ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ୨୯ତମ ପୂଣ୍ୟତିଥି ପାଳିତ ହେବାକୁ ଯାଉଥିବାବେଳେ ତାଙ୍କ ବ୍ୟକ୍ତିତ୍ୱକୁ ନେଇ କିଛିମାସ ଧରି ଗଣମାଧ୍ୟମରେ ବିତର୍କର ଝଡ ସୃଷ୍ଟି ହୋଇଛି । ଉଭୟ ସରକାରୀ ଓ ବିରୋଧିଦଳ ବିଜୁ ବାବୁଙ୍କୁ ବରପୁତ୍ର ବୋଲି ସ୍ୱୀକାର କରୁଥିବାବେଳେ ତାଙ୍କ ପ୍ରତିଷ୍ଠିତ ଚୌଦ୍ୱାରର ଓଡିଶା ଟେକ୍ସଟାଇଲ ମିଲ୍ସ (ଓଟିଏମ) ଓ ବଡବିଲର କଳିଙ୍ଗ ଆଇରନ ୱାର୍କସ୍ କେବେ ଚାଲିବ ସେଥିଘେନି ସମସ୍ତେ ନିରବ ।
ଏଠାରେ ଉଲ୍ଲେଖନୀୟ ଯେ ଦେଶ ସ୍ୱାଧୀନ ହେବା ପୂର୍ବରୁ ୧୯୪୬ ମସିହାରେ ବିଜୁ ବାବୁ ଚୌଦ୍ୱାର ଠାରେ ଓଟିଏମ ଆରମ୍ଭ କରିଥିଲେ । ଓଟିଏମ୍ର ଉତ୍ପାଦିତ କପଡା ଗୋଟିଏ ସମୟରେ ଦେଶ ବିଦେଶରେ ବେଶ୍ ଆଦୃତ ହେଉଥିଲା । ଏମିତିକି ଦେଶର ବିଭିନ୍ନ ସହରରେ ଓଟିଏମ୍ କପଡା ବିକ୍ରି ପାଇଁ ସ୍ୱତନ୍ତ୍ର ଦୋକାନମାନ ରହିଥିଲା । ତେବେ ପ୍ରାୟ ୨୫ବର୍ଷ ଧରି ଓଟିଏମ୍ ବନ୍ଦହୋଇ ପଡିଛି । ଏହାର ପୁନରୁଦ୍ଧାର ପାଇଁ ବାରମ୍ବାର ବିଭିନ୍ନ ମହଲରୁ ଦାବି ହେଉଥିବାବେଳେ ସରକାରୀ ଘୋଷଣା ସତ୍ୱେ ତାହା କିନ୍ତୁ କାର୍ଯ୍ୟକାରୀ ହୋଇପାରୁନାହିଁ ।
ଓଡିଶାରେ ସରକାରୀ ଓ ବେସରକାରୀ ଉଦ୍ୟମରେ ୧୩ଟି ସୂତାକଳ ଓ ୧୩ଟି କଳତନ୍ତ ବୟନଶିଳ୍ପ ପ୍ରତିଷ୍ଠା କରାଯାଇଥିଲା । ପର୍ଯ୍ୟାୟକ୍ରମେ ଏସବୁର ଉତ୍ପାଦନ ବନ୍ଦହୋଇ ଯାଇଛି । ଏମିତିକି ସମବାୟ ଭିତ୍ତିରେ ପ୍ରତିଷ୍ଠା କରାଯାଇଥିବା ଅନେକ ସୂତାକଳ ଓ ଲୁଗାକଳ ବି ଦଶନ୍ଧି ଦଶନ୍ଧି ଧରି ବନ୍ଦହୋଇ ପଡିଛି । ବଜାର ବିଶେଷଜ୍ଞମାନଙ୍କ ଆକଳନ ଅନୁଯାୟୀ ଓଡିଶା ଲାଗି ବାର୍ଷିକ ପ୍ରାୟ ୪୦ହଜାର କୋଟି ଟଙ୍କାର କପଡା ଆବଶ୍ୟକ ପଡୁଥିବାବେଳେ ରାଜ୍ୟରେ ୫୦୦ କୋଟି ଟଙ୍କାର କପଡା ବି ହସ୍ତତନ୍ତ କ୍ଷେତ୍ରରେ ଉତ୍ପାଦିତ ହୋଇପାରୁନାହିଁ । ଫଳରେ କପଡା ପାଇଁ ଓଡିଶାକୁ ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି ।
