Home Environment ନଈକୂଳିଆ ଗାଁକୁ ପାନୀୟଜଳ ଚିନ୍ତା

ନଈକୂଳିଆ ଗାଁକୁ ପାନୀୟଜଳ ଚିନ୍ତା

ଭୁବନେଶ୍ୱର : ନଈକୂଳିଆ ଗାଁ ଲୋକଙ୍କର ଏବେ ପାନୀୟଜଳ ଚିନ୍ତା ବଢୁଛି । ଜଳ ପ୍ରଦୂଷଣ କାରଣରୁ ଜଣ୍ଡିସ ସମେତ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହେଉଥିବା କାରଣରୁ ଦୟା ଓ ଗଙ୍ଗୁଆ ଅବବାହିକାର ଲୋକମାନଙ୍କ ଏହି ସମସ୍ୟା ବର୍ଷକୁ ବର୍ଷ ବଢିବାରେ ଲାଗିଛି ।

ଗୋଟିଏ ପଟେ ଛତିଶଗଡ ପାଣି ଛାଡୁନଥିବାରୁ ଓଡିଶାର ଜୀବନରେଖା ଭାବେ ପରିଚିତ ମହାନଦୀର ଶଯ୍ୟା ବହୁ ସ୍ଥାନରେ ମରୁଭୂମିର ଭ୍ରମ ସୃଷ୍ଟିକରୁଛି । ମହାନଦୀରେ ପାଣି ନଥିବାରୁ ଏହାର ଶାଖାନଦୀଗୁଡିକ ସତ୍ତା ହରାଇବାକୁ ଯାଉଛନ୍ତି । ଅଳକା, ପ୍ରାଚୀ ଆଦି ଯେପରି ବିଲୁପ୍ତ ହେଉଛନ୍ତି ସେହିଭଳି କୁଆଖାଇ, କୁଶଭଦ୍ରା, ଦୟା, ଭାର୍ଗବୀ, ଲୁଣା, ମକରା ଆଦି ନଦୀଙ୍କ ଅବସ୍ଥା ।

ରାଜଧାନୀ ଉପକଣ୍ଠରେ ପ୍ରବାହିତ ଗଙ୍ଗୁଆ ନଦୀ ଏବେ କିଛିବର୍ଷ ହେବ ନର୍ଦ୍ଦମାରେ ପରିଣତ ହୋଇଛି । ଗୋଟିଏ ସମୟରେ ଗଙ୍ଗୁଆ ମାଛର ପ୍ରସିଦ୍ଧି ଥିଲା । ଏବେ ରାଜଧାନୀର ନର୍ଦ୍ଦମା ପାଣି ଗଙ୍ଗୁଆ ବହନ କରୁଥିବାରୁ ସେଥିରେ ମାଛ ବଂଶ ଲୋପ ପାଇଗଲାଣି । ପିପିଲି-ଜଟଣି ମଧ୍ୟବର୍ତ୍ତୀ କଣ୍ଟି ନିକଟରେ ଗଙ୍ଗୁଆ ନଦୀ ଦୟାରେ ମିଶିଛି । ସେହିଠାରୁ ଦୟାନଦୀ ବସ୍ତୁତଃ ରାଜଧାନୀର ପାଇଖାନା ବର୍ଜ୍ୟକୁ ଚିଲିକା ପର୍ଯ୍ୟନ୍ତ ବୋହିନେଉଛି । ଲିଙ୍ଗିପୁର ଠାରୁ କଣ୍ଟି ପର୍ଯ୍ୟନ୍ତ ଦୟା ବି ପ୍ରଦୂଷିତ । ଏମିତି କି ଦୟା ଓ ଗଙ୍ଗୁଆର ଜଳ ବ୍ୟବହାରପାଇଁ ଅନୁପଯୁକ୍ତ ବୋଲି ଖୋଦ୍‍ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସତର୍କ କରାଇ ଦେଇଛି । ଏହି ପ୍ରଦୂଷିତ ଜଳ ଯୋଗୁଁ ଚିଲିକା ବି ବିଷାକ୍ତ ହେଉଥିବାରୁ ସେଠାରେ ମାଛ, କଙ୍କଡା ଉତ୍ପାଦନ ହ୍ରାସ ପାଉଛି ।

