ଭୁବନେଶ୍ୱର : ରାଜ୍ୟର ସହରାଞ୍ଚଳରେ ଭଡା ଘରେ ଚାଲୁଥିବା ଡାକ୍ତରଖାନା ଓ ନର୍ସିଂହୋମ୍ଗୁଡିକ ଏବେ ସ୍ଥାନୀୟ ଲୋକଙ୍କ ପାଇଁ କାଳ ହେଲାଣି । ଏଥିଯୋଗୁଁ କେବଳ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉନାହିଁ, ମାରାତ୍ମକ ସଂକ୍ରମଣର ଭୟ ବି ଲୋକଙ୍କୁ ଘାରୁଛି ।
ସରକାରୀ ତାଲିକାରେ ରାଜ୍ୟର ଏବେ ୧୨୦୯ଟି ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ଥିବାବେଳେ ଏଥିରୁ ମାତ୍ର ୪୩୩ଟିର ନିଜସ୍ୱ ଘର ରହିଛି । ଅନ୍ୟ ସମସ୍ତ ୭୭୬ଟି ଘରୋଇ ଚିକିତ୍ସାଳୟ ଭଡାଘରେ ଚାଲୁଛି । ତେବେ ସହରାଞ୍ଚଳରେ ଏଗୁଡିକ ଘନ ଜନବସତି ଅଞ୍ଚଳରେ ଏପରିକି ଆପାର୍ଟମେଣ୍ଟରେ ଭଡାଘରେ ଚାଲୁଥିବା ଲକ୍ଷ୍ୟ କରାଯାଉଛି ।
ଘରୋଇ ଡାକ୍ତରଖାନାଗୁଡିକ ଯେଉଁଠାରେ ପ୍ରଥମେ ଗୋଟିଏ ଘର ଭଡାନେଇ ନିଜର ବ୍ୟବସାୟ ଆରମ୍ଭ କରୁଛନ୍ତି ଧିରେ ଧିରେ ଆଖପାଖରେ ଥିବା ଘରକୁ ମଧ୍ୟ ଚଢା ଦରରେ ଭଡା ନେଇ ଚିକିତ୍ସାଳୟରେ ପରିଣତ କରିଦେଉଛନ୍ତି । ଯଦିଓ ଏହି ଘରଗୁଡିକ ଚିକିତ୍ସାଳୟ ଅନୁଯାୟୀ ନିର୍ମାଣ ହୋଇନାହିଁ, କିନ୍ତୁ ଡାକ୍ତରଖାନା କର୍ତ୍ତୃପକ୍ଷ ନିଜର ବ୍ୟବସାୟ ଓ ଘର ମାଲିକ ଅଧିକ ଭଡା ଲୋଭରେ ଏହାକୁ ଚିକିତ୍ସାଳୟରେ ରୂପାନ୍ତରିତ କରୁଛନ୍ତି ।
ସହରର ଯେଉଁସବୁ ସ୍ଥାନରେ ଏହିଭଳି ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ଖୋଲିଛି ସେଠାରେ ଆଖପାଖରେ ରହୁଥିବା ଲୋକଙ୍କ ଜୀବନ ଦୁର୍ବିସହ ହେବାରେ ଲାଗିଛି । ନିଜ ନିଜ ଘର ଆଗରେ ନିଜର ଗାଡିଟିକୁ ରଖିବାକୁ ବି ଲୋକେ ସ୍ଥାନଟିକେ ପାଉନାହାନ୍ତି । ସେହିସବୁ ଚିକିତ୍ସାଳୟକୁ ଆସୁଥିବା ଲୋକେ ନିଜ ନିଜର ଯାନବାହାନକୁ ଆଖପାଖରେ ଥିବା ଲୋକଙ୍କ ଘର ସାମ୍ନାରେ ହେଉ କିମ୍ବା ରାସ୍ତା ଉପରେ ରଖିଦେଇ ଚାଲିଯାଉଛନ୍ତି । ଫଳରେ ସ୍ଥାନୀୟ ଲୋକେ ଅଧିକାଂଶ ସମୟରେ ନିଜ ଘରକୁ ବି ସହଜରେ ଯାଇପାରୁ ନାହାନ୍ତି ।
