Home Judiciary ଖୋର୍ଦ୍ଧା ଘଟଣାରେ ରାଜ୍ୟସାରା ଛନକା

ଖୋର୍ଦ୍ଧା ଘଟଣାରେ ରାଜ୍ୟସାରା ଛନକା

ଭୁବନେଶ୍ୱର : ଖୋର୍ଦ୍ଧା ତହସିଲଦାରଙ୍କୁ ଆଣି ଜିଲ୍ଲା ଏସ୍‍ପି ସଶରୀରରେ ଅଦାଲତରେ ହାଜର କରିବା ପାଇଁ ହାଇକୋର୍ଟ କଡ଼ା ନିର୍ଦ୍ଦେଶ ଦେବା ପରେ ଏବେ ରାଜ୍ୟର ବିଭିନ୍ନ ତହସିଲରେ ତତ୍ପରତା ପ୍ରକାଶ ପାଇଛି । ବିଶେଷକରି ଜମିଜମା ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହାଇକୋର୍ଟ ପୂର୍ବରୁ ଦେଇଥିବା ନିର୍ଦ୍ଦେଶମାନ ଅନେକ ତହସିଲଦାର କାର୍ଯ୍ୟକାରୀ ନକରି ପକାଇ ରଖିଥିବା ପରିପ୍ରେକ୍ଷୀରେ ଏହି ଘଟଣା ସେମାନଙ୍କ ପାଇଁ ସତର୍କ ଘଣ୍ଟି ହୋଇଛି ।

ଏଠାରେ ଉଲ୍ଲେଖନୀୟ ଯେ ଏକ ନିର୍ଦ୍ଦିଷ୍ଟ ଘଟଣାରେ ଖୋର୍ଦ୍ଧା ତହସିଲଦାର ସତ୍ୟପାଠ ଦାଖଲ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏହି ବ୍ୟାପାରରେ ତହସିଲଦାରଙ୍କଠାରୁ ସହଯୋଗ ମିଳିନଥିଲା । ଏମିତିକି ମାମଲା ପରିଚାଳନା କରୁଥିବା ସରକାରୀ ପ୍ୟାନେଲ୍‍ର ଓକିଲ ସଂପୃକ୍ତ ତହସିଲଦାରଙ୍କୁ ଯୋଗାଯୋଗ କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନଥିଲେ । ଏହା ଜାଣିବା ପରେ ଅଦାଲତ ଖୋର୍ଦ୍ଧା ଏସ୍‍ପିଙ୍କୁ ନିର୍ଦ୍ଦେଶ ଦେଇ ସଂପୃକ୍ତ ତହସିଲଦାରଙ୍କୁ କୋର୍ଟରେ ହାଜର କରିବା ପାଇଁ କହିଛନ୍ତି ।

ବହୁ ମାମଲାରେ ସରକାରୀ ଅଧିକାରୀମାନେ ଠିକଣା ସମୟରେ କୋର୍ଟରେ ଉତ୍ତର ଦାଖଲ ନକରିବା ଏବଂ ବିଚାର ପାଇଁ ମଗା ଯାଉଥିବା ଅନ୍ୟାନ୍ୟ ତଥ୍ୟ ପ୍ରଦାନରେ ବିଳମ୍ବ କରୁଥିବା କାରଣରୁ ମାମଲା ଫଇସଲା କ୍ଷେତ୍ରରେ ତାରିଖ ଗଡୁଛି । ଏଥିରେ ରାଜକୋଷର ସମୟ, ଶକ୍ତି ଓ ସମ୍ବଳ ନଷ୍ଟ ହେବା ସହିତ ଅଦାଲତଙ୍କର ମୂଲ୍ୟବାନ ସମୟ ବି ବରବାଦ ହେଉଛି । ଅବଶ୍ୟ କେତେକ କ୍ଷେତ୍ରରେ ଦାୟିତ୍ୱସଂପନ୍ନ ଅଧିକାରୀମାନେ ତୁରନ୍ତ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରୁଛନ୍ତି ।

ଜମିଜମା ସଂକ୍ରାନ୍ତୀୟ ଅନେକ ମାମଲାରେ ହାଇକୋର୍ଟ ନିର୍ଦ୍ଧାରିତ ସମୟସୀମା ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲ୍ଲା ପ୍ରଶାସନ, ଉପ ଜିଲ୍ଲାପାଳ, ତହସିଲଦାର ଆଦିଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । ତେବେ ବିଭିନ୍ନ ଆଳ ଦେଖାଇ ରାଜସ୍ୱ ବିଭାଗର କେତେକ କ୍ଷେତ୍ର ଅଧିକାରୀ ନିର୍ଦ୍ଧାରିତ ସମୟସୀମା ଭିତରେ ଅଦାଲତଙ୍କ ରାୟର ଅନୁପାଳନ କରୁନାହାନ୍ତି କିମ୍ବା ଅନୁପାଳନ ରିପୋର୍ଟ ମଧ୍ୟ ଦାଖଲ ହେଉନାହିଁ । ଏମିତିକି ବହୁ କ୍ଷେତ୍ରରେ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଏହାର ତଦନ୍ତ ନିମୟିତ ବ୍ୟବଧାନରେ କରୁନାହାନ୍ତି । ଫଳରେ ଜମିବାଡ଼ି ସଂକ୍ରାନ୍ତୀୟ ମାମଲାରେ ଛନ୍ଦି ହେଉଥିବା ଲୋକେ ବର୍ଷବର୍ଷ ଧରି ଆଇନ୍‍ ଅଦାଲତକୁ ଦୌଡୁଛନ୍ତି ।

ନିକଟରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ତହସିଲର ଏଭଳି କେତେକ ଘଟଣା ଗଣମାଧ୍ୟମରେ ପ୍ରଚାରିତ ହୋଇଛି । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକଦା ଆନନ୍ଦପୁର କଲେଜ୍‍ର ଛାତ୍ର ଥିଲେ । ସେହି କଲେଜ୍‍ର ଜଣେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରାୟ ୨୦ବର୍ଷ ଧରି ତାଙ୍କ ପିତୃପୁରୁଷର ଭିଟାମାଟି ସୁରକ୍ଷା ଲାଗି ଦୌଡ଼ିଦୌଡ଼ି ହତାଶ ହୋଇଗଲେଣି । ଏହି ଅବସରପ୍ରାପ୍ତ ଅଧ୍ୟାପକ ଜଣକ ହୃଦରୋଗରେ ପୀଡ଼ିତ ଏବଂ ତାଙ୍କର ବୟସ ୮୦ ପାଖାପାଖି ହେଲାଣି । ତାଙ୍କ ଭିଟାମାଟି ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ଏ ସଂକ୍ରାନ୍ତରେ ତ୍ୱରିତ ପଦକ୍ଷେପ ନେବାକୁ ଓଡ଼ିଶା ହାଇକୋର୍ଟ ରାଜସ୍ୱ ବିଭାଗର କ୍ଷେତ୍ର ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜଣକ ପରେ ଜଣେ ତହସିଲଦାର ବଦଳି ଯାଉଥିଲେ ମଧ୍ୟ ଏହି ମାମଲାରେ କେହି ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରୁନାହାନ୍ତି ।

ରାଜସ୍ୱ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଯେଉଁ ତହସିଲଦାରମାନେ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛନ୍ତି ଏବଂ ନିଜ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରୁନାହାନ୍ତି ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଆବଶ୍ୟକତ ସ୍ଥଳେ ଦଣ୍ଡବିଧାନ କରାଯିବ । ଏହି ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।(ତଥ୍ୟ)