Home News in Odia ଜୟପୁର ଢାଞ୍ଚାରେ ମେଟ୍ରୋ ପ୍ରକଳ୍ପ କର

ଜୟପୁର ଢାଞ୍ଚାରେ ମେଟ୍ରୋ ପ୍ରକଳ୍ପ କର

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ସସ୍ମିତ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଓଡ଼ିଶାରେ ମେଟ୍ରୋ ପ୍ରକଳ୍ପକୁ ପୁଣି ଥର ଆରମ୍ଭ କରିବାକୁ କହିଛନ୍ତି। ଜୟପୁର (ରାଜସ୍ଥାନ)ର ମେଟ୍ରୋ ପ୍ରକଳ୍ପ ଅନୁସାରେ ଓଡ଼ିଶାରେ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।

ସସ୍ମିତ ପାତ୍ର କହିଛନ୍ତି ଯେ, ବୁଧବାର କେନ୍ଦ୍ର କ୍ୟାବିନେଟରେ ଜୟପୁର ମେଟ୍ରୋ ଫେଜ-୨ ପାଇଁ ୧୩ ହଜାର କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ଏସପିଭି ଅନୁଯାୟୀ ପାଖାପାଖି ସାଢେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ବହନ କରିବେ ଏବଂ ବାକି ସାଢେ ୬ହଜାର କୋଟିର ଖର୍ଚ୍ଚ ବହନ କରିବେ ରାଜସ୍ଥାନ ସରକାର।

ଅପରପକ୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଓଡ଼ିଶା ମେଟ୍ରୋ (ଭୁବନେଶ୍ୱର-କଟକ-ଖୋର୍ଦ୍ଧା-ପୁରୀ) ପ୍ରୋଜେକ୍ଟର ଖର୍ଚ୍ଚ ୨୦୨୪ ମସିହାରେ ଥିଲା ୬,୨୫୫ କୋଟି ଟଙ୍କା। ଯାହାକି ଜୟପୁରର ମେଟ୍ରୋ ମଡେଲ ଠାରୁ ଅଧାରୁ ଆହୁରି କମ୍। ଯଦି ଜୟପୁର ମଡେଲରେ କେନ୍ଦ୍ର ସରକାର ଅଧା ଖର୍ଚ୍ଚ ବହନ କରିପାରିବେ ତାହେଲେ ଡବଲ ଇଞ୍ଜିନ୍ ସରକାରରେ ମାତ୍ର ୩ ହଜାର କୋଟି ବହନ କରିବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ।

ସସ୍ମିତ ପାତ୍ର କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ସହ ସମନ୍ଵୟ ରକ୍ଷା କରି ରାଜ୍ୟ ସରକାର ମେଟ୍ରୋ ପ୍ରକଳ୍ପକୁ ଆଗେଇ ନିଅନ୍ତୁ। ଏହି ପ୍ରକଳ୍ପ ବନ୍ଦ କରିବା ଦ୍ଵାରା ରାଜ୍ୟର ଆର୍ଥିକ ମେରୁଦଣ୍ଡ ଦୁର୍ବଳ ହେବ। ପୁରୀ-ଖୋର୍ଦ୍ଧା-ଭୁବନେଶ୍ୱର-କଟକ କରିଡର ସହିତ ଓଡ଼ିଶା ମେଟ୍ରୋ ଓଡ଼ିଶାବାସୀଙ୍କୁ ସୁରକ୍ଷିତ, ଦ୍ରୁତ ଯାତ୍ରା ସହିତ ଲାଭଦାୟକ କରିବ। ଛାତ୍ର ଏବଂ ଯୁବକମାନଙ୍କୁ ଶିକ୍ଷା ଏବଂ ଚାକିରି ପାଇଁ ଉତ୍ତମ ସୁବିଧା ମିଳିବ। ବରିଷ୍ଠ ନାଗରିକମାନଙ୍କୁ ଅଧିକ ଆରାମଦାୟକ ପରିବହନ ସୁବିଧା ମିଳିବ। ଏହା ପ୍ରମୁଖ ସ୍ଥାନଗୁଡ଼ିକୁ ସଂଯୋଗ କରୁଥିବାରୁ ପର୍ଯ୍ୟଟନ ମଧ୍ୟ ବୃଦ୍ଧି ପାଇବ।