Home Agriculture ଅତି ଶସ୍ତାରେ ଆଳୁ ବିକ୍ରି

ଅତି ଶସ୍ତାରେ ଆଳୁ ବିକ୍ରି

ଭୁବନେଶ୍ୱର : ଆବଶ୍ୟକ ସଂଖ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟହୋଇ ଉତ୍ପାଦିତ ଆଳୁକୁ ଅତି ଶସ୍ତା ଦରରେ ବ୍ୟବସାୟୀମାନଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି । ଏଥିଯୋଗୁଁ ଆଳୁଚାଷ ପାଇଁ କୃଷକମାନଙ୍କ କମୁଛି ବୋଲି ବିଭିନ୍ନ କୃଷକ ସଂଗଠନର ନେତା ଓ ବହୁ ଅଗ୍ରଣୀ ଚାଷୀ ମତବ୍ୟକ୍ତ କରୁଛନ୍ତି ।

ଓଡିଶା ପାଇଁ ବାର୍ଷିକ ପ୍ରାୟ ୧୪ଲକ୍ଷ ମେଟ୍ରିକ ଟନ୍‍ ଆଳୁର ଆବଶ୍ୟକତା ରହିଛି । ରାଜ୍ୟରେ ଏବେ ୪ଲକ୍ଷ ମେଟ୍ରିକ ଟନରୁ ଅଧିକ ଆଳୁ ଉତ୍ପାଦିତ ହେଉଛି ବୋଲି କୁହାଯାଉଥିବାବେଳେ ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରୁ ଓଡିଶା ବାର୍ଷିକ ପ୍ରାୟ ୧୨ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆମଦାନୀ କରୁଛି ।

ଏବେ ଚାଷୀ କିଲୋ ୩ରୁ ୪ ଟଙ୍କା ଦରରେ ବେପାରୀଙ୍କୁ ଆଳୁ ବିକି ଲୁହ ବଦଳରେ ରକ୍ତ କାନ୍ଦୁଛି । ଏହାର ପ୍ରମୁଖ କାରଣ ହେଉଛି ଉତ୍ପାଦିତ ହେଉଥିବା ଆଳୁର ସଂରକ୍ଷଣ ଲାଗି ସମ୍ପୃକ୍ତ ଅଞ୍ଚଳରେ ଶୀତଳଭଣ୍ଡାରର ଅଭାବ । ଗତ ସରକାର ସମୟରେ ଅଧିକାଂଶ ଶୀତଳଭଣ୍ଡାର ବନ୍ଦହୋଇ ଯାଇଥିଲା । ବେସରକାରୀ ଉଦ୍ୟମରେ ଶୀତଳଭଣ୍ଡାର ପ୍ରତିଷ୍ଠା ଲାଗି ସରକାର ଦୀର୍ଘବର୍ଷ ଧରି ପ୍ରୋତ୍ସାହନ ଘୋଷଣା କରିଆସୁଥିଲେ ମଧ୍ୟ ଚଢା ବିଦ୍ୟୁତ୍‍ ଶୁଳ୍କ, ଘନ ଘନ ବିଦ୍ୟୁତ୍‍ କାଟ୍‍ ଓ ଅନ୍ୟାନ୍ୟ କାରଣରୁ ଶୀତଳଭଣ୍ଡାର ନିର୍ମାଣ ପାଇଁ ଉଦ୍ୟୋଗୀମାନେ ବିଶେଷ ଆଗ୍ରହ ପ୍ରଦର୍ଶନ କରୁନାହାନ୍ତି । ଅନ୍ୟ ପକ୍ଷରେ ସମବାୟ ଉଦ୍ୟମରେ ପ୍ରତିଷ୍ଠା ହୋଇଥିବା ଅଧିକାଂଶ ଶୀତଳଭଣ୍ଡାର ପରିଚାଳନାଗତ ଅବ୍ୟବସ୍ଥା ଓ ବିଭିନ୍ନ ବୈଷୟିକ କାରଣରୁ ବନ୍ଦହୋଇ ଯାଉଛି ।

ଚାଷୀମାନେ କହୁଛନ୍ତି ଯେ ଉତ୍ପାଦନ ସମୟରେ କିଲୋ ୮ ରୁ ୧୦ ଟଙ୍କା ଦରରେ ବିକିଲେ ସେମାନଙ୍କର କୌଣସି କ୍ଷତି ହେବନାହିଁ । ତେବେ ତୁରନ୍ତ ବିକ୍ରି ନକରି ବିନା ସଂରକ୍ଷଣରେ ଆଳୁ ରଖିନେଲେ ତାହା ପଚିଯାଉଥିବାରୁ ଚାଷୀମାନେ ବ୍ୟବସାୟୀମାନଙ୍କୁ ଯାଚି ଗୁଞ୍ଜି ବାକିରେ ଆଳୁ ଦେବାକୁ ବାଧ୍ୟ ହେଉଛନ୍ତି । କେତେକ କ୍ଷେତ୍ରରେ ସେମାନଙ୍କୁ ବି ବର୍ଷ ବର୍ଷ ଧରି ବକେୟା ପଇସା ମିଳୁନାହିଁ । ଚାଷୀମାନଙ୍କ ଠାରୁ ଆଳୁ କିଣିବାପାଇଁ ଧାନ ଭଳି ସରକାରଙ୍କର ମଣ୍ଡି ନାହିଁ ।

ଓଡିଶାକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ କରିବାଲାଗି ଗତ ସରକାର ସମୟରେ କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତାରେ ଉଦ୍ୟାନ ମିଶନ ମାଧ୍ୟମରେ ଆଳୁ ମିଶନ ଆରମ୍ଭ ହୋଇଥିଲା । ଏଥିରେ ବିପୁଳ ଅର୍ଥ ସବସିଡ୍‍ ଓ ପ୍ରୋତ୍ସାହନ ଦେବା ନାମରେ ଖର୍ଚ୍ଚ ହୋଇଥିଲେ ମଧ୍ୟ ବ୍ୟାପକ ଅବ୍ୟବସ୍ଥା ଓ ହେରଫେର ଯୋଗୁଁ ଆଳୁ ଚାଷ ଓ ଉତ୍ପାଦନ ପାଇଁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା ତାହା କାଗଜକଲମରେ ଦର୍ଶାଯାଇଥିଲେ ମଧ୍ୟ ବାସ୍ତବରେ ବିଲରେ ଫଳିନଥିଲା ବୋଲି ଚାଷୀ ନେତାମାନେ ଖୋଲାଖୋଲି ଭାବେ କହୁଛନ୍ତି ।

ଏମିତିକି ଗୋଟିଏ ସମୟରେ ନଦୀପଠାରେ ଆଳୁଚାଷ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମଧ୍ୟ ସରକାର ହାତକୁ ନେଇଥିଲେ । ତାହା ବି ଆନ୍ତରିକତାର ଅଭାବ ଯୋଗୁଁ ବ୍ୟର୍ଥ ହୋଇଥିଲା । ପଡୋଶୀ ପଶ୍ଚିମବଙ୍ଗରେ ସନ୍ତୁଳିତ ଯୋଜନା ଯୋଗୁଁ ଚାଷୀମାନେ ଗହୀର ଗହୀର ଆଳୁ ଚାଷ କରି ବେଶ୍‍ ଲାଭବାନ୍‍ ହେଉଛନ୍ତି । ସେଠାରେ ଉଠା ଜଳସେଚନ ସମେତ ନିରନ୍ତର ବିଜୁଳି ଯୋଗାଣ ଏବଂ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ଯୋଜନାବଦ୍ଧ ପଦକ୍ଷେପ ନିଆଯିବାରୁ ପଶ୍ଚିମବଙ୍ଗ ଆଳୁ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇଛି । ଉତ୍ତରପ୍ରଦେଶ, ପଞ୍ଜାବ, ହରିଆନା ଆଦି ରାଜ୍ୟରେ ଉନ୍ନତ ଭିତ୍ତିଭୂମି ଯୋଗୁଁ ଭଲ ଆଳୁଚାଷ ହୋଇପାରୁଛି ଏବଂ ଏଥିରୁ ଏହି ରାଜ୍ୟଗୁଡିକର ଆର୍ଥିକ ସମୃଦ୍ଧି ମଧ୍ୟ ଆସୁଛି ।

ଓଡିଶାର ମାଟି, ପାଣି, ପବନ ଆଳୁ ଚାଷ ପାଇଁ ବେଶ୍‍ ଅନୁକୂଳ ବୋଲି କୃଷି ବିଜ୍ଞାନୀମାନେ କହି ଆସୁଛନ୍ତି । ୩/୪୦ ବର୍ଷ ତଳେ ରାଜ୍ୟର ପ୍ରାୟ ପ୍ରତି ଜିଲ୍ଲାରେ ଚାଷୀମାନେ ଆଗ୍ରହର ସହ ଆଳୁଚାଷ କରୁଥିଲେ ଏବଂ ସେତେବେଳେ ଯେତେ ସଂଖ୍ୟକ ଶୀତଳଭଣ୍ଡ।।ର ଥିଲା ସେଥିରେ ଉତ୍ପଦିତ ଆଳୁର ୫୦ ରୁ ୬୦ ପ୍ରତିଶତ ସଂରକ୍ଷିତ ହୋଇ ରହିପାରୁଥିଲା । କିନ୍ତୁ କ୍ରମଶଃ ଶୀତଳଭଣ୍ଡାରଗୁଡିକ ଅଚଳ ହୋଇଯିବା ଯୋଗୁଁ ସଂରକ୍ଷଣ ସୁବିଧାରୁ ବଞ୍ଚିତ ହୋଇ ଚାଷୀମାନେ ଆଳୁ ଚାଷ କମାଇବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)