Home News in Odia ରାଜଧାନୀକୁ ବିପଦ ପ୍ରଦୂଷିତ ଗଙ୍ଗୁଆ

ରାଜଧାନୀକୁ ବିପଦ ପ୍ରଦୂଷିତ ଗଙ୍ଗୁଆ

ଭୁବନେଶ୍ୱର : ରାଜଧାନୀର ଜଳ ନିଷ୍କାସନ ପାଇଁ ଥିବା ପ୍ରାକୃତିକ ନାଳ ଗଙ୍ଗୁଆ ଏବେ ରାଜଧାନୀବାସୀଙ୍କ ପାଇଁ ବିପଦ ପାଲଟିଛି । ଏହାର ଜଳ ପ୍ରଦୂଷିତ ହେବା ସହିତ ସହର ଭିତରେ ମଶାବଂଶ ବୃଦ୍ଧିର ପ୍ରମୁଖ ସ୍ଥଳୀ ପାଲଟିଛି ।

ଚନ୍ଦକାରୁ ବାହାରି ଦୟାନଦୀରେ ମିଶିଥିବା ୪୫ କିଲୋମିଟର ଦୈର୍ଘ୍ୟ ଗଙ୍ଗୁଆ ନାଳ ସହର ଭିତରେ ୨୩ କିଲୋମିଟର ପ୍ରବାହିତ ହେଉଛି । ସହର ଭିତରରୁ ଜଳ ନିଷ୍କାସନର ଏହା ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ବର୍ତ୍ତମାନ ଜଳ ସହିତ ଏହା ମଳ ନିଷ୍କାସନର ବି ମାଧ୍ୟମ ପାଲଟିଛି । ଅନେକ ସ୍ଥାନରେ ସ୍ୱରେଜ ବର୍ଜ୍ୟକୁ ଲୋକେ ସିଧାସଳଖ ଗଙ୍ଗୁଆରେ ଛାଡିବା ଯୋଗୁଁ ଏହାର ଜଳ ଅତ୍ୟନ୍ତ ଦୂଷିତ ହେବାରେ ଲାଗିଛି ।

ଗଙ୍ଗୁଆର ଜଳ ଦୂଷିତ ନେଇ ଖୋଦ ସରକାର ବି ସ୍ୱୀକାର କରୁଛନ୍ତି । ଏହାର ଜଳ ଏଭଳି ପ୍ରଦୂଷିତ ହୋଇଛି ଯେ ପ୍ରାକୃତିକ ଉପାୟରେ ଏହାକୁ ବିଶୋଧନ କରି ସେବନ କରିବା ପାଇଁ ଅତ୍ୟନ୍ତ ଅନୁପଯୁକ୍ତ । ରାଜଧାନୀର ବର୍ଜ୍ୟ ଏହି ନାଳରେ ମିଶିବା ଫଳରେ ଏଭଳି ସ୍ଥିତି ଉପୁଜିଛି । ରାଜଧାନୀର ମଳକୁ ବୋହୁଥିବା ଗଙ୍ଗୁଆ ଏବେ ନିଜେ ପ୍ରଦୂଷିତ ହେବା ସହିତ ଦୟାନଦୀକୁ ବି ପ୍ରଦୂଷିତ କରିବାରେ ଲାଗିଛି ।

ଗଙ୍ଗୁଆକୁ ପ୍ରଦୂଷଣମୁକ୍ତ ପାଇଁ ସରକାର ୫ଟି ବର୍ଜ୍ୟଜଳ ବିଶୋଧନାଗାର ପ୍ରତିଷ୍ଠା କରିଛନ୍ତି । ହେଲେ ଏହା ସହରରୁ ବାହାରୁଥିବା ସମସ୍ତ ଜଳକୁ ବିଶୋଧନ କରିପାରୁ ନାହିଁ । ଏଥି ସହିତ ୭୫ଏମଏଲ୍‍ଡି କ୍ଷମତା ବିଶିଷ୍ଟ ଦୁଇଟି ମଳ ପରିଚାଳନା କେନ୍ଦ୍ର ବି କାର୍ଯ୍ୟକ୍ଷମ ରହିଛି । ତେବେ ସ୍ଥିତିର ଗମ୍ଭୀରତାକୁ ଦେଖି ଆଉ ଗୋଟିଏ ୬୦ ଏମଏଲଡି ବିଶିଷ୍ଟ ବର୍ଜ୍ୟଜଳ ପରିଚାଳନା କେନ୍ଦ୍ର ଗଙ୍ଗୁଆ ଓ ଦୟାନଦୀର ସଙ୍ଗମସ୍ଥଳରେ ନିର୍ମାଣ ପାଇଁ ଯୋଜନା ରହିଛି । ଏହା କାର୍ଯ୍ୟକ୍ଷମ ହେଲେ ଦୟାନଦୀକୁ ପ୍ରଦୂଷଣରୁ କିଛିଟା ରକ୍ଷା କରାଯାଇ ପାରିବ ବୋଲି ସରକାର କହୁଛନ୍ତି ।

