Home Assembly ୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

୩୦ରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର : ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ପାଇଁ ସଂସଦରେ ଆସିଥିବା ସୀମା ପୁନଃନିର୍ଦ୍ଧାରଣ ବିଲ କାଟ ଖାଇବା ପରେ ରାଜ୍ୟ ସରକାର ଆସନ୍ତା ୩୦ ତାରିଖରେ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଭାରତୀୟ ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀ ନେଇ ସ୍ୱତନ୍ତ୍ର ଭାବେ ଗୋଟିଏ ଦିନ ସ୍ୱତନ୍ତ୍ର ଭାବେ ଆଲୋଚନା ହେବ।

ସମ୍ବିଧାନର ଧାରା ୧୭୪ ଉପଧାରା ୧ ଆଧାରରେ ରାଜ୍ୟପାଳ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହି ଅଧିବେଶନରେ ସବୁ ବିଧାୟକମାନେ ଉପସ୍ଥିତ ରହିବାକୁ ଅପିଲ କରାଯାଇଛି। ଦେଶର ମୋଟ ଜନସଂଖ୍ୟାର ୫୦ ଭାଗ ହେଉଛନ୍ତି ମହିଳା। ତେଣୁ ମହିଳାଙ୍କୁ ମଧ୍ୟ ସେମାନଙ୍କ ହାରରେ ଗଣତନ୍ତ୍ରରେ ଭାଗିଦାରୀ ମିଳିବା ଉଚିତ ବୋଲି ବିଜେପି ଦାବି କରୁଛି। ତେଣୁ ସ୍ବତନ୍ତ୍ର ଅଧିବେଶନରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ।

ମିଳୁଥିବା ସୂଚନା ଅନୁଯାୟୀ ଏହି ଦିନିକିଆ ଅଧିବେଶନରେ ଗଣତନ୍ତ୍ରରେ ମହିଳାଙ୍କ ଭାଗିଦାରୀ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ସମ୍ପର୍କିତ ନାରୀ ବନ୍ଦନ ଅଧିନିୟମକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରକୁ ସୁପାରିଶ କରାଯିବ। ଏନେଇ ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ଯୋଜନା କରିଛି ଶାସକ ଦଳ। ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ଏହି ସଙ୍କଳ୍ପ ପାରିତ କରାଇବାରେ ବିଜେପିକୁ କୌଣସି ସମସ୍ୟା ନାହିଁ।

ତେବେ ଉଭୟ କଂଗ୍ରେସ ଓ ବିଜେଡିରୁ ନିଲମ୍ବିତ ବିଧାୟକଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର। ସେପଟେ ସୀମା ପୁନଃନିର୍ଦ୍ଧାରଣ ସହ ଆସିଥିବା ମହିଳା ସଂରକ୍ଷଣ ବିଲକୁ ନେଇ ବିଜେଡି ଆପତ୍ତି ଉଠାଇଥିଲା। ତେଣୁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ବିଜେଡି କି ରଣନୀତି ଗ୍ରହଣ କରିବ ତାଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି।