ଭୁବନେଶ୍ୱର : ପୁରୀ ପୌରାଞ୍ଚଳ ଛଡ଼ା ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳର ସାମୁଦ୍ରିକ ବେଳାଭୂମି, ନଦୀ, ହ୍ରଦ ଓ ଜଳଭଣ୍ଡାର ଆଦି ନିକଟରେ ମଦ କୁଡ଼ିଆ (ବିଚ୍ ସ୍ୟାକ୍ସ) ଖୋଲାଯାଇପାରିବ ବୋଲି ଓଡ଼ିଶା ସରକାରଙ୍କ ନୂଆ ଅବକାରୀ ନୀତିରେ ଉଲ୍ଳେଖ କରିଛନ୍ତି । ତେବେ ଏହି ମଦ କୁଡ଼ିଆ କୌଣସି ବ୍ୟକ୍ତି ବିଶେଷଙ୍କୁ ଆବଣ୍ଟନ କରାଯିବ ନାହିଁ ।
ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)କୁ ମଦ କୁଡ଼ିଆ ପାଇଁ ଲାଇସେନ୍ସ ଦିଆଯିବ ଏବଂ ଏହାର ପରିଚାଳନା ପାଇଁ ପର୍ଯ୍ୟଟନ ନିଗମ ଯାହାକୁ ଚାହିଁବେ ଦାୟିତ୍ୱରେ ରଖିପାରିବେ । ଓଟିଡିସିର ହୋଟେଲ୍ଗୁଡ଼ିକରେ ଠିପିଖୋଲା ମଦ ବିକ୍ରୟ ପାଇଁ ଲାଇସେନ୍ସ ଫି’ର ଅଧା ନିଆଯିବ । ସେହିଭଳି ଓଟିଡିସିକୁ ବିଭିନ୍ନ ଇକୋ ରିଟ୍ରିଟ୍ ସ୍ଥଳରେ ବି ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି ।
ରାଜ୍ୟ ସରକାର ତାଙ୍କ ଅବକାରୀ ନୀତିରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ପର୍ଯ୍ୟଟନର ବିକାଶ ଲାଗି ମଦ କୁଡ଼ିଆ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ମଦ ପରଷିବାର ବ୍ୟବସ୍ଥା ରହିଛି । ତେବେ ଏଥିଲାଗି ଅବକାରୀ ନୀତିରେ କେତେକ ସର୍ତ୍ତ ଯୋଡ଼ାଯାଇଛି । ପୁରୀ ପୌର ପାଳିକା ଅଞ୍ଚଳରେ ମଦ କୁଡ଼ିଆ ରହିବ ନାହିଁ । ତେବେ ଅନ୍ୟ କେଉଁଠାରେ ସମୁଦ୍ର ବେଳାଭୂମି, ନଦୀତଟ, ହ୍ରଦ କୂଳ ଏବଂ ଜଳଭଣ୍ଡାର ଇତ୍ୟାଦି ନିକଟରେ ମଦ କୁଡ଼ିଆମାନ ରଖାଯିବ ତାହା ପର୍ଯ୍ୟଟନ ବିଭାଗର ଅନୁମୋଦନକ୍ରମେ ସ୍ଥିର ହେବ । ତେବେ ଏହି ମଦ କୁଡ଼ିଆଗୁଡ଼ିକ କେଉଁଠି ସାମୟିକ ଭାବେ ଚାଲିବ କି ଆଉ କେଉଁଠି ବର୍ଷ ତମାମ ଚାଲିବ ତାହା ପର୍ଯ୍ୟଟନ ବିଭାଗ ନିଷ୍ପତ୍ତି ନେବ ।
