ଭୁବନେଶ୍ୱର: ସଟ୍ଡାଉନ ଓ ଲକ୍ଡାଉନର ଅବଧି ପୂରିବାକୁ ଯାଉଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ କରୋନା ଥମିବାର ନାଁ ଧରୁନି । ଏଥିରେ ଭୁବନେଶ୍ୱରର ବଡ଼ ଯୋଗଦାନ ରହୁଛି । ୨ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରେ ୧୭୧୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ବିଏମ୍ସି ଅଞ୍ଚଳରୁ ୧୧୧୮ ଜଣ ରହିଛନ୍ତି ।
ପଶ୍ଚିମ ଓଡ଼ିଶାରେ ବିଭିନ୍ନ ଜିଲ୍ଲା ବିଶେଷକରି ସୁନ୍ଦରଗଡ଼, ବଲାଙ୍ଗିର, ବୌଦ୍ଧ, ସୋନପୁର ଓ ରାୟଗଡ଼ା ଆଦିରେ କରୋନା ପ୍ରକୋପ କମିଥିବା ବେଳେ ଖୋର୍ଦ୍ଧା କିନ୍ତୁ ଲଗାତର ଭାବେ ପ୍ରଥମ ସ୍ଥାନରେ ରହିଛି ।
ରାଜ୍ୟରେ ଗତ ୨୪ ଘଣ୍ଟା ଭିତରେ ୧୧,୭୩୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୬୫୬୯ ଚିହ୍ନଟ ହୋଇଥିବା ବେଳେ ୫୧୬୩ଜଣ ହେଉଛନ୍ତି ସ୍ଥାନୀୟ ଆକ୍ରାନ୍ତ । ସେହିପରି ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି ।
ଗତ ୨୪ ଘଣ୍ଟାରେ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୭୦ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭୦୦, ବରଗଡ଼ରୁ ୪୧୪, ଭଦ୍ରକରୁ ୪୧୪, ବାଲେଶ୍ୱରରୁ ୪୭୨, ବଲାଙ୍ଗିରରୁ ୪୦୧, ବୌଦ୍ଧରୁ ୨୭୭, ଦେବଗଡ଼ରୁ ୧୨୯, ଢେଙ୍କାନାଳରୁ ୧୫୩, ଗଜପତିରୁ ୭୭, ଗଞ୍ଜାମରୁ ୨୫୯, ଜଗତସିଂହପୁରରୁ ୩୩୦, ଯାଜପୁରରୁ ୩୮୩, ଝାରସୁଗୁଡ଼ାରୁ ୩୯୧ ଜଣ ସଂକ୍ରମିତ ହୋଇଛନ୍ତି ।
ସେହିପରି କଳାହାଣ୍ଡିରୁ ୨୭୪, କନ୍ଧମାଳରୁ ୮୪, କେନ୍ଦ୍ରାପଡ଼ାରୁ ୧୩୯, କେନ୍ଦୁଝରରୁ ୨୨୦, କୋରାପୁଟରୁ ୨୮୯, ମାଲକାନଗିରିରୁ ୧୪୫, ମୟୂରଭଞ୍ଜରୁ ୪୧୮, ନବରଙ୍ଗପୁରରୁ ୪୧୭, ନୟାଗଡ଼ରୁ ୨୬୧, ନୂଆପଡ଼ାରୁ ୨୨୦, ପୁରୀରୁ ୩୯୦, ରାୟଗଡ଼ାରୁ ୨୪୫, ସମ୍ବଲପୁରରୁ ୫୩୮, ସୋନପୁରରୁ ୨୫୮, ସୁନ୍ଦରଗଡ଼ରୁ ୬୪୧ଜଣ ଓ ଷ୍ଟେଟ୍ ପୁଲରୁ ୨୬୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୦୮୮୨୭୫୬ ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ୬୧୨୨୨୪ କୋଭିଡ ସଂକ୍ରମିତ ହୋଇଥିବାବେଳେ ୫୦୨୪୫୫ ଜଣ ଆରୋଗ୍ୟଲାଭ କରିସାରିଛନ୍ତି । ରାଜ୍ୟରେ ସମ୍ପ୍ରତି ୧୦୭୪୦୩ ଜଣ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି ।
ଅନ୍ୟପକ୍ଷରେ ଆଜି ୧୦ଟି ଜିଲ୍ଲାରୁ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୩୧୩ରେ ପହଞ୍ଚିଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ କରୋନା ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ, ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁଙ୍କ ଜୀବନ ନେଇ କରୋନା ।
ଆଉ ୪ଟି ମୃତ୍ୟୁ ମାମଲା ସହିତ ଖୋର୍ଦ୍ଧାରେ କରୋନାଜନିତ ମୃତ୍ୟୁସଂଖ୍ୟା ୪୦୮କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ । ଅନୁଗୋଳ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ବେଳେ ରାୟଗଡ଼ାରେ ୮୫, ନୂଆପଡ଼ାରେ ୪୦, ସୁନ୍ଦରଗଡ଼ରେ ୨୨୩, ଗଜପତିରେ ୪୧, କେନ୍ଦ୍ରାପଡ଼ାରେ ୩୫, ନବରଙ୍ଗପୁରରେ ୧୬, ନୟାଗଡ଼ରେ ୪୭ ଓ ପୁରୀରେ ୧୪୨ରେ ପହଞ୍ଚିଛି ।