ତେବେ ଗଙ୍ଗୁଆକୁ ଅଧିକ ପ୍ରଦୂଷଣରୁ ରୋକିବା ପାଇଁ ଭୁବନେଶ୍ୱର ମହାନଗର ସେଭଳି କୌଣସି ଠୋସ୍‍ ପଦକ୍ଷେପ ଗ୍ରହଣ କରୁଥିବା ଲକ୍ଷ୍ୟ କରାଯାଉନାହିଁ । ବଡ ପ୍ରକଳ୍ପ ହାତକୁ ନେବା ପୂର୍ବରୁ ବର୍ତ୍ତମାନ ଗଙ୍ଗୁଆନାଳ ଆଖପାଖର ଲୋକେ ଏଠାରେ ଯେଭଳି ବର୍ଜ୍ୟ ନଫିଙ୍ଗିବେ ସେଥିପାଇଁ କଠୋରତା ଦେଖାଇବା ଜରୁରୀ ହୋଇପଡିଛି । ନାଳର ଆଖପାଖରେ ଗଢି ଉଠିଥିବା ବସ୍ତି ଓ ଜନବସତିର ବର୍ଜ୍ୟଜଳ ଓ ମଳ କେଉଁ ସ୍ଥାନରେ ପଡୁଛି ତାହାର ସର୍ଭେ ହେବା ଆବଶ୍ୟକ । ଯେଉଁମାନେ ଗଙ୍ଗୁଆ ନାଳକୁ ସିଧାସଳଖ ବର୍ଜ୍ୟ ଛାଡୁଛନ୍ତି ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାାନୁଷ୍ଠାନ ଗ୍ରହଣ କରାଗଲେ ଏହି ପ୍ରଦୂଷଣକୁ କିଛି ମାତ୍ରାରେ ରୋକାଯାଇ ପାରନ୍ତା ।

କିଛିଦିନ ପୂର୍ବେ ଦୟା ଅବବାହିକାର ଗ୍ରାମାଞ୍ଚଳରେ ଜଳ ପ୍ରଦୂଷଣ ଯୋଗୁଁ ଲୋକେ ଝାଡାବାନ୍ତି ଓ ଜଣ୍ଡିସ ରୋଗରେ ଏଭଳି ଆକ୍ରାନ୍ତ ହୋଇଥିଲେ ଯେ ଗାଁ ଗହଳରେ ଭୋଜିଭାତ ଉପରେ କଟକଣା ଲାଗିଥିଲା । ସେତେବେଳେ ଏହି ପ୍ରଦୂଷଣ ପାଇଁ ରାଜଧାନୀର ଦୂଷିତ ଜଳକୁ ଦାୟୀ କରାଯାଇଥିଲା । ଏହାପରେ ପ୍ରଶାସନ କେତେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ପରେ ତାହା ପୁଣି ଯଥା ପୂର୍ବଂ ତଥା ପରଂ ଅବସ୍ଥାରେ ପହଞ୍ଚିଛି ।

ବର୍ତ୍ତମାନ ରାଜଧାନୀର ଅଧିକାଂଶ ବସ୍ତିର ବର୍ଜ୍ୟ ଜଳ ଓ ମଳ ସିଧାସଳଖ ଭାବେ ପ୍ରମୁଖ ନାଳଗୁଡିକରେ ପଡିଥିବା ଯୋଗୁଁ ପରୋକ୍ଷରେ ଏହା ଗଙ୍ଗୁଆରେ ମିଶୁଛି ଓ ଏହାକୁ ପ୍ରଦୂଷିତ କରିବାରେ ଲାଗିଛି । ତେଣୁ ସହର ଭିତରେ ଓ ଆଖପାଖରେ ଗଢି ଉଠୁଥିବା ଜନବସତି ସଂକ୍ରାନ୍ତରେ ସବିଶେଷ ସୂଚନା ସଂଗ୍ରହଣ କରାଯାଇ ସେମାନଙ୍କ ବର୍ଜ୍ୟଜଳର ସଠିକ୍‍ ପରିଚାଳନା କରାଗଲେ କେବଳ ଗଙ୍ଗୁଆ ନୁହେଁ, ଅନ୍ୟାନ୍ୟ ଜଳ ଉତ୍ସ ବି ପ୍ରଦୂଷଣରୁ ରକ୍ଷାପାଇପାରିବ । (ତଥ୍ୟ)