Home General ସଂରକ୍ଷଣ ବଢ଼ୁଛି କମୁଛି କାହିଁକି?

ସଂରକ୍ଷଣ ବଢ଼ୁଛି କମୁଛି କାହିଁକି?

ଭୁବନେଶ୍ୱର : ଡାକ୍ତରୀ, ଇଞ୍ଜିନିୟରିଂ ସମେତ ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଛୁଆ ବର୍ଗ (ଏସଇବିସି)ଙ୍କ ପାଇଁ ରାଜ୍ୟ ସରକାର ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିବା ପରେ ଏଥିଘେନି ମିଶ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଜାତୀୟ ସ୍ତରରେ ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଥିବାବେଳେ ଓଡ଼ିଶାରେ କାହିଁକି ଏହା ୧୧.୨୫ ପ୍ରତିଶତରେ ସୀମିତ ରଖାଯାଇଛି ବୋଲି କେତେକ ମହଲ ପ୍ରଶ୍ନ କରୁଥିବାବେଳେ ଆଉ କେତେକ ଏହାକୁ ସ୍ୱାଗତ କରିଛନ୍ତି ।

ଏଠାରେ ଉଲ୍ଳେଖନୀୟ ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜାନଜାତି ବର୍ଗଙ୍କ ପାଇଁ ସରକାରୀ ଚାକିରି କ୍ଷେତ୍ରରେ ପୂର୍ବରୁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରଖିଥିଲେ । ତଦନୁଯାୟୀ ଏହି ଦୁଇବର୍ଗଙ୍କ ପାଇଁ କେନ୍ଦ୍ର ସରକାର ଚାକିରିରେ ୨୨.୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିଥିବାବେଳେ ଓଡ଼ିଶାରେ ଏହି ଦୁଇ ବର୍ଗଙ୍କ ପାଇଁ ୩୮.୭୫ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖାଯାଇଛି । ପୂର୍ବରୁ କେନ୍ଦ୍ର ସରକାର ପଛୁଆ ବର୍ଗଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ମଧ୍ୟ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରଖିଥିଲେ । ରାଜ୍ୟରେ ଅନୁସୂଚିତ ବର୍ଗଙ୍କ ପାଇଁ ସଂରକ୍ଷଣ ସୁବିଧା ଶିକ୍ଷାନୁଷ୍ଠାନରେ ରହିଥିବାବେଳେ ପଛୁଆବର୍ଗ କିନ୍ତୁ ଏଥିରୁ ବଞ୍ôଚତ ହେଉଥିଲେ ।

ଏବେ ରାଜ୍ୟ ସରକାର ସରକାରୀ ଚାକିରି ପାଇଁ ଶିକ୍ଷାନୁଷ୍ଠାନରେ ନାମାଙ୍କନ ବେଳେ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ୧୬.୨୫, ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୨୨.୫୦ ଓ ଏସ୍‍ଇବିସିଙ୍କ ପାଇଁ ୧୧.୨୫ ପ୍ରତିଶତ ସ୍ଥାନ ସଂରକ୍ଷିତ ରଖିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ମୋରାରଜି ଦେଶାଇଙ୍କ ସରକାର ସମୟରେ ପଛୁଆ ଜାତିଙ୍କ ସଂରକ୍ଷଣ ପ୍ରସଂଗରେ ବି.ପି ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଏକ କମିଶନ ବସାଯାଇଥିଲା । ଏହି କମିଶନଙ୍କ ରିପୋର୍ଟ ଦୀର୍ଘବର୍ଷ ଧରି ଅମଲାତନ୍ତ୍ରର ନଥିରେ ବାନ୍ଧି ହୋଇରହିବା ପରେ ବିଶ୍ୱନାଥ ପ୍ରତାପ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ପଛୁଆବର୍ଗଙ୍କ ଲାଗି ଚାକିରି କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରାଯିବାରୁ ଦେଶବ୍ୟାପି ଆନ୍ଦୋଳନ ଚାଲିବା ସହିତ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା । ସେତେବେଳେ ସୁପ୍ରିମକୋର୍ଟ ଏହି ୩ବର୍ଗଙ୍କ ଲାଗି ଚାକିରିରେ ସଂରକ୍ଷଣ ସୀମା ମୋଟାମୋଟି ଭାବେ ୫୦ ପ୍ରତିଶତକୁ ଟପିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ । ତେବେ ଯେଉଁ କ୍ଷେତ୍ରରେ ଧାର୍ଯ୍ୟ ସୀମାଠାରୁ ଅଧିକ ସଂରକ୍ଷଣ ଆବଶ୍ୟକ ପଡ଼ିବ ତାହା ସମ୍ବିଧାନର ୩୧ ଧାରା ମୁତାବକ ନବମ ଅନୁଚ୍ଛେଦରେ ସ୍ଥାନିତ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ।

