Home Health ଏମ୍ସରେ ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଏମ୍ସରେ ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଭୁବନେଶ୍ୱର : ଓଡ଼ିଶାରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବିଶେଷ ସଫଳତା ସ୍ବରୂପ, ଏମ୍ସ ଭୁବନେଶ୍ୱରରେ ଚଳିତ ମାସରେ ଜଣେ ମୃତ ଦାତାଙ୍କ ଯକୃତ ଦାନ ଫଳରେ ନୂତନ ଜୀବନ ପାଇଛନ୍ତି ୪୬ ବର୍ଷୀୟ ବ୍ୟକ୍ତି। ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ଏହି ଯକୃତ ପ୍ରତିରୋପଣ ସମ୍ପନ୍ନ ହୋଇଥିଲା। ଏପରି ସଫଳତା ବିଶ୍ୱ ଯକୃତ ଦିବସର ପ୍ରକୃତ ଅନୁଚିନ୍ତାକୁ ପ୍ରତିପାଦିତ କରିଛି। ଏହା ଯକୃତ ସ୍ୱାସ୍ଥ୍ୟର ଗୁରୁତ୍ୱ ଏବଂ ଅଙ୍ଗଦାନର ଜୀବନ ରକ୍ଷାକାରୀ ପ୍ରଭାବକୁ ଉଜାଗର କରିଥାଏ।

ଏହି ପ୍ରେରଣାଦାୟକ କାହାଣୀର କେନ୍ଦ୍ରରେ ଅଛନ୍ତି ଭଦ୍ରକ ଜିଲ୍ଲାର ଜଣେ ଉତ୍ସର୍ଗୀକୃତ ହୋମିଓପାଥିକ୍ ଚିକିତ୍ସା ଅଧିକାରୀ ଡ. ରାଧା ପାଢ଼ୀ। ଦୀର୍ଘ ବର୍ଷ ଧରି ପ୍ଲେଟଲେଟ୍ ରୋଗ ସହିତ ଲଢ଼ୁଥିବା ସତ୍ତ୍ୱେ, ସେ ଉଲ୍ଲେଖନୀୟ ସାହସ ଏବଂ ନିଷ୍ଠା ପ୍ରଦର୍ଶନ କରି ତାଙ୍କ ଅଙ୍ଗଗୁଡ଼ିକୁ ଦାନ କରିବା ନିମନ୍ତେ ପ୍ରତିଜ୍ଞା କରିଥିଲେ। ନିଜର ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସାଧୀନ ଥିଲେ ଡ. ପାଢ଼ୀ। ଚଳିତ ମାସ ୨ ତାରିଖରେ ଡ. ପାଢ଼ୀଙ୍କୁ ବ୍ରେନ୍ ଷ୍ଟେମ୍ ମୃତ୍ୟୁ ଘୋଷଣା ପରେ, ତାଙ୍କ ପରିବାର ତାଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ଅତ୍ୟନ୍ତ ସମ୍ବେଦନଶୀଳ ସମୟରେ ଅଙ୍ଗଦାନ କରିବାକୁ ସମ୍ମତି ପ୍ରଦାନ କରିଥିଲେ।

ତିନି ତାରିଖରେ ଏମ୍ସ ଭୁବନେଶ୍ୱରର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଦଳ ଦ୍ୱାରା ତାଙ୍କର ଯକୃତକୁ ୪୬ ବର୍ଷୀୟ ଜଣେ ପୁରୁଷ ରୋଗୀଙ୍କ ଶରୀରରେ ସଫଳତାର ସହିତ ପ୍ରତିରୋପଣ କରାଯାଇଥିଲା। ଯକୃତ ପ୍ରତିରୋପିତ ହୋଇଥିବା ବ୍ୟକ୍ତିଜଣଙ୍କ ସୁସ୍ଥ ଅଛନ୍ତି। ଆସନ୍ତାକାଲି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯିବା ନେଇ ସୂଚନା ମିଳିଛି। ମୃତ ଦାତାଙ୍କ ଅଙ୍ଗକୁ ଏମ୍ସ ଭୁବନେଶ୍ବରରେ ହିଁ ପ୍ରତିରୋପଣ କରାଯାଇଥିଲା, ଯାହାକି ଏହି ଜାତୀୟ ପ୍ରତିଷ୍ଠାନ ପାଇଁ ପ୍ରଥମ। ଏପରି ସଫଳ ପ୍ରତିରୋପଣ ପ୍ରକ୍ରିୟା ଅନୁଷ୍ଠାନର ପ୍ରତିବଦ୍ଧତା ଏବଂ ଏବଂ ଡାକ୍ତରୀ ଦଳର ବିଶେଷଜ୍ଞତାକୁ ପ୍ରତିଫଳିତ କରେ।

ଆଇଏଲ୍ବିଏସ୍ ଦିଲ୍ଲୀର ପ୍ରଫେସର ବିନିୟେନ୍ଦ୍ର ପାମେଚାଙ୍କ ପରାମର୍ଶରେ ଏମ୍ସ ଭୁବନେଶ୍ବର ସର୍ଜିକାଲ୍ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗୀୟ ମୁଖ୍ୟ ଡ. ବ୍ରହ୍ମଦତ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ପ୍ରତିରୋପଣ କରାଯାଇଥିଲା। ଏହି ପ୍ରକ୍ରିୟାକୁ ଆନାସ୍ଥେସିଆ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏବଂ କ୍ରିଟିକାଲ୍ କେୟାର ବିଶେଷଜ୍ଞ ସମେତ ବହୁବିଧ ଦଳ ସହଯୋଗ କରିଥିଲେ। ଉତ୍ତମ ସମନ୍ବୟରେ ହୋଇଥିବା ଏହି ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା।

ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଦାତାଙ୍କ ପରିବାର ପ୍ରତି ଗଭୀର କୃତଜ୍ଞତା ପ୍ରକାଶ କରି ସଚେତନତା ଏବଂ ଆବେଗିକ ଭାବନାରେ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଷ୍ଠାନର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ନିଃସ୍ୱାର୍ଥପର ଅବଦାନକୁ ସ୍ୱୀକୃତି ଦେଇ, ଡ. ପାଢ଼ୀଙ୍କୁ ମେଡିକାଲ୍ ଅଧୀକ୍ଷକ ଡ. ପ୍ରଭାସ ରଞ୍ଜନ ତ୍ରିପାଠୀଙ୍କ ନେତୃତ୍ୱରେ ଏମ୍ସ ଭୁବନେଶ୍ୱରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।

ଏହି ଐତିହାସିକ ସଫଳତା ଚିକିତ୍ସା ଉତ୍କର୍ଷତା ପ୍ରଦର୍ଶନ ସହିତ ଯକୃତ କ୍ଷତିର ସମ୍ମୁଖୀନ ହେଉଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଆଶାର ନୂତନ ଆଲୋକ ପ୍ରଦାନ କରୁଛି। ଡ. ପାଢ଼ୀଙ୍କ ଏହି ଅବଦାନ ସମସ୍ତଙ୍କୁ ପାଇଁ ପ୍ରେରଣାର ଉତ୍ସ ଭାବରେ ସବୁଦିନ ପାଇଁ ଉଜ୍ଜିବୀତ ରହିବ। ସମାଜରେ ଏହି ଘଟଣା ଅଙ୍ଗ ଦାନର ମହାନ ଉଦ୍ଦେଶ୍ୟକୁ ସମର୍ଥନ କରିବାକୁ ଉତ୍ସାହିତ କରିବ।