ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗୁଡିକରେ କୁଳପତି ଓ ଅଧ୍ୟାପକ ମରୁଡି ସ୍ଥିତି ଜାରି ରହିଥିବାକୁ ନେଇ, ଆଜି ବିଜୁ ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ।
ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ, ଉଚ୍ଚଶିକ୍ଷା ବିଭାଗର ଏଭଳି ଦୁର୍ଦ୍ଦଶା, ରାଜ୍ୟ ସରକାରଙ୍କ ଅପାରଗ ପଣିଆର ପରିଣାମ ବୋଲି କହିଥିଲେ ।
ଶ୍ରୀ ଚିନ୍ମୟ ସାହୁ କହିଥିଲେ, ରାଜ୍ୟର ଉଚ୍ଚଶିକ୍ଷା ବିଭାଗ ଏକ ପ୍ରକାରର ପଙ୍ଗୁ ହୋଇଯାଇଛି । ରାଜ୍ୟରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟ ଭିତରୁ ୧୪ଟି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ଅଧିକାଂଶ ସ୍ଥାନରେ ଅଧ୍ୟାପକ ପଦବୀ ଗୁଡିକ ମଧ୍ୟ ଖାଲି ପଡିଛି । ସ୍ଥାୟୀ କୁଳପତି ନିଯୁକ୍ତି ନହେଲା ପର୍ଯ୍ୟନ୍ତ ଖାଲି ଥିବା ଅଧ୍ୟାପକ ପଦବୀ ଗୁଡିକ ପୂରଣ ହୋଇପାରିବ ନାହିଁ ।
ବିଜୁ ଯୁବ ଜନତା ଦଳ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ଏଥିନେଇ ବିକ୍ଷୋଭ ପ୍ରଦର୍ଶନ ସହିତ ମହାମହିମ ରାଜ୍ୟପାଳଙ୍କୁ ମଧ୍ୟ ଭେଟି କୁଳପତି ପଦବୀ ଗୁଡିକ ତୁରନ୍ତ ପୂରଣ ପାଇଁ ନିବେଦନ କରାଯାଇଥିଲା । ରାଜ୍ୟପାଳ ମହୋଦୟ ମଧ୍ୟ ଶୀଘ୍ର ଏହା ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର ୯ ମାସ ବିତି ଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇପାରି ନାହିଁ ।
ଶ୍ରୀ ସାହୁ ଆହୁରି କହିଥିଲେ, ନବୀନ ସରକାରଙ୍କ ସମୟରେ ଏହି ନିଯୁକ୍ତି ଦାୟିତ୍ୱ ରାଜ୍ୟ ପବ୍ଲିକ ସର୍ଭିସ କମିସନଙ୍କୁ ଦିଆଯାଇଥିଲା । ବିଦାୟ କୁଳପତି ମାନଙ୍କ ଅବସର ସମୟର ୬ ମାସ ପୂର୍ବରୁ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଯାଉଥିଲା । କିନ୍ତୁ ସେ ବ୍ୟବସ୍ଥାକୁ ଏବେ ଉଚ୍ଛେଦ କରି ଦେଇଛନ୍ତି । ଲମ୍ୱା ସମୟ ଧରି ଏହି ପଦବୀ ଗୁଡିକ ଖାଲି ପଡ଼ିଥିବାରୁ, ବିଶ୍ୱବିଦ୍ୟାଳୟ ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଓଡ଼ିଆ ବିଶ୍ୱବିଦ୍ୟାଳୟ ନବୀନ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ।
ଏବେ କୁଳପତିଙ୍କ ସମେତ ସମସ୍ତ ୨୧ଟି ଅଧ୍ୟାପକ ପଦବୀ ଖାଲି ପଡିଛି । ବର୍ତ୍ତମାନ ବିଜେପି ସରକାର କ୍ଷମତାସୀନ ହେବା ପରେ ରାଜ୍ୟର ବିଶ୍ୱବିଦ୍ୟାଳୟ ଗୁଡିକରେ ଗୌରୀକିକରଣ କରିବାକୁ ପ୍ରୟାସ କରାଯାଉଛି । ଯୋଗ୍ୟତା ଭିତିରେ ନୁହେଁ ବରଂ ସେମାନଙ୍କ ଆନୁଗତ୍ୟ ଦେଖାଯାଉଛି । ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଗୁଡିକର ଅଟୋନୋମିକୁ ଅକ୍ଷୁଣ୍ଣ ରଖନ୍ତୁ ଏବଂ ସ୍ୱଚ୍ଛତାର ସହିତ ନିଯୁକ୍ତି ପ୍ରକ୍ରିୟା ଶେଷ କରନ୍ତୁ ।
ଇପ୍ସିତା ସାହୁ କହିଥିଲେ, ଶିକ୍ଷା ବ୍ୟବସ୍ଥା ସମାଜ ବିକାଶର ମେରୁଦଣ୍ଡ । ରାଜ୍ୟର ବିକାଶ ପାଇଁ ଶିକ୍ଷାର ବିକାଶ ଜରୁରୀ । କିନ୍ତୁ ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କୌଣସି ପଦକ୍ଷେପ ନେଉ ନାହାନ୍ତି । ରାଜ୍ୟ ବିଜେପି ସରକାରଙ୍କ ଗୌରୀକିକରଣ ମନୋଭାବ ଯୋଗୁଁ ଓ କେଉଁଠି କିଏ ରହିବେ, ସେଥିନେଇ ଦଳୀୟ ନେତାଙ୍କ ଭିତରେ ମତଭେଦ ରହିଥିବା ଯୋଗୁଁ ଏହି ନିଯୁକ୍ତି ପ୍ରକ୍ରିୟା ହୋଇପାରୁନାହିଁ । ରାଜ୍ୟର ଶିକ୍ଷା ବ୍ୟବସ୍ଥା ପ୍ରତି ଏହି ଅନ୍ୟାୟକୁ ବରଦାସ୍ତ କରାଯିବ ନାହିଁ । ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା କୁଳପତି ପଦବୀ ଗୁଡିକ ପୂରଣ ନହେଲେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଆନେ୍ଦାଳନକୁ ଓହ୍ଲାଇବ ।

