାଙ୍ଗକୁ ଅନ୍ୟପଟେ ରାଜ୍ୟର ଉପାନ୍ତ ଅଞ୍ଚଳକୁ ଯିବାକୁ ପଡୁନାହିଁ ।
ଉଲ୍ଲେଖନୀୟ ଯେ ରାଜ୍ୟ ସରକାରରେ ଯେଉଁ ଡାକ୍ତରମାନେ ଯୋଗ ଦେଉଛନ୍ତି ସେମାଙ୍କୁ ଚାକିରିର ଆଦ୍ୟକାଳରେ ପ୍ରାୟତଃ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୋଷ୍ଟିଂ ମିଳିଥାଏ । ଥରେ ସେଠାରେ କାର୍ଯ୍ୟରେ ଯୋଗଦେବା ପରେ ସହଜରେ ଉପକୂଳ ଅଞ୍ଚଳକୁ ଆସିବା ସମ୍ଭବପର ହୋଇନଥାଏ । ଏଥିଯୋଗୁଁ ବହୁ ସଂଖ୍ୟକ ଯୁବ ଚିକିତ୍ସକ ରାଜ୍ୟ ସରକାରଙ୍କ ଚାକିରିକୁ ମୁହଁ ମୋଡୁଛନ୍ତି ।
ଏହା ଫଳ ସ୍ୱରୂପ ସରକାରୀ ଡାକ୍ତରଖାନାଗୁଡିକରେ ଚିକିତ୍ସାସେବା ପ୍ରଭାବିତ ହେଉଥିବାବେଳେ ଲୋକେ ଘରୋଇ ଓ କର୍ପୋରେଟ ଡାକ୍ତରଖାନାକୁ ଯାଇ ବ୍ୟାପକ ଖର୍ଚ୍ଚାନ୍ତ ହେଉଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମାନକ ଅନୁଯାୟୀ ପ୍ରତି ହଜାରେ ଲୋକଙ୍କ ପାଇଁ ଜଣେ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ଓଡିଶାରେ ଏବେ ୧୨୬୫ ଜଣ ଲୋକଙ୍କ ପାଇଁ ଜଣେ ଡାକ୍ତର ରହିଛନ୍ତି । ତେବେ ଗାଁ ଗହଳରେ ଏହି ଅନୁପାତ ଢେର ଅଧିକ ରହୁଥିବାରୁ ଲୋକେ ସରକାରୀ ସ୍ୱାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । (ତଥ୍ୟ)

