Home General ଗାଁର ବିକାଶ ପାଇଁ ରୋଡମ୍ୟାପ୍

ଗାଁର ବିକାଶ ପାଇଁ ରୋଡମ୍ୟାପ୍

ଭୁବନେଶ୍ୱର : ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଆଜି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ବୈଠକରେ ୨୦୨୫-୨୬ ବର୍ଷର କାର୍ଯ୍ୟର ସଫଳତା ଏବଂ ୨୦୨୬-୨୭ ବର୍ଷ ପାଇଁ ନୂତନ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।

ବୈଠକ ଆରମ୍ଭରେ କମିଶନର ତଥା ଶାସନ ସଚିବ ଯାମିନୀ ଷଡ଼ଙ୍ଗୀ ବିଭାଗୀୟ ଉପଲବ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ୮୯.୪୫ ପ୍ରତିଶତ ଅର୍ଥ ବିନିଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଅଷ୍ଟମ ସ୍ଥାନରେ ଥିବା ବେଳେ, ନୂତନ ଜ୍ଞାନକୌଶଳ ଓ ସାମଗ୍ରୀ ବ୍ୟବହାର କରି ରାସ୍ତା ନିର୍ମାଣ କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନରେ ରହିଛି। ବିଭାଗୀୟ ମନ୍ତ୍ରୀ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ।

ପୂର୍ବବର୍ଷର ସଫଳତାକୁ ଆଧାର କରି ଆହୁରି ଉଚ୍ଚ ଲକ୍ଷ୍ୟ ରଖିବା ସହିତ ଚଳିତ ବର୍ଷରେ ନିଜ ପ୍ରଦର୍ଶନକୁ ନିଜେ ଅତିକ୍ରମ କରିବା ପାଇଁ ଅଧିକ ସଂକଳ୍ପ ଓ ପ୍ରୟାସ ସହ କାମ କରିବା ଆବଶ୍ୟକ ବୋଲି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଥିଲେ। ସମୟର ଉପଯୁକ୍ତ ବ୍ୟବହାର ଏବଂ ବିଭାଗୀୟ କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ଯେ ବର୍ଷା ଦିନ ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଶେଷ କରାଯାଉ, ଯେପରି ବର୍ଷା ଛାଡ଼ିବା ମାତ୍ରେ କାମ ଦ୍ରୁତ ଗତିରେ ଆରମ୍ଭ ହୋଇପାରିବ।

 ସେହିଭଳି ବୈଠକରେ ‘ମିଶନ ପାୱାର’ ମାଧ୍ୟମରେ ଅପହଞ୍ଚ ଗାଁଗୁଡିକୁ ପକ୍କା ରାସ୍ତାରେ ଯୋଡ଼ିବା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ମଧ୍ୟ ଗରୁତ୍ବ ଦିଆଯାଇଛି।