ଓଡିଶାର ସୂତାକଳ ଓ ଲୁଗାକଳରେ ଯେଉଁ କୁଶଳୀ କାରିଗରମାନେ କାମ କରୁଥିଲେ କଳ ବନ୍ଦ ହୋଇଯିବାରୁ ସେମାନଙ୍କ ରୋଜଗାର ମରିଯାଇଛି । ଫଳରେ ଅନେକ କୁଶଳୀ କାରିଗର ଓ ସେମାନଙ୍କ ବଂଶଜ ଅନ୍ୟ ରାଜ୍ୟର ସୂତାକଳ ଓ ଳୁଗାକଳଗୁଡିକରେ କାମ କରିବାକୁ ବାଧ୍ୟ ହେଉଛନ୍ତି । ବିଶେଷକରି ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଆଦି ରାଜ୍ୟକୁ ଓଡିଆ କାରିଗର ଓ ଶ୍ରମିକମାନେ କାମ କରିବାକୁ ଯାଇ ସେଠାକାର ବୟନଶିଳ୍ପକୁ ସମୃଦ୍ଧ କରୁଛନ୍ତି ।
କେବଳ ଓଟିଏମ୍ ନୁହେଁ, ବିଜୁ ପଟ୍ଟନାୟକ ପ୍ରତିଷ୍ଠା କରିଥିବା ଅନ୍ୟ ବହୁ କଳ କାରଖାନା ମଧ୍ୟ ବନ୍ଦହୋଇ ପଡିଛି । ଓଡିଶା ସରକାରଙ୍କ ଅଗ୍ରଣୀ ରାଷ୍ଟ୍ରାୟତ ଉଦ୍ୟୋଗ ଭାବେ ଏକଦା ସୁନାମ ଅର୍ଜନ କରିଥିବା ବଡବିଲର କଳିଙ୍ଗ ଆଇରନ ୱାର୍କସ୍ ଅନେକ ବର୍ଷଧରି ବନ୍ଦ ରହିଛି । ଏହାର ସମ୍ପତ୍ତି ଏବେ ଓଡିଶା ଖଣି ନିଗମ ହାତରେ ରହିଛି ।
ବିଜୁ ବାବୁଙ୍କୁ ନେଇ ଯେଉଁ ରାଜନେତାମାନେ ବିବୃତ୍ତି ଜାରି କରୁଛନ୍ତି ସେମାନେ କିନ୍ତୁ ଓଟିଏମ୍ କିମ୍ବା କଳିଙ୍ଗ ଆଇରନୱାର୍କସକୁ ପୁର୍ନବାର ରାଷ୍ଟ୍ରାୟତ ଉଦ୍ୟୋଗରେ ଚାଲୁ କରିବା ସପକ୍ଷରେ ନାହାନ୍ତି । ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଗ୍ରାମାଞ୍ଚଳରେ ଶିଳ୍ପ ବିପ୍ଳବ ଲାଗି ବିଭିନ୍ନ ବ୍ଲକରେ ପଞ୍ଚାୟତ ଶିଳ୍ପମାନ ପ୍ରତିଷ୍ଠା କରାଯାଇଥିଲା । ଏବେ ସେଥିରୁ ହାତ ଗଣତି ଅଳ୍ପ କେତୋଟିକୁ ଛାଡିଦେଲେ ଅନ୍ୟ ସବୁ ବନ୍ଦହୋଇ ପଡିଛି । ପଞ୍ଚାୟତ ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର କଞ୍ଚାମାଲ ଉପଯୋଗ କରାଯାଇ ବିଭିନ୍ନ କିସମର ଶିଳ୍ପ ଗଢି ଉଠିଥିଲା । କ୍ରମଶଃ ପଞ୍ଚାୟତ ସ୍ତରରେ ଉଦ୍ୟୋଗମାନ ସ୍ଥାପନ କରିବା ବିଜୁ ପଟ୍ଟନାୟକଙ୍କ ଅନ୍ୟତମ ଉଦ୍ଦେଶ୍ୟ ଥିଲା । ପରବର୍ତ୍ତୀ ସମୟରେ ଖଣିଜ ଭିତ୍ତିକ ଶିଳ୍ପ ଉପରେ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାବେଳେ ପଞ୍ଚାୟତ ଶିଳ୍ପଗୁଡିକୁ କିନ୍ତୁ ଋଗଣ କରିଦିଆଯାଇଛି । ଏଗୁଡିକର ପୁନରୁଦ୍ଧାର କରାଯାଇ ପାରିଲେ ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୁଯୋଗ ବ୍ୟାପକ ହୋଇପାରିବ ବୋଲି ଅର୍ଥନୀତି ବିଶାରଦମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)