୯୦ ଦଶକରେ କେନ୍ଦ୍ର ସରକାର ମଣ୍ଡଳ କମିଶନଙ୍କ ସୁପାରିସ ଲାଗୁ କରିଥିବାବେଳେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଗରିବଙ୍କ ଜାତି ନାହିଁ ବୋଲି ମନ୍ତବ୍ୟ ଦେଇ ଜଷ୍ଟିସ ନବକିଶୋର ଦାସ କମିଶନ ବସାଇଥିଲେ । ଜଷ୍ଟିସ ଦାସ କମିଶନ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ମତ ଦେବାରୁ ରାଜ୍ୟ ସରକାର ପ୍ରଥମେ ଏସ୍‍ଇବିସିଙ୍କ ପାଇଁ ୧୯୯୩ ମସିହାରେ ୧୨ ପ୍ରତିଶତ ସଂରକ୍ଷଣ କରି ପରେ ୧୯୯୪ରେ ତାହା ୨୭ ପ୍ରତିଶତକୁ ବଢ଼ାଇଥିଲେ ।

ତେବେ ଏହି ବର୍ଦ୍ଧିତ ସଂରକ୍ଷଣ ବିରୋଧରେ ସ୍ୟାଟ୍‍ରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ରାୟ ଦେବା ପରିପ୍ରେକ୍ଷରେ ସରକାର ପୁଣି ତାହା ୧୧.୨୫ ପ୍ରତିଶତକୁ କମାଇଥିଲେ । ୨୦୦୮ ମସିହାରେ ରାଜ୍ୟ ସରକାର ଏକ ନୂଆ ଆଇନ୍‍ ପ୍ରଣୟନ କରି ଚାକିରି କ୍ଷେତ୍ରରେ ଏସ୍‍ଇବିସିଙ୍କ ସଂରକ୍ଷଣକୁ ପୁଣି ୨୭ ପ୍ରତିଶତକୁ ବଢ଼ାଇଥିବାବେଳେ ସ୍ୟାଟ୍‍ ଓ ହାଇକୋର୍ଟରେ ତାହା କାଟ୍‍ ଖାଇବା ପରିପ୍ରେକ୍ଷୀରେ ରାଜ୍ୟ ସରକାର ବାଧ୍ୟ ହୋଇ ଏହାକୁ ୧୧.୨୫ ପ୍ରତିଶତକୁ ହ୍ରାସ କରିଥିଲେ ଯାହା ଏବେ ବଳବତ୍ତର ରହିଛି । ତେବେ ସୁପ୍ରିମକୋର୍ଟ ବିଭିନ୍ନ ମାମଲାରେ ‘କ୍ରିମି ଲେୟାର’ ବା ସ୍ୱଚ୍ଛଳ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍‍ ଦେବା ପାଇଁ ଯେଉଁ ରାୟ ଦେଇଆସୁଛନ୍ତି ତାହାର ଏଯାବତ୍‍ ଠିକଣା ଅନୁପାଳନ ହୋଇପାରି ନାହିଁ ।(ତଥ୍ୟ)