ଭୁବନେଶ୍ୱର : ବର୍ତ୍ତମାନର ବିଶ୍ୱ ଆର୍ଥିକ ଅନିଶ୍ଚିତତା ଏବଂ ପ୍ରଚଳିତ ଆନ୍ତର୍ଜାତୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସରକାରୀ ଯାନବାହାନର ସଚେତନ ଏବଂ ସଂଯମୀ ବ୍ୟବହାର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଅନୁସରଣ କରି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ସମ୍ବଳ, ବିଶେଷକରି ଇନ୍ଧନ ଏବଂ ଶକ୍ତିର ସୁଚିନ୍ତିତ ଓ ପୋଷଣୀୟ ପରିଚାଳନା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।
ଅନାବଶ୍ୟକ ଇନ୍ଧନ ଖର୍ଚ୍ଚ କାଟ୍ କରିବା ଏବଂ ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଜାରି ମାର୍ଗଦର୍ଶିକା କୁହାଯାଇଛି ଯେ ସରକାରୀ ଗାଡ଼ିର ସହଭାଗୀ ବ୍ୟବହାର ବିଭାଗର ଯେଉଁ ଅଧିକାରୀମାନେ ସରକାରୀ କାର୍ଯ୍ୟ ପାଇଁ ଯାନବାହାନ ବ୍ୟବହାର କରୁଛନ୍ତି, ସେମାନଙ୍କୁ ବିଶେଷ କରି ବିଭିନ୍ନ ବୈଠକ, ସରକାରୀ ପରିଦର୍ଶନ, ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମୟରେ “ଭେହିକିଲ ପୁଲିଂ” ବା “ରାଇଡ୍ ସେୟାରିଂ” କରିବାକୁ ପରାମର୍ଶ ଓ ଉତ୍ସାହିତ କରାଯାଇଛି।
ଏହାଦ୍ୱାରା ଅନାବଶ୍ୟକ ଇନ୍ଧନ ବ୍ୟୟ ହ୍ରାସ ପାଇବା ସହ ଜାତୀୟ ଶକ୍ତି ସଂରକ୍ଷଣରେ ବଡ଼ ସହାୟତା ମିଳିବ। ଏହି ପୁଲିଂ ବ୍ୟବସ୍ଥାର ସମନ୍ବୟ ଦାୟିତ୍ଵ ବୈଠକ କିମ୍ବା କାର୍ଯ୍ୟକ୍ରମରେ ଯୋଗଦେଉଥିବା ବରିଷ୍ଠ ଅଧିକାରୀଙ୍କ ଉପରେ ନ୍ୟସ୍ତ ରହିବ।
କାର୍ଯ୍ୟାଳୟ ସମୟ ମଧ୍ୟରେ ମଧ୍ୟାହ୍ନ ଭୋଜନ କିମ୍ବା କୌଣସି ଅଣ-ଅତ୍ୟାବଶ୍ୟକ ତଥା ପରିହାରଯୋଗ୍ୟ କ୍ଷୁଦ୍ର-ଦୂରତା ବ୍ୟକ୍ତିଗତ ସୁବିଧା ପାଇଁ ସରକାରୀ ଯାନବାହାନ ବ୍ୟବହାର ନ କରିବାକୁ ସମସ୍ତ ଅଧିକାରୀଙ୍କୁ ଅନୁରୋଧ କରାଯାଇଛି।
ଅଳ୍ପ ଦୂରତା ସମୟରେ ଅଧିକାରୀମାନଙ୍କୁ ପଦଯାତ୍ରା ସହଭାଗୀ ପରିବହନ କିମ୍ବା ଅନ୍ୟାନ୍ୟ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବାକୁ ଉତ୍ସାହିତ କରାଯାଉଛି।
ଏହି ଆଦେଶ କେବଳ ସଚିବାଳୟ ମଧ୍ୟରେ ସୀମିତ ନୁହେଁ। ବିଭାଗ ଅଧୀନରେ ଥିବା ସମସ୍ତ ସଂସ୍ଥା ଯେପରିକି ଇ.ଆଇ.ସି. (ପି.ଏଚ୍.), ନିର୍ଦ୍ଦେଶକ (ପୌର ପ୍ରଶାସନ), ଡି.ଟି.ପି., ଭାଲ୍ୟୁଏସନ ଅର୍ଗାନାଇଜେସନ, ସମସ୍ତ ପୌରସଂସ୍ଥା ସମସ୍ତ ଉନ୍ନୟନ କର୍ତ୍ତୃପକ୍ଷ , ସୁଡା , ଓ.ଡବ୍ଲ୍ୟୁ.ଏସ୍.ଏସ୍.ବି. , ୟୁ.ଆଇ.ଡି.ଏଫ୍., ଓ.ଏସ୍.ଏଚ୍.ବି., କଟକ ସହରୀ ପରିବହନ ସଂସ୍ଥା, ବି.ଏମ୍.ଆର୍.ସି.ଏଲ୍., ୱାଟ୍କୋ ଓ.ୟୁ.ଏଚ୍.ଏମ୍., ଓ.ୟୁ.ଏ., ଓରିଏଟ ଏବଂ ଓରେରାକୁ ମଧ୍ୟ ଏହି ପରାମର୍ଶ ପୂର୍ଣ୍ଣ ନିଷ୍ଠାର ସହ ଅନୁପାଳନ କରିବାକୁ କୁହାଯାଇଛି। ଏହି ସମସ୍ତ ସଂସ୍ଥା ନିଜ ନିଜ କାର୍ଯ୍ୟାଳୟରେ ଇନ୍ଧନ ସଂରକ୍ଷଣ ଓ ସମ୍ବଳର ମିତବ୍ୟୟୀ ତଥା ସର୍ବୋତ୍ତମ ବ୍ୟବହାର ପାଇଁ ସମାନ ପଦକ୍ଷେପ ଗ୍ରହଣ କରିବେ।
ଏହି ସାମୂହିକ ଓ ସଚେତନ ପ୍ରୟାସ ମାଧ୍ୟମରେ ଉଚ୍ଚ ପ୍ରଶାସନିକ ଶୃଙ୍ଖଳା ପ୍ରଦର୍ଶନ କରିବା ସହ ବର୍ତ୍ତମାନର ବିଶ୍ୱ ଆର୍ଥିକ ଓ ଶକ୍ତି-ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକର ସଫଳ ମୁକାବିଲାରେ ରାଷ୍ଟ୍ରକୁ ସହାୟତା କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ , ଶ୍ରୀମତୀ ପାଢୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସକ୍ରିୟ ସହଯୋଗ କାମନା କରିଛନ୍ତି।

