Home General କୁଆଡେ ଯାଉଛନ୍ତି ଅଣ୍ଡିରା ବାଛୁରୀ ?

କୁଆଡେ ଯାଉଛନ୍ତି ଅଣ୍ଡିରା ବାଛୁରୀ ?

ଭୁବନେଶ୍ୱର : ରାଜ୍ୟରେ ପ୍ରତିବର୍ଷ ଜନ୍ମ ହେଉଥିବା ଲକ୍ଷାଧିକ ଅଣ୍ଡିଆ ବାଛୁରୀ କୁଆଡେ ଯାଉଛନ୍ତି ? ଗାଁ ଗହଳରେ ହଳ ବଦଳ କିମ୍ବା ଶଗଡ ଗାଡି ଆଉ ଦୃଶ୍ୟମାନ ହେଉନଥିବାବେଳେ ଅଧିକାଂଶ ସ୍ଥାନରେ ଲୋକେ ଏମାନଙ୍କୁ ଷଣ୍ଢ କରି ଖୋଲାରେ ଛାଡି ଦେଉଛନ୍ତି । ତେବେ ଜନ୍ମ ହେଉଥିବା ଅଣ୍ଡିରା ବାଛୁରୀଙ୍କ ତୁଳନାରେ ଢେର କମ୍‍ ସଂଖ୍ୟାରେ ଷଣ୍ଢ ଦେଖିବାକୁ ମିଳୁଥିବାରୁ ଏହି ବାଛୁରୀମାନଙ୍କ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଯଦିଓ ରାଜ୍ୟରେ ଅଣ୍ଡିରା ବାଛୁରୀଙ୍କ ଜନ୍ମ ସଂଖ୍ୟା ହ୍ରାସ ପାଇଛି କିନ୍ତୁ ବାର୍ଷିକ ଏହା ୧ଲକ୍ଷ ୨୦ ହଜାର ଉପରେ ରହିଛି । ସରକାରୀ ହିସାବରେ ୨୦୨୩-୨୪ ରେ ରାଜ୍ୟରେ କୃତ୍ରିମ ପ୍ରଜନନ ମାଧ୍ୟମରେ ୨ଲକ୍ଷ ୨୭ ହଜାରରୁ ଅଧିକ ଅଣ୍ଡିରା ବାଛୁରୀ ଜନ୍ମ ହୋଇଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧ଲକ୍ଷ ୭୩ ହଜାରରୁ ଅଧିକ ରହିଥିଲା । ୨୦୨୫-୨୬ ରେ ଜନ୍ମ ହୋଇଥିବା ଅଣ୍ଡିରା ବାଛୁରୀଙ୍କ ସଂଖ୍ୟା ୧ଲକ୍ଷ ୨୦ହଜାରକୁ ହ୍ରାସ ପାଇଥିଲା ।

ଗାଁ ଗହଳରେ ଆଉ ହଳ ବଳଦର ଚାହିଦା ନଥିବାରୁ ଲୋକେ ଏମାନଙ୍କୁ ବଳଦ କରିବା ପରିବର୍ତ୍ତେ ବିଭିନ୍ନ ଦେବାଳୟ ନିକଟରେ ଷଣ୍ଢକରି ଛାଡି ଦେଉଛନ୍ତି । ଖୋଲା ବୁଲୁଥିବା ଏହି ଷଣ୍ଢଗୁଡିକ ଲୋକଙ୍କ ବାଡି ବଗିଚାରେ ପଶି ଫସଲ ଖାଇବା ସହିତ ରାସ୍ତାଘାଟରେ ବୁଲିବା ଯୋଗୁଁ ଦୁର୍ଘଟଣାର କାରଣ ପାଲଟୁଛନ୍ତି । ଖୋଦ ସରକାର ମଧ୍ୟ ଏଭଳି ଦୁର୍ଘଟଣା ଓ ଫସଲହାନିକୁ ସ୍ୱୀକାର କରୁଛନ୍ତି ।

