Home General ଆଉ ମିଳିବନି ୫କିଲୋ ଗ୍ୟାସ ଟାଙ୍କି

ଆଉ ମିଳିବନି ୫କିଲୋ ଗ୍ୟାସ ଟାଙ୍କି

ଭୁବନେଶ୍ୱର : ଆଉ ଖୋଲା ବଜାରରେ ମିଳିବନି ଗ୍ୟାସ୍। ପୂର୍ବଭଳି ଆଉ ଖୋଲା ବଜାରରେ ଭର୍ତ୍ତି ହେବନି ୫ କେଜି ଗ୍ୟାସ ଟାଙ୍କି। ଏନେଇ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଯୋଗାଣ ବିଭାଗର ଏଭଳି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ବିରୋଧୀ। ୫କେଜି ଗ୍ୟାସ ଭର୍ତ୍ତି ନହେଲେ ରାଜ୍ୟରେ ଅନାହାର ପରିସ୍ଥିତି ଉପୁଜିବ ବୋଲି ସତର୍କ କରାଇଦେଇଛନ୍ତି ବିରୋଧୀ।

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ଗ୍ୟାସ ଯୋଗାଣରେ ଅଙ୍କୁଶ ଲଗାଯାଇଛି। ଖାସ କରି ଖୋଲା ବଜାରରେ ମିଳୁଥିବା ଗ୍ୟାସ ଦର ଅଚାନକ ବଢିବା ସହ ଗ୍ରାହକଙ୍କୁ ମିଳିବା ମଧ୍ୟ କଷ୍ଟ ହେଉଥିଲା। ଏସବୁ ଭିତରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ଗ୍ୟାସ୍ ସଙ୍କଟକୁ ଦୃଷ୍ଟିରେ ରଖି ଏଣିକି ଖୋଲା ବଜାରରେ ଗ୍ୟାସ ବିକ୍ରି ଉପରେ କଟକଣା ଜାରି କରାଯାଇଛି।

 ଖୋଲା ବଜାରରେ ଆଉ ଗ୍ୟାସ ବିକ୍ରି କରାଯାଇପାରିବନାହିଁ। ଏହାସହିତ ୫ କେଜି ବାଲା ଗ୍ୟାସ ସିଲିଣ୍ଡରରେ ବି ଗ୍ୟାସ୍ ଭର୍ତ୍ତି କରାଯିବନାହିଁ। ଗ୍ୟାସ ବିକ୍ରି ନେଇ ଇ-କେଓ୍ବାଇସି କରାଯିବ। କେବଳ ଯାହା ନାଁରେ କାର୍ଡ ଥିବା, ସେମାନେ ହିଁ ଗ୍ୟାସ ଏଜେନ୍ସିରୁ ଗ୍ୟାସ ଟାଙ୍କି ନେଇପାରିବେ।

ଯୋଗାଣ ବିଭାଗର ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ରାଜ୍ୟରେ ଅନାହାର ପରିସ୍ଥିତି ସୃଷ୍ଟି କରିବ ବୋଲି ସତର୍କ କରାଇଦେଇଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ପାଠ ପଢା ପିଲା କେଉଁଠି ଗ୍ୟାସ ଆଣିବ। ଛୋଟ ପରିବାର କେମିତି ଚଳିବ। ସରକାର ଲୋକଙ୍କୁ ଗ୍ୟାସ ଦେଇ ପାରୁନାହାନ୍ତି। ହୋଟେଲ  ବନ୍ଦ ହେଲାଣି। ଏହାଦ୍ୱାରା କଳାବଜାରୀ ବଢିବ।

ଆଗାମୀ ଦିନରେ ଅନାହାର ଦେଖାଦେବ, ତେଣୁ ସରକାର ଏହାର ପୁନର୍ବିଚାର କରିବାକୁ ସେ ଦାବି କରିଛନ୍ତି। ସମାନ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଗରିବଗୁରୁବା ଲୋକମାନେ ମୁଖ୍ୟତଃ ୫ଟଙ୍କିଆ ଗ୍ୟାସ ବ୍ୟବହାର କରନ୍ତି। ବଜାରରେ ୫କିଲୋ ଗ୍ୟାସ ଟାଙ୍କି ଭର୍ତ୍ତି ନହେଲେ ସେମାନେ ଖାଇବାକୁ ପାଇବେନି ବୋଲି କହିଛନ୍ତି ତାରା।