Home Education ବିଏଡ୍‍ ପାଠ୍ୟକ୍ରମରେ ଆଉ୧୫୦୦ ଆସନ

ବିଏଡ୍‍ ପାଠ୍ୟକ୍ରମରେ ଆଉ୧୫୦୦ ଆସନ

ଭୁବନେଶ୍ୱର : ବିଏଡ୍‍ ପାଠ ପଢିବାପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଥିବାବେଳେ ଚଳିତ ଶିକ୍ଷାବର୍ଷରୁ ରାଜ୍ୟରେ ବିଏଡ୍‍ ପାଠ୍ୟକ୍ରମରେ ଆଉ ୧୫୦୦ ଆସନ ବୃଦ୍ଧି ପାଇବ । ଅବଶ୍ୟ ଏହି ସମସ୍ତ ଆସନ ୧୫ଟି ଶିକ୍ଷାନୁଷ୍ଠାନରେ ଖୋଲାଯିବ ଏବଂ ପ୍ରତ୍ୟେକରେ ୧୦୦ ଟି କରି ଆସନ ରହିଛି ।

ରାଜ୍ୟରେ ଏବେ ବିଏଡ୍‍ ପାଠ୍ୟକ୍ରମ ପାଇଁ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧିନରେ ୧୬ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ରହିଛି । ଏଗୁଡିକରେ ୧୭୦୦ ଜଣ ଛାତ୍ରଛାତ୍ରୀ ୨ବର୍ଷିଆ ବିଏଡ୍‍ ପାଠ୍ୟକ୍ରମରେ ନାମ ଲେଖାଇ ପାରୁଛନ୍ତି । ଏଥି ସହିତ ୧୫ଟି ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଜରିଆରେ ବିଏଡ୍‍ ଶିକ୍ଷାଦାନର ବ୍ୟବସ୍ଥା ରହିଛି । ଏହି ୧୫ଟି ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ୭୫୦ଟି ଆସନ ରହିଥିବାବାବେଳେ ଏଠାରେ ମଧ୍ୟ ଛାତ୍ରଛାତ୍ରୀମାନେ ୨ବର୍ଷିଆ ବିଏଡ୍‍ ପାଠ୍ୟକ୍ରମ ପଢି ପାରୁଛନ୍ତି ।

ତେବେ ଚଳି ଶିକ୍ଷାବର୍ଷ ଠାରୁ ଜାତୀୟ ଶିକ୍ଷା ନୀତି – ୨୦୨୦ ଅନୁଯାୟୀ ଏନସିଟିଇର ଅନୁମୋଦନ କ୍ରମେ ୧୫ଟି ଶିକ୍ଷାନୁଷ୍ଠାନରେ ୧୫୦୦ ଆସନରେ ସମନ୍ୱିତ ଶିକ୍ଷଣ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଏହିସବୁ ଆସନରେ ଛାତ୍ରଛାତ୍ରୀମାନଙ୍କୁ କେତେ ପରିମାଣର ଫି ଦେବାକୁ ପଡିବ ତାହାର ସୂଚନା ହସ୍ତଗତ ହୋଇନାହିିଁ ।

ଉଲ୍ଲେଖନୀୟ ଯେ ସରକାରୀ ବିଏଡ୍‍ ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ଦୁଇ ବର୍ଷର ପାଠପଢା ପାଇଁ ଅତି ବେଶିରେ ୧୦ହଜାର ଟଙ୍କା ଫି ଆକାରରେ ଦେବାକୁ ପଡୁଥିବାବେଳେ ସେଲ୍ଫ ଫାଇନାନ୍ସି ପାଠ୍ୟକ୍ରମ ପାଇଁ ଏହା ୯୦ ହଜାର ଟଙ୍କା ପଡୁଛି । ଏହା ସତ୍ୱେ ବି ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସଂଖ୍ୟାରେ ବିଏଡ୍‍ ପାଠ ପଢିବାପାଇଁ ପ୍ରବେଶିକା ପରୀକ୍ଷା ଦେଉଛନ୍ତି ।

ଗତ ଶିକ୍ଷାବର୍ଷରେ ବିଏଡ୍‍ ପରୀକ୍ଷାରେ ବ୍ୟାପକ ବିଭ୍ରାଟ ହୋଇଥିବାବେଳେ ଏହାର ଯାଞ୍ଚ ପାଇଁ ସରକାର ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟି ତଦନ୍ତ କରି ତାହାର ରିପୋର୍ଟ ଦେଇଥିଲା ଏବଂ ପରୀକ୍ଷାଫଳ ପୁନଃ ପ୍ରକାଶିତ ହୋଇଥିଲା । ହେଲେ ଏହି ରିପୋର୍ଟ ଆଧାରରେ କାହା ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ତାହା ବିଏଡ୍‍ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ କିମ୍ବା ଅଭିଭାବକ କେହିହେଲେ କିଛି ଜାଣି ପାରିଲେ ନାହିଁ । ପରୀକ୍ଷାଫଳ ପ୍ରକାଶନରେ ବ୍ୟାପକ ଅର୍ଥ କାରବାରର ଭଳି ଗୁରୁତର ଅଭିଯୋଗ ଆସିଥିଲା ।

ସବୁଠାରୁ ବଡ୍‍ କଥା ହେଲା ବିଏଡ୍‍ ପ୍ରବେଶିକା ପରୀକ୍ଷାଫଳ ପ୍ରକାଶ ପାଇବା ସମୟରେ ସର୍ବୋଚ୍ଚ କେତେକ ପ୍ରତିଶତ ନମ୍ବର ରଖି ଛାତ୍ରଛାତ୍ରୀମାନେ ଉତ୍ତୀର୍ଣର୍ ହେଉଛନ୍ତି ଏବଂ କେଉଁ ବିଏଡ୍‍ ଶିକ୍ଷାନୁଷ୍ଠାନରେ କେତେ ପ୍ରତିଶତ କଟ୍‍ ଅଫ୍‍ ମାର୍କ ଯାଉଛି ତାହା ଅନଲାଇନ୍‍ ଜରିଆରେ ସାର୍ବଜନୀନ କରାଯାଉ ନାହିଁ । ତେଣୁ ଯୁକ୍ତ ଦୁଇ ଓ ତିନି ଶ୍ରେଣୀରେ ଫଳ ପ୍ରକାଶ ଓ ନାମଲେଖା ସମୟରେ ଯେଭଳି ସ୍ୱଚ୍ଛତା ବଜାୟ ରହୁଛି ବିଏଡ୍‍ ପରୀକ୍ଷାଫଳ ପ୍ରକାଶ ଓ ନାମଲେଖା କ୍ଷେତ୍ରରେ ତାହା ହେଉନାହିଁ । ଚଳିତବର୍ଷ ଶିକ୍ଷାବର୍ଷ ପାଇଁ ମଇ ୩୦ ତାରିଖରେ ବିଏଡ୍‍ ପ୍ରବେଶିକା ପରୀକ୍ଷା ହେବାକୁ ଯାଉଥିବାବେଳେ ଚଳିତବର୍ଷ ଯେଭଳି ପରୀକ୍ଷା ଆୟୋଜନ ଓ ଫଳ ପ୍ରକାଶନରେ ସ୍ୱଚ୍ଛତା ବଜାୟ ରୁହେ ତାହା ଉପରେ ଗୁରୁତ୍ୱ ଦେବାକୁ ଅଭିଭାବକମାନେ ମତ ଦେଉଛନ୍ତି । (ତଥ୍ୟ)