Home Finance ଇଭି ପ୍ରତି ସରକାରୀ କର୍ମଚାରୀ ଅନାଗ୍ରହୀ

ଇଭି ପ୍ରତି ସରକାରୀ କର୍ମଚାରୀ ଅନାଗ୍ରହୀ

ଭୁବନେଶ୍ୱର : ବୈଦ୍ୟୁତିକ ଯାନ କିଣିବାକୁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କୁ ସୁଧ ମୁକ୍ତ ଅଗ୍ରିମ ଦେୟ ବ୍ୟବସ୍ଥା ପ୍ରଚଳନ ସହିତ ତାହାର ଅବଧି ସମାପ୍ତ କରିଥିବାବେଳେ ସରକାରୀ କର୍ମଚାରୀମାନେ କିନ୍ତୁ ଇଭି ଖରିଦ ପାଇଁ ସେଭଳି ଆଗ୍ରହ ଦେଖାଇ ନାହାନ୍ତି । ଖୋଦ୍‍ ରାଜ୍ୟ ସରକାର ନିଜ ନିଜ ବିଭାଗ ପାଇଁ ଇଭି ଖରିଦ କରୁନଥିବାରୁ କର୍ମଚାରୀମାନେ ଏଥିପ୍ରତି ଆଗ୍ରହ ପ୍ରକାଶ କରିନଥିବା ଜଣାଯାଇଛି ।

୨୦୨୧ର ଇଭି ନୀତିରେ ବୈଦ୍ୟୁତିକ ଯାନ ଖରିଦ କରିବାପାଇଁ ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ସୁଧମୁକ୍ତ ଅଗ୍ରିମ ବ୍ୟବସ୍ଥା କରିଥିଲେ । ପ୍ରଥମେ ଏହା ୨୦୨୫ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା । ପରବର୍ତ୍ତୀ ସମୟରେ ଏହାକୁ ୨୦୨୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଇତି ମଧ୍ୟରେ ସରକାର ଏହି ରିହାତି ଯୋଜନାକୁ ଚଳିତବର୍ଷ ଅପ୍ରେଲ ପହିଲାରୁ ବନ୍ଦ କରିଥିବା ନେଇ ଅବଗତ କରିଛନ୍ତି ।

ତେବେ ଏତେଦିନ ଧରି ଯୋଜନା କାର୍ଯ୍ୟକାରୀ ସତ୍ୱେ କର୍ମଚାରୀମାନେ ଯେଉଁ ହାରରେ ଇଭି ଖରିଦ କରିବାକଥା ତାହା କରିନାହାନ୍ତି । ହାତ ଗଣତି କେତେକ ସରକାରୀ କର୍ମଚାରୀଙ୍କୁ ବାଦ୍‍ ଦେଲେ ଏହି ସୁଧ ମୁକ୍ତ ଅଗ୍ରିମ ଯୋଜନାରୁ ଲାଭ ଉଠାଇବାକୁ ଅନେକ ଚାହିଁ ନାହାନ୍ତି । ଚାରି ଚକିଆ ତ ଦୂରରକଥା ଦୁଇ ଚକିଆ ଇଭି ବି ଖରିଦ କରିନାହାନ୍ତି । ଲୋକସେବାଭବନ ଭିତରେ ଥିବା ଯାନବାହାନକୁ ଦେଖିଲେ ଏହା ଜଳ ଜଳ ହୋଇ ଦିଶୁଛି ।

ତେବେ ଏହାର ମୁଖ୍ୟ କାରଣ ଖୋଦ୍‍ ସରକାର ବୋଲି କିଛି କର୍ମଚାରୀ ମତ ଦେଉଛନ୍ତି । ଯେହେତୁ ସରକାର ନିଜ ନିଜ ବିଭାଗ ପାଇଁ ଇଭି ଖରିଦ କଲେନାହିଁ, ତେଣୁ ସେମାନେ ବି ଏଥିପାଇଁ ଆଗେଇ ଆସିଲେ ନାହିଁ । ସେମାନଙ୍କ ମନରେ ଇଭି ଯାନ ପ୍ରତି ବିଶ୍ୱାସ ଜନ୍ମିଲା ନାହିଁ । ଯେଉଁମାନେ ଚାରିଚକିଆ ଯାନ କିଣିଲେ ସେମାନେ ମୁଖ୍ୟତଃ ପେଟ୍ରୋଲ ଓ ଡିଜେଲ ଚାଳିତ ଯାନ ଖରିଦ କରିବାକୁ ଆଗ୍ରହ ଦେଖାଇଲେ ।

ସରକାରୀ ବିଭାଗ ମଧ୍ୟରେ ଜଙ୍ଗଲ ଓ ପରିବେଶ, ପରିବହନ, ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗରେ ହାତ ଗଣତି କେତୋଟି ଇଭି ଖରିଦ ହୋଇ ଚାଲୁଛି । ଅନ୍ୟ ବିଭାଗ ଗୁଡିକ ଇଭି ବଦଳରେ ପେଟ୍ରୋଲ ଡିଜେଲ ଗାଡି ଖରିଦ କରିବାରେ ଲାଗିଛନ୍ତି । ସରକାରୀ ବିଭାଗଗୁଡିକ ଟେଣ୍ଡର ଜରିଆରେ ଯେଉଁ ଭଡାଗାଡି ଆଣୁଛନ୍ତି ସେଥିରେ ବି ଇଭି ଯାନ ସାମିଲ କରୁନାହାନ୍ତି । ଅନ୍ୟମାନଙ୍କୁ ପରିବେଶ ସୁରକ୍ଷାର ପାଠ ପଢାଇ ଇଭି ଚଢିବାକୁ ପରାମର୍ଶ ଦେଉଥିବା ସରକାର କାହିଁକି ନିଜେ ଇଭି ଯାନ କିଣୁନାହାନ୍ତି ତାହାକୁ ନେଇ ଅନେକ ସନ୍ଦେହ ପ୍ରକାଶ କରୁଛନ୍ତି ।

ତେବେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି କିନ୍ତୁ ତାଙ୍କର ସମସ୍ତ ଯାନ ଇଭିକୁ ରୂପାନ୍ତରିତ କରିଥିବାବେଳେ ଲୋକଭବନର କର୍ମଚାରୀମାନଙ୍କୁ ଦୁଇ ଚକିଆ ଇଭି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛନ୍ତି । ରାଜ୍ୟପାଳଙ୍କର ଏଭଳି ପଦକ୍ଷେପର ପ୍ରଭାବ ସରକାରୀ ବିଭାଗ ଉପରେ ନପଡିବା ଫଳରେ ସରକାରୀ କର୍ମଚାରୀମାନେ ଇଭି କିଣା ପାଇଁ ସୁଧ ରହିତ ଯୋଜନା ପ୍ରତି ଯେଭଳି ଆଗ୍ରହ ପ୍ରକାଶ କରିବାକଥା ତାହା କଲେନାହିଁ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)