ଭୁବନେଶ୍ୱର : ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ। ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ପ୍ରସ୍ତାବିତ ମେଟ୍ରୋ ରେଳ ପ୍ରକଳ୍ପକୁ ବନ୍ଦ କରିବା ପାଇଁ ରାଜ୍ୟ କ୍ୟାବିନେଟଙ୍କ ନିଷ୍ପତ୍ତିକୁ ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଭୀର ଚିନ୍ତା ପ୍ରକଟ କରିଛନ୍ତି।
ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ସେ ଅନୁରୋଧ କରିଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ଗୁରୁବାର ମେଟ୍ରୋ ରେଳ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଚିଠି ଲେଖିଥିଲେ ।
ଅପରାଜିତା ଷଡଙ୍ଗୀ କହିଛନ୍ତି ଯେ, ଭୁବନେଶ୍ୱରରେ ଦିନକୁ ଦିନ ଜନସଂଖ୍ୟା ବଢିବାରେ ଲାଗିଛି। ଫଳରେ ଟ୍ରାଫିକ ସମସ୍ୟା ଉପୁଜିବାରେ ଲାଗିଛି। ଜନସଂଖ୍ୟା ଓ ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମେଟ୍ରୋ ରେଳ ପ୍ରକଳ୍ପ ଅତ୍ୟନ୍ତ ଜରୁରୀ। ମେଟ୍ରୋ ରେଳ ପ୍ରକଳ୍ପ କେବଳ ଭୁବନେଶ୍ୱର ନୁହେଁ, ବରଂ କଟକ, ଜଟଣୀ ଏବଂ ଖୋର୍ଦ୍ଧା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିବାର କ୍ଷମତା ରଖୁଥିଲା। ଏହା ହଠାତ ବନ୍ଦ ହୋଇଯିବା ଫଳରେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ମେଟ୍ରୋ ରେଳ ପ୍ରକଳ୍ପ ବାବଦରେ ରାଜ୍ୟ କୋଷାଗାରରୁ ପ୍ରାୟ ୨୭୪ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଛି। ଯଦି ଏବେ ଏହାକୁ ବନ୍ଦ କରାଯାଏ ଏବଂ ଭବିଷ୍ୟତରେ ପୁଣି ଆରମ୍ଭ କରାଯାଏ, ତେବେ ଏହାର ନିର୍ମାଣ ଖର୍ଚ୍ଚ ୨ରୁ ୪ ଗୁଣ ବୃଦ୍ଧି ପାଇବ। ଲିଙ୍ଗରାଜ ମନ୍ଦିର, ଧଉଳି ଏବଂ ନନ୍ଦନକାନନ ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ସହଜ ଯୋଗାଯୋଗ ପାଇଁ ମେଟ୍ରୋ ଏକ ଆଧୁନିକ ମାଧ୍ୟମ ହୋଇଥାନ୍ତା। ଲାଭ-କ୍ଷତିକୁ ନଦେଖି ବୃହତ୍ତର ଜନସ୍ୱାର୍ଥ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ପାଇଁ ଏହି ପ୍ରକଳ୍ପକୁ ପୁନର୍ବିଚାର କରିବାକୁ ସେ ଦାବି କରିଛନ୍ତି।
ଭୁବନେଶ୍ୱର ସାଂସଦଙ୍କ ଚିଠି ଉପରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ମେଟ୍ରୋ ପ୍ରକଳ୍ପ ବାତିଲ ହୋଇନାହିଁ। ସାମୟିକ ସ୍ଥଗିତ ରହିଛି। ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ବନ୍ଦ ହୋଇନାହିଁ। ଭୁବନେଶ୍ୱର ମେଟ୍ରୋ କର୍ପୋରେସନ ଅଫିସ ମଧ୍ୟ ଚାଲୁ ରହିଛି। ପ୍ରକଳ୍ପ ବାବଦରେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ବିଚାରଧୀନ ରହିଛି। ପ୍ରକଳ୍ପ କେମିତି ଲାଭଜନକ ହେବ ସେନେଇ ଚିନ୍ତା କରାଯାଉଛି। ପୂର୍ବରୁ ପ୍ରସ୍ତାବିତ ମେଟ୍ରୋ ପ୍ରକଳ୍ପ ପାଇଁ ଯେଉଁ ରୂପରେଖ ହୋଇଥିଲା ତାହା ଲାଭଦାୟକ ହେଉନଥିଲା। ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି। ପ୍ରକଳ୍ପ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ମଧ୍ୟ ଗଠନ ହେଇଛି ବୋଲି ସେ କହିଛନ୍ତି।

