ଭୁବନେଶ୍ୱର : ଚଳିତ ମଇ ମାସ ୫ରୁ ୭ ତାରିଖ ମଧ୍ୟରେ ଗୁଜରାଟର ଅହମ୍ମଦାବାଦ, ମୁନ୍ଦ୍ରା ଓ ଭଦୋଦରା ଠାରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ’ର ଫଳାଫଳ ଆକଳନ ଆଧାରରେ ନିବେଶକମାନଙ୍କୁ ରାଜ୍ୟରେ ଶିଳ୍ପ ଏବଂ ବିଭିନ୍ନ କ୍ଷେତ୍ରରେ ସୁବିଧାରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ଅନୁକୂଳ ସୁବିଧା ସୁଯୋଗ ଯୋଗାଇ ଦେବା ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏକ ସମୀକ୍ଷା ବୈଠକରେ ଆଲୋଚନା କରି ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଥିଲେ ।
ଗତକାଲି ସୋମବାର ଲୋକସେବା ଭବନରେଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ରାଜ୍ୟ ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମାଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମଖ ଶାସନ ସଚିବ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ, ପରିଚାଳନା ନିର୍ଦ୍ଦେଶକ,ଇଡକୋ, ନିର୍ଦ୍ଦେଶକ, ବୟନ ଓ ହସ୍ତଶିଳ୍ପ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ଏବଂ ଇପିକଲର ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ସୂଚନା ଯୋଗ୍ୟଯେ, ଗୁଜରାଟ ନିବେଶକ ସମ୍ମିଳନୀ ଏବଂ ରୋଡ୍ ଶୋ’ ଯୋଗୁଁ ରାଜ୍ୟରେ ଶିଳ୍ପାୟନ କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇଛି, ଯେଉଁଥିରେ ୭୧ ଟି ପ୍ରକଳ୍ପ ପ୍ରସ୍ତାବ ୪୮,୩୩୦ କୋଟି ଟଙ୍କା ଏବଂ ୬୭,୮୩୮ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରହିଛି, ଯେଉଁଥିରେ ୧୧,୩୦୦ କୋଟି ଟଙ୍କା ମୂଲ୍ୟର ୮ ଟି ଏମଓୟୁ ଏବଂ ୩୭,୦୩୦ କୋଟି ଟଙ୍କା ମୂଲ୍ୟର ୬୩ ଟି ନିବେଶ ଉଦ୍ଦେଶ୍ୟ ଫର୍ମ ଅନ୍ତର୍ଭୁକ୍ତ ରହିଛି । ନିବେଶକମାନଙ୍କୁ ପ୍ରକଳ୍ପ ସ୍ଥାପନ ପାଇଁ ରୋଡ୍ ମ୍ୟାପ ସଂପର୍କରେ ଇପିକଲ ଏବଂ ଇଡକୋ କର୍ତ୍ତୃପକ୍ଷଙ୍କ ସହିତ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରସ୍ତାବ ଗ୍ରହଣ ପରେ ରାଜ୍ୟ ସରକାରଙ୍କ ତରଫରୁ ରହିଥିବା ସିଙ୍ଗଲଓ୍ୱିଣ୍ଡୋ ବ୍ୟବସ୍ଥାରେ ନିର୍ଦ୍ଧାରିତ ସମୟ ଭିତରେପ୍ରକଳ୍ପଗୁଡିକୁଅନୁମୋଦନ କରାଯିବା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା ।
ଧାମରା ଅଂଚଳରେ ବନ୍ଦରଭିତ୍ତିକ ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ବିକାଶ ପାଇଁପ୍ରସ୍ତାବିତ ନିବେଶ ପାଇଁ ନିବେଶକମାନଙ୍କୁ ସୁବିଧା ଓ ବ୍ୟବସ୍ଥା ଅନୁଧ୍ୟାନ କରାଯିବାକୁ ଆଲୋଚନା କରାଯାଇଥିଲା । ଲ୍ୟାବ-ଗ୍ରୋନ୍ ଡାୟମଣ୍ଡ କ୍ଷେତ୍ରର ଗତିକୁ ଦୃଷ୍ଟିରେ ରଖି, ଏ ସଂପର୍କରେ ଗ୍ରହଣ କରାଯାଇଥିବା ବୁଝାମଣା ପତ୍ର ବା ଆବେଦନ ପାଇଁ ସ୍ଥାନ ନିରୂପଣ ଓ ଜମି ସୁବିଧା ପାଇଁ ତ୍ୱରିତ ବ୍ୟବସ୍ଥା ଗ୍ରହଣ କରାଯିବ । ଏଥିରେ ପ୍ରମୁଖ ଲ୍ୟାବ-ଗ୍ରୋନ୍ ଡାୟମଣ୍ଡ ସହ ଏବଂ ଅନ୍ୟାନ୍ୟ ସହାୟକ କ୍ଷେତ୍ରକୁ ମଧ୍ୟ ଅଗ୍ରାଧିକାର ଦିଆଯିବା ସଂପର୍କରେ ଆଲୋଚନା ହୋଇଥିଲା ।ଏଥି ସହିତ ଅନ୍ୟ ପ୍ରସ୍ତାବିତ କ୍ଷେତ୍ର ଓ ପ୍ରକଳ୍ପ କାର୍ଯ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରି ମୁଖ୍ୟ ଶାସନ ସଚିବ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ ।

