ଭୁବନେଶ୍ୱର : ବିଶ୍ୱସ୍ତରରେ ଦେଖା ଦେଇଥିବା ଇନ୍ଧନ ସଙ୍କଟର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଜ ନିଜ କାରକେଡ୍ ଗାଡି ସଂଖ୍ୟା ହ୍ରାସ କରିଥିବାବେଳେ ଏବେ ଇଭିଯାନ ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । ରାଜ୍ୟ ସରକାର ମଧ୍ୟ ଲୋକଙ୍କୁ ଇଭି ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି । ହେଲେ ଇଭିଯାନ ଖରିଦ ପାଇଁ ରାଜ୍ୟରେ ପାଖପାଖି ୫ବର୍ଷ ହେଲା ସବସିଡ୍ ଓ ପ୍ରୋତ୍ସାହନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ରାଜ୍ୟ ସରକାରଙ୍କର ଅଧିକାଂଶ ବିଭାଗ ନିଜେ ଇଭି ଯାନ ଖରିଦ କରିନାହାନ୍ତି କିମ୍ବା ଭଡାରେ ମଧ୍ୟ ଇଭି ଯାନ ଆଣିନାହାନ୍ତି । ଏଥିଯୋଗୁଁ ସାଧାରଣ ଲୋକଙ୍କ ଭିତରେ ଇଭି ପ୍ରତି ଯେଭଳି ବିଶ୍ୱାସ ସୃଷ୍ଟିହେବାକଥା ତାହା ହୋଇପାରି ନାହିଁ ।
ରାଜ୍ୟ ସରକାରଙ୍କର ମନ୍ତ୍ରୀ ଓ ଅଫିସରଙ୍କ ସହିତ ଜିଲ୍ଲା ସ୍ତରର ଅଧିକାରୀମାନେ ବ୍ୟବହାର କରୁଥିବା ଯାନଗୁଡିକ ପ୍ରାୟତଃ ଡିଜେଲ କିମ୍ବା ପ୍ରେଟ୍ରୋଲ ଚାଳିତ । ପରିବହନ, ଜଙ୍ଗଲ ଓ ପରିବେଶ, ଓଡିଶା ପ୍ରଦୂଷଣ ନିନ୍ତ୍ରଣ ବୋର୍ଡ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗରେ ହାତଗଣତି କେତୋଟି ଇଭି ଯାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ସରକାରୀଯାନ ପ୍ରାୟତଃ ଜୀବାସ୍ମ ଇନ୍ଧନ ଯଥା ଡିଜେଲ ଓ ପ୍ରେଟ୍ରୋଲ ଦ୍ୱାରା ଚାଳିତ । ଦୀର୍ଘଦିନରୁ ସରକାରୀ ସ୍ତରରେ ଇଭି ଯାନ ବ୍ୟବହାର ସପକ୍ଷରେ ମତପ୍ରକାଶ ପାଉଥିଲେ ମଧ୍ୟ ନିଷ୍ପତ୍ତି ହୋଇପାରୁ ନାହିଁ ।
ଅନ୍ୟ ପକ୍ଷରେ ସଚିବାଳୟ ନିକଟରେ ଥିବା ରାଜଭବନରେ ସମସ୍ତ ଯାନ ଇଭିକୁ ରୂପାନ୍ତରିତ ହୋଇଛି । ରାଜ୍ୟପାଳ ନିଜେ ଇଭିଯାନ ବ୍ୟବହାର ସହିତ ରାଜଭବନର କର୍ମଚାରୀମାନେ ମଧ୍ୟ ଚାରି ଚକିଆ ଓ ଦୁଇ ଚକିଆ ଇଭିଯାନ ବ୍ୟବହାର କରୁଛନ୍ତି । ରାଜ୍ୟପାଳ ମଧ୍ୟ ଏ ସଂକ୍ରାନ୍ତରେ ଗଣମାଧ୍ୟମକୁ ସୂଚନା ଦେବା ସହିତ ଲୋକେ ଅଧିକରୁ ଅଧିକ ଇଭି ବ୍ୟବହାର ପାଇଁ ଆହ୍ୱାନ ଦେଇଥିଲେ ।
ରାଜ୍ୟ ସରକାର ମଧ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ଇଭିଯାନ ଖରିଦ ଲାଗି ସୁଧ ଛାଡ ସହିତ ଅଗ୍ରୀମ ଅର୍ଥ ପ୍ରଦାନ ବ୍ୟବସ୍ଥା କରିଥିଲେ । ଯଦିଓ ଏହି ଯୋଜନାରୁ କେତେକ ସରକାରୀ କର୍ମଚାରୀ ଲାଭ ଉଠାଇଛନ୍ତି କିନ୍ତୁ ସରକାରୀ ସ୍ତରରେ ଇଭି ବ୍ୟବହାର ନହେବା ଯୋଗୁଁ କମ୍ ସଂଖ୍ୟକ କର୍ମଚାରୀ ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଇତି ମଧ୍ୟରେ ରାଜ୍ୟ ସରକାର ଏହି ସୁଧ ଛାଡ ପ୍ରୋତ୍ସାହନ ଯୋଜନାରେ ପୂର୍ଣ୍ଣଛେଦ ପକାଇଛନ୍ତି ।
ସେହିଭଳି ସରକାରୀ ସ୍ତରରେ ଅଧିକ ସଂଖ୍ୟାରେ ଇଭି ଯାନ ବ୍ୟବହାର ହେବା ଫଳରେ ରାଜ୍ୟରେ ଆବଶ୍ୟକ ସଂଖ୍ୟକ ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ହୋଇପାରି ନାହିଁ । ରାଜଧାନୀରେ ଯଦିଓ କେତେକ ସ୍ଥାନରେ ଚାର୍ଜିଂ ଷ୍ଟେସନ ରହିଛି କିନ୍ତୁ ସହର ବାହାରେ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ ନଥିବା ଯୋଗୁଁ ସାଧାରଣ ଲୋକେ ନିଜର ଦୁଇ ଓ ଚାରି ଚକିଆ ଯାନ ଦୂରସ୍ଥାନକୁ ନେଇ ଯିବାପାଇଁ ଭୟ କରୁଛନ୍ତି ।
ବର୍ତ୍ତମାନ ଇନ୍ଧନ ବ୍ୟବହାର କମ୍ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେବାପରେ ରାଜ୍ୟର କେତେକ ସ୍ଥାନରେ ତେଲ ଟାଙ୍କିଗୁଡିକରେ ତେଲ ମିଳୁନଥିବାର ଅଭିଯୋଗମାନ ଆସିବାରେ ଲାଗିଛି । ଏଭଳି ସ୍ଥିତିରେ ସାଧାରଣ ଲୋକେ ଇଭି ଯାନ ମୁହାଁ ହେବାରେ ଲାଗିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବର୍ତ୍ତମାନ ଇଭି ଯାନ କ୍ରେତାଙ୍କୁ କିଲୋୱାଟ ପିଛା ପ୍ରୋତ୍ସାହନ ରାଶି ଦେବା ସହିତ ପଞ୍ଜିକରଣ ଓ ସଡକ ଟିକସ ଛାଡ ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଇନ୍ଧନ ବଞ୍ଚାଇବାପାଇଁ ସରକାରୀ ବିଭାଗଗୁଡିକ ନିଜ ନିଜ ଯାନ ତାଲିକାରେ କେବେ ସୁଦ୍ଧା ଇଭି ସାମିଲ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)

