ଭୁବନେଶ୍ୱର : କିଲେ ପିଆଜ ଉତ୍ପାଦନ କରିବାପାଇଁ ଚାଷୀଙ୍କ ହାରାହାରି ଖର୍ଚ୍ଚ ପ୍ରାୟ ୧୫ଟଙ୍କା ହେଉଥିବାବେଳେ ପିଆଜ ସଂଗ୍ରହ ଓ ସଂରକ୍ଷଣ ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ଚାଷୀମାନେ ଉତ୍ପାଦନ ସମୟରେ ଏବେ କିଲୋ ୭/୮ ଟଙ୍କାରେ ବେପାରୀମାନଙ୍କୁ ଯାଚି ଗୁଞ୍ଜି ପିଆଜ ଦେଉଛନ୍ତି । ତାହା ପୁଣି ନଗଦ ନୁହେଁ, ବାକିରେ ।
ଓଡିଶା ପାଇଁ ବାର୍ଷିକ ପ୍ରାୟ ୪ଲକ୍ଷ ମେଟ୍ରିକ ଟନ୍ ପିଆଜ ଆବଶ୍ୟକ ପଡୁଛି । ଏହା ସତ୍ୱେ ବି ଓଡିଶା ପିଆଜ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟବୋଲି ଦାବି କରୁଥିବାବେଳେ ଅନ୍ୟ ରାଜ୍ୟରୁ ବାର୍ଷିକ ପ୍ରାୟ ଅଢେଇ ଲକ୍ଷ ଟନ୍ ପିଆଜ ଆମଦାନୀ କରୁଛି । ବିଶେଷକରି ମହାରାଷ୍ଟ୍ରର ନାସିକ୍ ଅଞ୍ଚଳରୁ ପିଆଜ ଟ୍ରକ ନଆସିଲେ ଓଡିଶା ବଜାରରେ ପିଆଜ କିଲୋ ବେଳେବେଳେ ୪୦ଟଙ୍କା ଟପିଯାଉଛି ।
ଏବେ ପିଆଜ ଉତ୍ପାଦନ ଋତୁରେ ଚାଷୀ କିଲୋ ୭/୮ ଟଙ୍କାରେ ବିକ୍ରି କରୁଥିବାବେଳେ ଖାଉଟିମାନେ କିନ୍ତୁ ବଜାରରୁ ୨୫ ରୁ ୩୦ ଟଙ୍କା ଦରରେ କିଣୁଛନ୍ତି । ଅନ୍ୟ ପକ୍ଷରେ କେତେକ କର୍ପୋରେଟ ବ୍ୟବସାୟିକ ସଂସ୍ଥା ଏହି ପରିସ୍ଥିତିରୁ ଫାଇଦା ଉଠାଇ ସେମାନଙ୍କ ଅନ୍ୟ ସାମଗ୍ରୀ ଖାଉଟିଙ୍କ ଦୁଆର ମୁହଁରେ ପହଞ୍ଚାଇ ଦେବା ସହିତ କିଲୋ ୫ଟଙ୍କାରେ ପିଆଜ ଯୋଗାଣ କରୁଛନ୍ତି । ଏତେ ଶସ୍ତାରେ କିଭଳି ପିଆଜ ଯୋଗାଣ ହେଉଛି ଏବଂ ଯଦି କର୍ପୋରେଟ ସଂସ୍ଥାମାନେ ସେମାନଙ୍କ ବ୍ୟବସାୟ ବଢାଇବା ଲାଗି କିଲୋ ୫ଟଙ୍କାରେ ପିଆଜ ବିକି ପାରୁଛନ୍ତି ତେବେ ହାଟ ବଜାରରେ ଖାଉଟିଙ୍କୁ କାହିଁକି ପିଆଜ କିଲୋପିଛା ୨୫ ରୁ ୩୦ଟଙ୍କା ଦେବାକୁ ପଡୁଛି ତାହା ଏକ ବଡ ପ୍ରଶ୍ନବାଚୀ ।
ବିଶେଷକରି ଅବିଭକ୍ତ କୋରାପୁଟ, ଫୁଲବାଣୀ, କଳାହାଣ୍ଡି, ବଲାଙ୍ଗିର ଆଦି ଜିଲ୍ଲାରେ ପ୍ରଚୁର ପିଆଜ ଉତ୍ପାଦିତ ହେଉଛି । ଏହାଛଡା ଅନ୍ୟ ଜିଲ୍ଲାମାନଙ୍କରେ ବି ପିଆଜ ଉତ୍ପାଦନ ପାଇଁ ଅନୁକୂଳ ଭିତ୍ତିଭୂମି ରହିଛି । ଗୁଣବତ୍ତା ଦୃଷ୍ଟିରୁ ଓଡିଶାରେ ଉତ୍ପାଦିତ ପିଆଜ ଉନ୍ନତମାନର ବୋଲି କୁହାଯାଉଛି । କିନ୍ତୁ ଉତ୍ପାଦନ ସମୟରେ ଚାଷୀଙ୍କ ଠାରୁ ଉପଯୁକ୍ତ ମୂଲ୍ୟ ଦେଇ ପିଆଜ କିଣିବା ଏବଂ ତାହାକୁ ସଂରକ୍ଷିତ କରି ରଖିବାଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇପାରୁନାହିଁ । ଫଳରେ ପିଆଜ ପଚିଯିବାର ଭୟ ଏବଂ ପିଆଜ ଚାଷପାଇଁ ଚାଷୀ ଆଣିଥିବା କରଜ ପରିଶୋଧ ଓ ପରବର୍ତ୍ତୀ ଚାଷ ତଥା ପରିବାରର ଗୁଜୁରାଣ ମେଣ୍ଟାଇବାପାଇଁ ଶସ୍ତାରେ ପିଆଜ ବିକିଦେବାପାଇଁ ଚାଷୀମାନେ ବାଧ୍ୟ ହେଉଛନ୍ତି ।
ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମଋତୁରେ ହେଉଥିବା କାଳବୈଶାଖୀର ବର୍ଷା ଓ କୁଆପଥର ମାଡରେ ବି ବହୁ ଚାଷୀଙ୍କର ପିଆଜ ନଷ୍ଟହୋଇ ଯାଉଛି । ସେମାନଙ୍କୁ କିଭଳି ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯାଇ ପାରିବ ସେଥିଘେନି ବିଭିନ୍ନ କୃଷକ ସଂଗଠନ ମଧ୍ୟ ଦାବି ଉଠାଉଛନ୍ତି । ମହାରାଷ୍ଟ୍ର ଭଳି ଓଡିଶାରେ ପିଆଜ ସଂରକ୍ଷଣ ଓ ବିପ୍ପଣନ ବ୍ୟବସ୍ଥା କରାଯାଇ ପାରିଲେ ଓଡିଶାରେ ଯେତିକି ପିଆଜ ଉତ୍ପାଦିତ ହେଉଛି ତାହାର ପରିମାଣ ୨/୩ ଗୁଣ ବଢିଯାଇ ପାରିବ ବୋଲି କୃଷି ବିଶେଷଜ୍ଞମାନେ କହୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ପିଆଜ ଓ ଆଳୁ ମିଶନ କେନ୍ଦ୍ର ସରକାରଙ୍କ ଉଦ୍ୟାନ କୃଷି ବିଭାଗରୁ ଓଡିଶା ପ୍ରଚୁର ସହାୟତା ପାଇଥିଲେ ମଧ୍ୟ ତାହାର ଲାଭ ଉଠାଇ ପାରିନାହିଁ । ପିଆଜ ଭଳି ଏବେ ବି ଓଡିଶାକୁ ଆଳୁ ପାଇଁ ପଶ୍ଚିମବଙ୍ଗ ଉପରେ ଅଧିକ ନିର୍ଭର କରିବାକୁ ପଡୁଛି । ଏହାଛଡା ବିଭିନ୍ନ କିସମର ପନିପରିବା, ଫଳ ଓ ଫୁଲ ପାଇଁ ମଧ୍ୟ ଓଡିଶା ବଜାର ଅନ୍ୟ ବହୁ ରାଜ୍ୟ ପାଇଁ ମୁକୁଳା ପଡିଛି । ଶିଳ୍ପ ଉପରେ ଯେତେ ଗୁରୁତ୍ୱ ଦିଆଯାଉଛି କୃଷି, ଜଳସେଚନ, ବିଦ୍ୟୁତ୍ ଯୋଗାଣ, ଶୀତଳଭଣ୍ଡାର ଆଦି ଉପରେ ସେହିଭଳି ଗୁରୁତ୍ୱ ଦିଆଗଲେ ଓଡିଶାରୁ ଅର୍ଥକରୀ କୃଷିଜାତ ସାମଗ୍ରୀର ଉତ୍ପାଦନ ବୃଦ୍ଧି ପାଇବା ସହିତ ରାଜ୍ୟ ଅର୍ଥନୀତିର ଚିତ୍ର ବଦଳି ଯାଆନ୍ତା ବୋଲି ଅର୍ଥନୀତି ବିଶେଷଜ୍ଞମାନେ ବାରମ୍ବାର ଉଲ୍ଲେଖ କରୁଛନ୍ତି । (ତଥ୍ୟ)