କେବଳ ଟ୍ରାଫିକ ସମସ୍ୟା ନୁହେଁ, ଆଖପାଖରେ ସଂକ୍ରମଣର ଭୟ ବି ଲୋକଙ୍କୁ ଘାରିଛି । କାରଣ ଏହିସବୁ ଚିକିତ୍ସାଳୟକୁ ବିଭିନ୍ନ ସଂକ୍ରାମକ ରୋଗୀ ଆସିବା ସହିତ ସେଠାରେ ଦିନ ଦିନ ଧରି ରହି ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ହେଉଥିବା ସମୟରେ ସେମାନଙ୍କର ପୋଷାକପତ୍ରକୁ ରାସ୍ତା ଉପରେ କିମ୍ବା ଘରର ଛାତ ଉପରେ ଶୁଖାଉଛନ୍ତି । ରୋଗୀଙ୍କ ସମ୍ପର୍କୀୟମାନେ ଆଖପାଖରେ ଥିବା ସ୍ଥାନକୁ ଯାତାୟତ କରିବା ସହିତ ବର୍ଜ୍ୟ ଫିଙ୍ଗିବା ଲକ୍ଷ୍ୟ କରାଯାଉଛି । ଏହାକୁ ନେଇ ସ୍ଥାନୀୟ ଲୋକେ ଚିନ୍ତାବ୍ୟକ୍ତ କରୁଥିବାବେଳେ ଯେଉଁ କେତେକ ସ୍ଥାନରେ ଆପାର୍ଟମେଣ୍ଟ ତଳେ ରୋଗୀମାନେ ଚିକିତ୍ସିତ ହେଉଛନ୍ତି ସେଠାରେ ଲୋକେ ଅତ୍ୟନ୍ତ ଭୟାତୁର ଅବସ୍ଥାରେ ରହୁଛନ୍ତି ।
ଉଲ୍ଲେଖନୀୟ ଯେ ରାଜ୍ୟରେ ଥିବା ୧୨୦୯ଟି ଘରୋଇ ଡାକ୍ତରଖାନା ଓ ନର୍ସିଂହୋମ୍ ମଧ୍ୟରୁ ସର୍ବାଧିକ ୨୫୬ଟି କଟକ ଜିଲ୍ଲାରେ ଥିବାବେଳେ ଏଥି ମଧ୍ୟରୁ ୨୧୫ଟି ଭଡାଘରେ ଚାଲିଛି । ସେହିଭଳି ଖୋରଧା ଜିଲ୍ଲାରେ ଥିବା ୧୯୧ଟି ଘରୋଇ ଚିକିତ୍ସାଳୟ ମଧ୍ୟରୁ ୧୧୮ଟି ଭଡାଘରେ ଚାଲୁଥିବାବେଳେ ଗଞ୍ଜାମରେ ଥିବା ୧୦୬ଟି ରୁ ୬୪ଟି ଭଡାଘରେ କାର୍ଯ୍ୟକରୁଛି । ମାଲକାନଗିରି ଓ ବୌଦ୍ଦ ଜିଲ୍ଲାରେ ଆଦୌ ଘରୋଇ ଡାକ୍ତରଖାନା କିମ୍ବା ନର୍ସିଂହୋମ୍ ନଥିବା ସରକାରୀ ତାଲିକାରେ ଉଲ୍ଲେଖ ଅଛି ।
ତେବେ ବ୍ୟବସାୟ ପାଇଁ ଏହିସବୁ ଘରୋଇ ଚିକିତ୍ସାଳୟ ସହରାଞ୍ଚଳର ପ୍ରମୁଖ ଜନବସତି ଅଞ୍ଚଳକୁ ବାଛୁଥିବାବେଳେ ଏମାନଙ୍କୁ କିଭଳି ସରକାରୀ ଅନୁମତି ମିଳୁଛି ତାହା ବଡ ପ୍ରଶ୍ନବାଚୀ ହୋଇଛି । କାରଣ ଘରୋଇ ଡାକ୍ତରଖାନା ବା ନର୍ସିଂହୋମ୍ କେଉଁଠାରେ କିଭଳି ଖୋଲିବ ସେଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଥିବା ଡିଏମଇଟି ଅନୁମତି ପ୍ରଦାନ କରିଥାନ୍ତି । (ତଥ୍ୟ)