ଓଟିଡିସି ପ୍ରତ୍ୟକ୍ଷ ଭାବରେ ମଦ କୁୁଡ଼ିଆ ଚଳାଇବ କିମ୍ବା ଏହା ଚଳାଇବା ପାଇଁ ଅନ୍ୟ କାହାକୁ ବି ନିଯୁକ୍ତ କରିପାରିବ । ଏହି ମଦ କୁଡ଼ିଆ ପାଇଁ ରିହାତି ଦରରେ ଓଟିଡିସିକୁ ବାର୍ଷିକ ୭୫ ହଜାର ଟଙ୍କା କରି ଲାଇସେନ୍ସ ଫି’ ଦେବାକୁ ପଡ଼ିବ । ମଦ କୁଡ଼ିଆଗୁଡ଼ିକ ସିଧାସଳଖ ମଦ ଉଠାଇପାରିବେ ନାହିଁ । ଓଟିଡିସି କେବଳ ଏଥିପାଇଁ ଆବଶ୍ୟକ ପରିମାଣରେ ମଦ ଉଠାଇପାରିବ ।
ବେଳାଭୂମି ମଦ କୁଡ଼ିଆଗୁଡ଼ିକରେ ବିକ୍ରି ହେଉଥିବା ମଦର ରପ୍ତାନୀ ଯେଭଳି ଠିକଣା ଭାବେ ସରକାରୀ ଶଳ୍କ ପୈଠ ହୁଏ ତାହାର ଦାୟିତ୍ୱ ବି ଓଟିଡିସି ଉପରେ ନ୍ୟସ୍ତ ରହିବ । ଏହି ମଦ କୁଡ଼ିଆଗୁଡ଼ିକ ଲାଗି ପାଣି ଓ ବିଦ୍ୟୁତ ଯୋଗାଣ, ସ୍ୱରେଜ ବ୍ୟବସ୍ଥା, ପରିମଳ ପରିଚାଳନା ଆଦି ଓଟିଡିସି ନିଜେ କିମ୍ବା ବାହାର ଅନ୍ୟ କୌଣସି ସଂସ୍ଥା ଦ୍ୱାରା କରାଇବ । ମଦ କୁଡ଼ିଆଗୁଡ଼ିକୁ ସ୍ୱତନ୍ତ୍ର ଧରଣର ଖୋଲା ଠିପି ରେଷ୍ଟ୍ରୁରାଣ୍ଟ ଭାବେ ବିବେଚନା କରାଯାଇ ଲାଇସେନ୍ସ ପ୍ରଦାନ କରାଯିବ ।
ପର୍ଯ୍ୟଟନ ବ୍ୟବସାୟ ସହିତ ଜଡ଼ିତ କିଛି ବ୍ୟକ୍ତି କହୁଛନ୍ତି ଯେ ସମୁଦ୍ର, ନଦୀ, ଜଳଭଣ୍ଡାର, ହ୍ରଦ ଆଦି ନିକଟରେ ମଦ୍ୟପାନର ମଜା ଉପଲବ୍ଧ ହେଲେ ଅଧିକରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆକର୍ଷିତ ହେବେ । ବିଶେଷକରି ସମୁୁଦ୍ର ବେଳାଭୂମି ସମେତ ଚିଲିକା ହ୍ରଦ କୂଳରେ ଥିବା ଗାଁଗୁଡ଼ିକ ନିକଟରେ ଅଧିକ ସଂଖ୍ୟକ ମଦ କୁଡ଼ିଆ ବସାଗଲେ କୁୁଆଡ଼େ ଲୋକଙ୍କ ଅର୍ଥନୀତି ବିକଶିତ ହେବ ବୋଲି ସେମାନଙ୍କ ମତ ।
ଅନ୍ୟପକ୍ଷରେ ମଦମକ୍ତି ଅଭିଯାନର କର୍ମୀମାନେ କହୁଛନ୍ତି ଯେ ଏହାଫଳରେ ନଦୀ, ସମୁଦ୍ର, ଜଳଭଣ୍ଡାରଗୁଡ଼ିକରେ ଦୁର୍ଘଟଣା ଅଧିକ ବଢ଼ିବ ଏବଂ ମଦ ନିଶାରେ ଅଧିକରୁ ଅଧିକ ସଂଖ୍ୟକ ଲୋକେ ପାଣିରେ ବୁଡ଼ି ମରିବେ । କେବଳ ସେତିକି ନୁହେଁ, ନିକଟବର୍ତ୍ତୀ ଗାଁ ଗଣ୍ଡାଗୁଡ଼ିକରେ ଏହାର କୁପ୍ରଭାବ ପଡ଼ିବ । ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସରକାରଙ୍କ ଏହି ଅବକାରୀ ନୀତି ଅତିକମ୍ରେ ୨୦୨୯ ପର୍ଯ୍ୟନ୍ତ କିମ୍ବା ଅନ୍ୟ ନୂଆ ଅବକାରୀ ନୀତି ଆସିବା ଯାଏଁ କାର୍ଯ୍ୟକାରୀ ରହିବ ।(ତଥ୍ୟ)

