Home Administration ବନ୍ଦ ହେବ ଅକାମୀ ଯୋଜନା

ବନ୍ଦ ହେବ ଅକାମୀ ଯୋଜନା

ଭୁବନେଶ୍ୱର : ସରକାର ରାଜ୍ୟରେ ପ୍ରବର୍ତ୍ତିତ ଯୋଜନାଗୁଡ଼ିକର ରୂପରେଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବା ଲକ୍ଷ୍ୟରେ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଦେଓ ରଞ୍ଜନ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଛି।

ସରକାର ସମସ୍ତ ରାଜ୍ୟ ପ୍ରବର୍ତ୍ତିତ ଯୋଜନାଗୁଡ଼ିକୁ ସେଗୁଡ଼ିକର ପ୍ରଭାବ ଆଧାରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ପ୍ରାଥମିକତା ବର୍ଗରେ ବିଭକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚ ପ୍ରାଥମିକତାପ୍ରାପ୍ତ ଯୋଜନାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ। ଏଥିସହିତ ଗତ ତିନିରୁ ଚାରି ବର୍ଷ ଧରି କୌଣସି ବଜେଟ ବରାଦ ପାଇନଥିବା କିମ୍ବା କେବଳ ନାମମାତ୍ର ବ୍ୟୟ ବରାଦ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ କରିବା ନେଇ ସରକାର ବିଚାର କରୁଛନ୍ତି।

ଯେଉଁଠାରେ ସମ୍ଭବ, ସମାନ ପ୍ରକୃତିର ଯୋଜନାଗୁଡ଼ିକୁ ଏକତ୍ର କରି ଗୋଟିଏ ଯୋଜନା ଅଧୀନକୁ ଆଣିବାକୁ କୁହାଯାଇଛି। ଏହାଛଡ଼ା, କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ସର୍ବାଧିକ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ ଏବଂ କୌଣସି ଅତିରିକ୍ତ ଆବଶ୍ୟକତା ରହିଲେ ତାହା ରାଜ୍ୟ ସରକାର ପୂରଣ କରିବେ।

ଯୋଜନାଗୁଡ଼ିକର ସଠିକ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ ‘ଅନୁସନ୍ଧାନ, ମୂଲ୍ୟାୟନ ଏବଂ ନୀରିକ୍ଷଣ’ ବାବଦରେ ପ୍ରତ୍ୟେକ ବଡ଼ ଯୋଜନାରେ କିଛି ଅର୍ଥ ବରାଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହି ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗ ସେମାନଙ୍କର ଯୋଜନାଗୁଡ଼ିକର ଚୂଡ଼ାନ୍ତ ତାଲିକା ଆସନ୍ତା ୧୫ ଦିନ ମଧ୍ୟରେ ଯୋଜନା ଓ ସମନ୍ୱୟ ବିଭାଗକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।