Home News in Odia ମୋ ସାଇକେଲ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ

ମୋ ସାଇକେଲ ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ

ଭୁବନେଶ୍ୱର : ରାଜଧାନୀରେ ୧୦ କୋଟି ଟଙ୍କା ମୂଲ୍ୟରେ ଆରମ୍ଭ ହୋଇଥିବା ମୋ ସାଇକେଲ ପ୍ରକଳ୍ପର ଆଉ ଚିହ୍ନ ବର୍ଣ୍ଣ ନାହିଁ । ଏହା ଏବେ ସମ୍ପୂର୍ଣ୍ଣ ରୂପେ ଅଚଳ । ୨୫ହଜାର ଟଙ୍କିଆ ଏହି ସାଇକେଲକୁ ଆଉ କେଉଁଠାରେ ଦେଖିବାକୁ ମିଳୁନାହିଁ । ବ୍ୟାପକ ଅର୍ଥରେ ନିର୍ମାଣ ହୋଇଥିବା ସାଇକେଲ ଷ୍ଟାଣ୍ଡରେ ବି କୁକୁର ଶୋଇଲେଣି ।

୨୦୧୮ ମସିହାରେ ବିଶ୍ୱକପ୍‍ ହକି ସମୟରେ ବହୁ ଆଡମ୍ବରରେ ରାଜଧାନୀରେ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ପ୍ରକଳ୍ପର ମୂଲ୍ୟ ଥିଲା ୧୦ କୋଟି ଟଙ୍କା । ସାଇକେଲ ଗୋଟିକୁ ୨୫ହଜାର ଟଙ୍କା ମୂଲ୍ୟରେ ସରକାର ୨୦୦୦ ଟି ସାଇକେଲ କିଣିଥିଲେ । ସାଇକେଲରେ ଜିପିଏସ୍‍ ଟ୍ରାକିଂ ବ୍ୟବସ୍ଥା ସହିତ ବାର୍‍କୋଡ୍‍ ଲାଗିଥିଲା ।

ପ୍ରଥମେ କିଛିଦିନ ଏହା ମାଗଣାରେ ଚଢିବାର ସୁଯୋଗ ରହିଥିବାବେଳେ ପରବର୍ତ୍ତୀ ସମୟରେ ଦେୟ ପଇଠ କରି ସାଇକେଲ ଚଳାଇବାକୁ କୁହାଯାଇଥିଲା । ହକିଖେଳ ସମୟରେ ଏହାର ବେଶ୍‍ ଚାହିଦା ବି ଥିଲା । ସହରର ବିଭିନ୍ନ ସ୍ଥାନରୁ ଲୋକେ ସାଇକେଲର କଳିଙ୍ଗ ଷ୍ଟାଡିୟମକୁ ଅଧିକ ସଂଖ୍ୟାରେ ଯା ଆସ କରୁଥିଲେ । ହେଲେ ଯେବେଠାରୁ ଦେୟ ବ୍ୟବସ୍ଥା ଆରମ୍ଭ ହେଲା ସେବେଠାରୁ ଲୋକେ ଏଥିପ୍ରତି ମୁହଁ ମୋଡିଲେ ।

ରାଜ୍ୟ ସରକାର କିଣିଥିବା ୨୦୦୦ ସାଇକେଲ ମଧ୍ୟରୁ ୧୦୦୦ ଟି ସାଇକେଲ ହିରୋ ୟୁୟୋନ କମ୍ପାନୀରୁ ଖରିଦ କରିଥିବାବେଳେ ୫୦୦ ଟି ୟୁଲୁ କମ୍ପାନୀରୁ ଓ ଆଉ ୫୦୦ ଟି ଧରଣୀ ଏଣ୍ଟରପ୍ରାଇଜର୍ସରୁ କିଣିଥିଲେ । ଏହାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସାଇକେଲ ପିଛା ବର୍ଷକୁ ୫୦୦୦ ଟଙ୍କା କରି ବ୍ୟୟ କରିଛନ୍ତି । ତେବେ କିଛିଦିନ ବ୍ୟବଧାନରେ କେତେକ ସାଇକେଲ ଚୋରି ହୋଇଯିବା ଓ ଆଉ କିଛି ସାଇକେଲକୁ କବାଡିଆଙ୍କୁ ବିକ୍ରି କରିବା ନେଇ ମାମଲା ଥାନାରେ ପହଞ୍ଚିଥିଲା । ଏହାପରେ ପୁଣିଥରେ ରାଜଧାନୀରେ ମୋ ସାଇକେଲ ଚଳାଇବାକୁ ଉଦ୍ୟମ ହୋଇଥିଲା ।

କେବଳ କୋଟି କୋଟି ଟଙ୍କାର ସାଇକେଲ କିଣାହୋଇ ନଥିଲା, ଏହାକୁ ରଖିବାପାଇଁ ବ୍ୟାପକ ଅର୍ଥ ବ୍ୟୟରେ ସହରର ୩୬୩ଟି ସ୍ଥାନରେ ସାଇକେଲ ଷ୍ଟାଣ୍ଡ ନିର୍ମାଣ ହୋଇଥିଲା । ଏହିସବୁ ଷ୍ଟାଣ୍ଡଗୁଡିକ କଂକ୍ରିଟରେ ତିଆରି ହେବା ସହିତ ସାଇକେଲ ରଖିବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଇତି ମଧ୍ୟରେ ଅଧିକାଂଶ ସାଇକେଲ ଷ୍ଟାଣ୍ଡର ଚିହ୍ନବର୍ଣ୍ଣ ନଥିବାବେଳେ ଆଉ କିଛି ଷ୍ଟାଣ୍ଡରେ କୁକୁର ଶୋଉଥିବା ଦେଖିବାକୁ ମିଳୁଛି ।

ବର୍ତ୍ତମାନ ଏହି ମୂଲ୍ୟବାନ୍‍ ସାଇକେଲଗୁଡିକ ସହରରେ ଆଉ ଦୃଶ୍ୟମାନ ହେଉନଥିବାବେଳେ ଏଗୁଡିକ କୁଆଡେ ଗଲା ଓ କେଉଁଠାରେ ରହିଲା ତାହାର ଖୋଜ ଖବର ନାହିଁ । ଯେତେବେଳେ ମୋ ସାଇକେଲ ପ୍ରକଳ୍ପର ରାଜଧାନୀରେ ଫେଲ୍‍ ମାରିଲା ସେତେବେଳେ ଏହି ସାଇକେଲଗୁଡିକୁ ସ୍କୁଲ ଯାଉଥିବା ଗରିବ ପିଲାଙ୍କ ମଧ୍ୟରେ ବାଣ୍ଟିଦେବାକୁ ଦାବି ଉଠିଥିଲା । ହେଲେ ନଗର ଉନ୍ନୟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଲେ ନାହିଁ । ବର୍ତ୍ତମାନ ୧୦ କୋଟି ଟଙ୍କାର ଏହି ପ୍ରକଳ୍ପର ସ୍ଥିତି କ’ଣ ଓ ଦାମୀ ସାଇକେଲଗୁଡିକ କେଉଁଠାରେ କିଭଳି ଅବସ୍ଥାରେ ରହିଛି ତାହାର ସୂଚନା ନଥିବାବେଳେ ସରକାର କିନ୍ତୁ ସାଇକେଲଗୁଡିକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ପାର୍କ ଏପରିକି ନନ୍ଦନକାନନ ପରିସରରେ ରଖିବେ ବୋଲି କହୁଛନ୍ତି । (ତଥ୍ୟ)