ଦୟା ଅବବାହିକାରେ ଥିବା ଡେଲାଙ୍ଗ ଓ କଣାସ ବ୍ଲକର ଅନେକ ଗାଁର ଭୂତଳ ଜଳସ୍ତର ପ୍ରଦୂଷିତ ହେଉଥିବାରୁ ପ୍ରାୟ ପ୍ରତିବର୍ଷ ଏହି ଅଞ୍ଚଳରେ ଜଣ୍ଡିସ, ଝାଡାବାନ୍ତି ଭଳି ବିଭିନ୍ନ ସଂକ୍ରାମକ ରୋଗ ବ୍ୟାପୁଛି । ରୋଗ ସଂକ୍ରମଣ ହେବାପରେ ସଂକ୍ରମିତ ଗାଁଗୁଡିକୁ ଟ୍ୟାଙ୍କରରେ ପାନୀୟଜଳ ଯୋଗାଣ ପାଇଁ ପ୍ରଶାସନ ବ୍ୟବସ୍ଥା କରୁଛି । ନଦୀ କୂଳରେ ଥାଇ ବି ଲୋକେ ପାଣି ପାଇଁ ଡହଳ ବିକଳ ହେବା ଏକ ବିଚିତ୍ର ଅବସ୍ଥା ସୃଷ୍ଟି କରୁଛି ।

ଏହି ସମସ୍ୟାର ସମାଧାନ ଦାବି କରି ଦୟା ଓ ଗଙ୍ଗୁଆ ଅବବାହିକାରେ ଥିବା ବିଭିନ୍ନ ଗାଁର ଲୋକେ ନଦୀ ବଞ୍ଚାଅ ଆନ୍ଦୋଳନ ଚଳାଉଛନ୍ତି । ତେବେ ଏହି ଦୁଇଟି ନଦୀ କେବେ ପ୍ରଦୂଷଣମୁକ୍ତ ହେବେ ସେ ସଂକ୍ରାନ୍ତରେ କୌଣସି ସରକାରୀ ଅଧିକାରୀ କିମ୍ବା ଲୋକ ପ୍ରତିନିଧି ନିର୍ଦ୍ଦିଷ୍ଟ ଭାବେ କିଛି ପ୍ରତିଶ୍ରୁତି ଦେଇପାରୁ ନାହାନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟରେ ପ୍ରବାହିତ କୌଣସି ଗୋଟିଏ ହେଲେ ନଦୀରଜଳ ପ୍ରଦୂଷଣମୁକ୍ତ ନୁହେଁ । ବିଶେଷକରି କଳ କାରଖାନା, ଖଣି ଓ ସହରାଞ୍ଚଳର ବର୍ଜ୍ୟବସ୍ତୁ ବହୁ ସ୍ଥାନରେ ନଦୀଗୁଡିକୁ ନିଷ୍କାସିତ ହେଉଥିବାରୁ ପ୍ରଦୂଷଣ ସମସ୍ୟା ବଢୁଛି । ତେଣେ ନଦୀଗୁଡିକର ଜଳ ଧାରଣ କ୍ଷମତା ହ୍ରାସ ପାଇବା ସହିତ ଅଣମୌସୁମୀ ଋତୁରେ ଏହାର ଶଯ୍ୟା ଶୁଖିଲା ପଡୁଥିବାରୁ ନଦୀଜଳ ଉପରେ ନିର୍ଭର କରୁଥିବା ଶିଳ୍ପାନୁଷ୍ଠାନଗୁଡିକର ଭବିଷ୍ୟତପାଇଁ ଏବେ ଠାରୁ ପ୍ରଶ୍ନବାଚୀ ଉଠିଲାଣି । କେବଳ ସେତିକି ନୁହେଁ, ଭୁବନେଶ୍ୱର ଭଳି ନଗରାଞ୍ଚଳରେ ଭୂତଳ ଜଳସ୍ତର ଉଦବେଗଜନକ ଭାବେ ହ୍ରାସ ପାଉଥିବାବେଳେ ନଦୀଗୁଡିକରେ ଜଳପ୍ରବାହ କମୁଥିବାରୁ ଆଗାମୀ ଦିନରେ ରାଜଧାନୀ ସମେତ ଅନ୍ୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳଗୁଡିକୁ ପାନୀୟଜଳ ଯୋଗାଣ ଏବଂ ଜଳସେଚନ ସେବା ଜାରି ରଖିବା ମଧ୍ୟ କଷ୍ଟକର ହୋଇପାରେ ବୋଲି ପରିବେଶବିତ୍‍ମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ଏହାକୁ ଆଖିଆଗରେ ରଖି ଏବେଠାରୁ ପ୍ରତିକାରାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ମତପ୍ରକାଶ ପାଉଛି । (ତଥ୍ୟ)