ଭୁବନେଶ୍ୱର : ଓଡ଼ିଶାକୁ ଅନୁପ୍ରବେଶ କରି ବେଆଇନ୍ ଭାବେ ବସବାସ କରୁଥିବା ବାଂଲାଦେଶୀମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ବଳବତ୍ତର ରହିଛି । ଗତବର୍ଷ ମଇ ମାସରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ପତ୍ର ଲେଖିବା ପରେ ସରକାରଙ୍କ ପକ୍ଷରୁ ସବୁ ଜିଲ୍ଲାର ଏସ୍ପିମାନଙ୍କୁ ଅବୈଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟ ସରକାରଙ୍କ ତଥ୍ୟ ମୁତାବକ ଚଳିତବର୍ଷ ଫେବୃଆରୀ ସୁଦ୍ଧା ୨୨୬୧ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କର ପରିଚୟ ପତ୍ର ଏ ସଂକ୍ରାନ୍ତରେ ଯାଞ୍ଚ କରାଯାଇଥିଲା ଏବଂ ଏମାନଙ୍କ ଭିତରୁ ୨୧୮୪ଜଣ ଭାରତୀୟ ନାଗରିକ ବୋଲି ଜଣାପଡିବା ପରେ ସେମାନଙ୍କୁ ମୁକ୍ତ କରାଯାଇଛି । ଅବଶିଷ୍ଟ ୭୭ଜଣଙ୍କୁ ବାଂଲାଦେଶୀ ଅନୁପ୍ରବେଶକାରୀ ଭାବେ ଚିହ୍ନଟ କରାଯିବା ସହ ଅନ୍ୟୁନ ୭୩ଜଣଙ୍କୁ ଦେଶାନ୍ତର କରାଯାଇଛି ।
ଚିହ୍ନଟ କରାଯାଇଥିବା ୭୭ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ମଧ୍ୟରୁ ସର୍ବାଧିକ ୨୬ଜଣ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ଜିଲ୍ଲାରୁ ଧରାପଡିଥିବାବେଳ କଟକରୁ ୧୫, ବ୍ରହ୍ମପୁରରୁ ୬, ଜଗତସିଂହପୁରରୁ ୨୧, କେନ୍ଦ୍ରାପଡ଼ାରୁ ୩, କୋରାପୁଟରୁ ଜଣେ, କନ୍ଧମାଳରୁ ୪ ଜଣ ଓ ଗଞ୍ଜାମ ଜିଲ୍ଲାରୁ ଜଣକୁ ଚିହ୍ନଟ କରାଯାଇଛି । ଚିହ୍ନିତ ବ୍ୟକ୍ତିଙ୍କ ମଧ୍ୟରୁ ଗଞ୍ଜାମ ଓ କନ୍ଧମାଳର ଜଣେ କରି ବାଂଲାଦେଶୀ ଅନୁପ୍ରବେଶକାରୀ ଜାଲ୍ କାଗଜପତ୍ର ବଳରେ ଭାରତୀୟ ପାସ୍ପୋର୍ଟ ହାସଲ କରିଥିବାରୁ ସେମାନଙ୍କ ବିରୋଧରେ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏବେ ସମସ୍ତ ପୁଲିସ ଜିଲ୍ଲା ଓ ପୁଲିସ କମିଶନରେଟ୍ ଅଞ୍ଚଳରେ ସନ୍ଦିଗ୍ଧ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି । କେବଳ ବାଂଲାଦେଶୀ ନୁହନ୍ତି, ଅନ୍ୟ ଦେଶରୁ ଯେଉଁମାନେ ଭାରତ ପଳାଇ ଆସି ଏଠାରେ ବେଆଇନ୍ ଭାବେ ଅବସ୍ଥାନ କରୁଛନ୍ତି ସେମାନଙ୍କୁ ମଧ୍ୟ ଚିହ୍ନଟ କରାଯାଉଛି । ବିଶେଷକରି ଜାତୀୟ ନିରାପତ୍ତା ଓ ଆଭ୍ୟନ୍ତରୀଣ ସ୍ଥିତି ପାଇଁ ଅନୁପ୍ରବେଶକାରୀମାନଙ୍କୁ ଚିହ୍ନଟ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।
ତେବେ ବାଂଲାଦେଶ ମୁକ୍ତି ସଂଗ୍ରାମ ଓ ଅନ୍ୟ ସମୟରେ ଯେଉଁମାନଙ୍କୁ ଭାରତ ସରକାର ଶରଣାର୍ଥୀ ଭାବେ ସ୍ୱୀକୃତି ଦେଇ ଓଡ଼ିଶାରେ ରଖିଛନ୍ତି ସେମାନଙ୍କୁ ଏହି ଚିହ୍ନଟ ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ଶରଣାର୍ଥୀ ଭାବେ ଭାରତ ପଳାଇ ଆସି ଓଡ଼ିଶାରେ ଦଣ୍ଡକାରଣ୍ୟ ଯୋଜନା ସମେତ ଅନେକ କେତେକ ସ୍ଥାନରେ ଥଇଥାନ ହୋଇଥିବା ଶରଣାର୍ଥୀମାନଙ୍କୁ ଦେଶର ନାଗରିକତ୍ୱ ପ୍ରଦାନ କରାଯିବା ସହିତ ବିଭିନ୍ନ ସାମାଜିକ ନିରାପତ୍ତା ଯୋଜନାରେ ବି ସହାୟତା ଦିଆଯାଉଛି । ଏମିତିକି ଏହି ବର୍ଗର ଅନେକ ବ୍ୟକ୍ତିଙ୍କୁ ଓଡ଼ିଶା ସରକାର ଚାଷ ଜମି ବଣ୍ଟନ କରିବା ସହିତ ବିକଳ୍ପ ରୋଜଗାର ପାଇଁ ମଧ୍ୟ ସହାୟତା ଦେଇଛନ୍ତି ।
ବିଶେଷକରି ଓଡ଼ିଶାର ଉପକୂଳ ମୁକୁଳା ପଡ଼ିଥିବାରୁ ସାମୁଦ୍ରିକ ପଥରେ ବହୁ ବାଂଲାଦେଶୀ ଓଡ଼ିଶା ପଳାଇ ଆସି ବିଭିନ୍ନ ଅଞ୍ଚଳରେ ବସବାସ କରୁଛନ୍ତି । ଏହାଛଡ଼ା ରେଳ ଓ ସଡ଼କ ପଥରେ ବି କେତେକ ଓଡ଼ିଶା ପଳାଇ ଆସିଥିବା କୁହାଯାଉଛି । ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି କେନ୍ଦ୍ରାପଡ଼ା, ଜଗତସିଂହପୁର, ଗଞ୍ଜାମ ଆଦି ଜିଲ୍ଲାରେ ଆନୁପାତିକ ଭାବେ ଏଭଳି ସନ୍ଦିଗ୍ଧ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଅଧିକ ବୋଲି ଅନୁମାନ କରାଯାଉଛି । ତେବେ ବିଧିବ୍ୟବସ୍ଥା ଅନୁଯାୟୀ ବିଭିନ୍ନ କାଗଜପତ୍ର ଯାଞ୍ଚ କରି ଯେଉଁମାନେ ପ୍ରକୃତରେ ଭାରତର ନାଗରିକ ସେମାନଙ୍କୁ ଏହି ସନ୍ଦିଗ୍ଧ ତାଲିକାରୁ ବାଦ୍ ଦିଆଯାଇଛି । ଏହା ଏକ ନିୟମିତ ପ୍ରକ୍ରିୟା ଏବଂ ଆଇନ୍ନୁମୋଦିତ ପନ୍ଥାରେ ଚିହ୍ନଟ ଚାଲିଥାଏ ବୋଲି କୁହାଯାଉଛି । (ତଥ୍ୟ)

