ଭୁବନେଶ୍ୱର : ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର ଜାତୀୟ ସ୍ତରଠାରୁ ଢେର ପଛରେ ରହିଛି । ଏଭଳି ସମ୍ବେଦନଶୀଳ ମାମଲାରେ ସାରା ଦେଶରେ ଦଣ୍ଡବିଧାନ ହାର ୩୩.୯ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ମାତ୍ର ୧୧ ପ୍ରତିଶତରେ ସୀମିତ ରହିଛି । ଏଭଳି ସମ୍ବେଦନଶୀଳ ମାମଲାର ଫଇସଲା ହାର ବି ରାଜ୍ୟରେ ୮ ପ୍ରତିଶତ ହେଉନଥିବାରୁ ୯୨ ପ୍ରତିଶତରୁ ଅଧିକ ମାମଲା ପରବର୍ତ୍ତୀ ବର୍ଷକୁ ବକେୟା ଭାବେ ଗଡୁଛି ।
କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟର ସଦ୍ୟ ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ ରିପୋର୍ଟ ବିଶ୍ଳେଷଣରୁ ଏହି ତଥ୍ୟ ମିଳୁଛି । ମୋଟାମୋଟି ଭାବେ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧିକ ମାମଲା ଫଇସଲା ହାର ଓଡ଼ିଶାରେ ଧିମା ରହିଥିବାବେଳେ ଦଣ୍ଡବିଧାନ ହାର ବି ନୈରାଶ୍ୟଜନକ ।
୨୦୨୩ ଶେଷ ସୁଦ୍ଧା ସାରା ଦେଶରେ ଏହି କିସମର ୫,୯୬,୦୯୭ ମାମଲା ବିଚାର ପାଇଁ ଥିôବାବେଳେ ୨୦୨୪ ଶେଷ ସୁଦ୍ଧା ଏହି ସଂଖ୍ୟା ୬,୪୪,୮୮୭କୁ ବୃଦ୍ଧି ପାଇଛି । ମୋଟାମୋଟି ଭାବେ ଶିଶୁମାନଙ୍କ ବିରୋଧରେ ହୋଇଥିବା ବିଭିନ୍ନ ଅପରାଧ ସଂକ୍ରାନ୍ତୀୟ ମାମଲାରୁ ୭,୦୭,୫୨୩ଟି ୨୦୨୪ ବର୍ଷରେ ବିଚାର ପାଇଁ ଥିଲା । ଏଥିରୁ ବିନା ବିଚାରରେ ୨୨୦୧ଟି ମାମଲାର ପରିସମାପ୍ତି ଘଟିଥିôବାବେଳେ ମାତ୍ର ୨୦,୫୧୩ଟିରେ ଦଣ୍ଡବିଧାନ ହୋଇଥିଲା ଓ ୩୭,୪୩୩ଟିରେ ଅଭିଯୁକ୍ତ ଖଲାସ ହୋଇଯାଇଥିଲେ । ମୋଟାମୋଟି ଭାବେ ୨୦୨୪ ବର୍ଷରେ ଶିଶୁମାନଙ୍କ ପ୍ରତି ଘଟିଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରେ ଦଣ୍ଡବିଧାନ ହାର ୩୩.୯ ପ୍ରତିଶତ ଥିବାବେଳେ ଫଇସଲା ହୋଇଥିଲା ମାତ୍ର ୮.୯ ପ୍ରତିଶତ ।
ଓଡ଼ିଶାରେ ଶିଶୁଙ୍କ ପ୍ରତି ଅପରାଧ ବର୍ଷକୁ ବର୍ଷ ବଢ଼ୁଛି । ୨୦୨୩ ଶେଷ ବେଳକୁ ଏ ସଂକ୍ରାନ୍ତୀୟ ୨୨,୪୫୫ଟି ମାମଲା ବିଚାର ପାଇଁ ରହିଥିବାବେଳେ ୨୦୨୪ ଶେଷ ବେଳକୁ ଏହି ସଂଖ୍ୟା ୨୩,୫୧୬ ରହିଥିଲା । ଏଠାରେ ଉଲ୍ଲେଖନୀୟ ଯେ ୨୦୨୪ ବର୍ଷରେ ଏ ସଂକ୍ରାନ୍ତୀୟ ୨୫,୫୧୯ଟି ମାମଲା ବିଚାର ପାଇଁ ପ୍ରସ୍ତୁତ ଥିବାବେଳେ ସେଥିରୁ ୧୧ଟି ବିନା ବିଚାରରେ ଫଇସଲା ହୋଇଯାଇଥିଲା । ୨୦୨୪ ବର୍ଷରେ ଏଥିରୁ ମାତ୍ର ୧୯୯୨ଟି ମାମଲାର ବିଚାର ଶେଷ ହୋଇଥିଲା । ସେଥିମଧ୍ୟରୁ ୨୨୦ଟିରେ ଅଭିଯୁକ୍ତକୁ ଦଣ୍ଡବିଧାନ କରାଯାଇଥିବାବେଳେ ୧୭୭୨ଟିରେ ଆସାମୀମାନେ ଦୋଷମୁକ୍ତ ହୋଇଥିଲେ । ମୋଟାମୋଟି ଭାବେ ଉକ୍ତ ବର୍ଷରେ ଶିଶୁଙ୍କ ପ୍ରତି ଅପରାଧିକ ମାମଲାରେ ମାତ୍ର ୧୧ ପ୍ରତିଶତରେ ଦଣ୍ଡବିଧାନ କରାଯାଇଥିôବାବେଳେ ଫଇସଲା ମାମଲା ହାର ଥିଲା ମାତ୍ର ୭.୮ ପ୍ରତିଶତ । ଅର୍ଥାତ୍ ଏହି କିସମର ୯୨.୨ ପ୍ରତିଶତ ମାମଲା ଫଇସଲା ହୋଇନପାରି ବକେୟା ମାମଲା ଭାବେ ପରବର୍ତ୍ତୀ ବର୍ଷକୁ ଗଡ଼ିଥିଲା ।
ଏଭଳି ସମ୍ବେଦନଶୀଳ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ୧୧ ପ୍ରତିଶତରେ ସୀମିତ ଥିôବାବେଳେ ଏଭଳି ମାମଲାରେ ମିଜୋରାମ୍ରେ ଦଣ୍ଡବିଧାନ ହାର ୮୭.୩, ଅରୁଣାଚଳ ପ୍ରଦେଶରେ ୫୨.୪, ବିହାରରେ ୫୨.୭, ଝାଡ଼ଖଣ୍ଡରେ ୩୯.୮, କେରଳରେ ୩୪, ମଧ୍ୟପ୍ରଦେଶରେ ୩୯.୩, ରାଜସ୍ତାନରେ ୩୯.୯, ତେଲେଙ୍ଗାନାରେ ୩୮.୧, ଉତ୍ତରପ୍ରଦେଶରେ ୬୬.୫ ଓ ଉତ୍ତରାଖଣ୍ଡରେ ୪୮.୧ ପ୍ରତିଶତ ରହିଛି । ତେବେ ଶିଶୁଙ୍କ ପ୍ରତି ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ ଓ ଗୋଆ ଆଦି ରାଜ୍ୟରେ ଓଡ଼ିଶାଠାରୁ ବି ଢେର କମ୍ ରହିଛି । (ତଥ୍ୟ)