ତେବେ ଜନ୍ମ ହେଉଥିବା ଅଣ୍ଡିରା ବାଛୁରୀଗୁଡିକ କ୍ଷୀର ଛାଡିବାପରେ ଯେତେ ସଂଖ୍ୟାରେ ବାହାରେ ଛାଡି ଦିଆଯାଉଛି ପରବର୍ତ୍ତୀ ସମୟରେ ସେମାନଙ୍କୁ ଆଉ ଦେଖିବାକୁ ମିଳୁନାହିଁ । କିଛି ଗୋମାଫିଆ ଏମାନଙ୍କୁ ରାତାରାତି ଧରି ଅନ୍ୟ ସ୍ଥାନକୁ ଚାଲାଣ କରିଦେଉଥିବାର ଅଭିଯୋଗ ବି ଆସୁଛି । ବିଭିନ୍ନ ସ୍ଥାନରୁ ଜବତ ହେଉଥିବା ଗୋରୁ ଗାଡି ଗୁଡିକରୁ ମଧ୍ୟ ଏହା ଦେଖିବାକୁ ମିଳୁଛି ।

ତେବେ ଇତି ମଧ୍ୟରେ ଏଭଳି ଅଣ୍ଡିରା ବାଛୁରୀଙ୍କୁ ରାସ୍ତାଘାଟକୁ ନଛାଡିବାକୁ ସଚେତନତା ସୃଷ୍ଟି ସହିତ ସେମାନଙ୍କ ଥଇଥାନ ନିମନ୍ତେ ଗୋଶାଳା ନିର୍ମାଣ ପାଇଁ ସହାୟତା ଯୋଗାଇ ଦେଉଛନ୍ତି । ବିଭିନ୍ନ ପୌରସଂସ୍ଥା, ସ୍ୱେଚ୍ଛାସେବୀ ସଂସ୍ଥା, ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକୁ ଗୋଶାଳା ନିର୍ମାଣ ପାଇଁ ୯୦ ପ୍ରତିଶତ ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ତେବେ ଏହି ଗୋଶାଳାଗୁଡିକରେ ମୁଖ୍ୟତଃ ଗାଁ ଗହଳରେ ଋଗଣ ଗୋରୁଗାଈଙ୍କ ସହିତ ବିଭିନ୍ନ ସ୍ଥାନରୁ ମାଫିଆଙ୍କ କବଳରୁ ଉଦ୍ଧାର ହେଉଥିବା ଗାଈଗୋରଙ୍କୁ ରଖାଯାଉଥିବା ଦେଖିବାକୁ ମିଳୁଛି ।

ରାଜ୍ୟରେ କୃତ୍ରିମ ପ୍ରଜନନ ମାଧ୍ୟମରେ ବର୍ଷକୁ ଲକ୍ଷାଧିକ ଅଣ୍ଡିରା ବାଛୁରୀ ଜନ୍ମ ହେଉଥିବାବେଳେ ପ୍ରାକୃତିକ ଉପାୟରେ ବି ଆହୁରି ଅଧିକ ଅଣ୍ଡିରା ବାଛୁରୀ ଜନ୍ମ ହେଉଛନ୍ତି । ରାଜ୍ୟରେ ଯାନ୍ତ୍ରିକ କୃଷିକ ପ୍ରସାର ପରେ ହଳ କିମ୍ବା ଶଗଡ ଟାଣିବାକୁ ଆଉ ବଳଦଙ୍କର ଆବଶ୍ୟକ ପଡୁନାହିଁ । ଲୋକେ ବଳଦ ପାଳନ ଅପେକ୍ଷା ଗାଈ ପାଳନ କରି ଆତ୍ମନିର୍ଭରଶୀଳ ହେଉଛନ୍ତି । ଏଭଳି ସ୍ଥିତିରେ ଜନ୍ମ ହେଉଥିବା ଲକ୍ଷାଧିକ ଅଣ୍ଡିରା ବାଛୁରୀ କୁଆଡେ ଯାଉଛନ୍ତି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି । (ତଥ୍ୟ)