Home General ପାଣିରେ ପଡିଛି ଶୀତଳଭଣ୍ଡାର ଟଙ୍କା

ପାଣିରେ ପଡିଛି ଶୀତଳଭଣ୍ଡାର ଟଙ୍କା

ଭୁବନେଶ୍ୱର : ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସୌରଶକ୍ତି ଚାଳିତ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ବ୍ୟୟ ହୋଇଥିବା ପାଖାପାଖି ୨ କୋଟି ଟଙ୍କା ପାଣିରେ ପଡିଛି । ବିଭିନ୍ନ କାରଣ ଯୋଗୁଁ ଏହିସବୁ ଶୀତଳଭଣ୍ଡାରଗୁଡିକ ଲୋକଙ୍କ କାମରେ ଲାଗିପାରି ନାହିଁ ।

ଶୀତଳଭଣ୍ଡାର ପ୍ରତିଷ୍ଠାରେ ଏଭଳି ଅନିୟମିତତାକୁ ଧରିଛନ୍ତି ସିଏଜି । ସଦ୍ୟ ପ୍ରକାଶିତ ରିପୋର୍ଟରେ ସିଏଜି ଦର୍ଶାଇଛନ୍ତି ଯେ ଫଳ, ପନିପରିବା ଓ ଫୁଲର ନିରାପଦ ସଂରକ୍ଷଣ ନିମନ୍ତେ କୃଷକମାନଙ୍କୁ ଶୀତଳଭଣ୍ଡାର ସୁବିଧା ଯୋଗାଇବାପାଇଁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଜାତୀୟ ଉଦ୍ୟାନ କୃଷି ମିଶନ ସହିତ ମିଳିତ ଭାବେ ୧୪ଟି ସୌରଶକ୍ତି ଭିତ୍ତିକ ଶୀତଳଭଣ୍ଡାର ପ୍ରତିଷ୍ଠା ପାଇଁ ୨୦୨୧-୨୨ରେ ନିଷ୍ପତ୍ତି ହୋଇଥିଲା । ପ୍ରତ୍ୟେକ ଶୀତଳଭଣ୍ଡାର ପାଇଁ ୧୬ ଲକ୍ଷ ୫୦ହଜାର ଟଙ୍କା ବ୍ୟୟ କରାଯିବାର ଥଲା ଯେଉଁଥିରୁ କୃଷି ବିଭାଗ ୧୦ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ କରିଥିଲା ।

ଏହିସବୁ ଶୀତଳଭଣ୍ଡାରଗୁଡିକ ମୋରଡା, ଯଶୀପୁର, ମୁଦୁଲିପଡା, ପୁଟାସିଂ, ଗୋନାସିକା, ଲାଞ୍ଜିଗଡ, ଚନ୍ଦ୍ରଗିରି, ଗଞ୍ଜାମ, ଖୁଣ୍ଟାଗାଁ ଆଦି ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିଲା । ଏଥିରୁ ଅଧିକାଂଶ ପ୍ରତିଷ୍ଠା ପରଠାରୁ କାମରେ ଲାଗିନଥିଲା । ଗୋଟିଏ ଦୁଇଟି ସ୍ଥାନରେ ତ ଜମି ଜମା ବିବାଦ ଯୋଗୁଁ କାର୍ଯ୍ୟ ଆରମ୍ଭ ହୋଇପାରିନଥିଲା । ତେବେ ମୁଦୁଲିପଡାରେ ଏହାର ନିର୍ମାଣ ଅଧାପନ୍ତରିଆ ହୋଇ ପଡିଥିବାବେଳେ ପୁଟାସିଂ ଓ ପର୍ସାଲିରେ ଏହା ସଠିକ ତାପମାତ୍ରା ବଜାୟ ରଖିପାରିନଥିଲା । ଗୋନାସିକାରେ ନିର୍ମିତ ଶୀତଳଭଣ୍ଡାରର ୩ଟି କୁଲିଂ ଫ୍ୟାନ ମଧ୍ୟରୁ ୨ଟି କାମ କରୁନଥିଲା । ପ୍ରାୟତଃ ଗୋଟିଏ ହେଲେ ଶୀତଳଭଣ୍ଡାରରେ ଲକ୍ଷ୍ୟ ଅନୁଯାୟୀ ଫଳ, ପନିପରିବା ଆଦି ରଖିବା ସମ୍ଭବପର ହୋଇନଥିଲା ।

ସିଏଜି ତାଙ୍କ ଅଡିଟ୍‍ ସମୟରେ ଦେଖିବାକୁ ପାଇଛନ୍ତି ଯେ ସୌର ଶୀତଳ ଭଣ୍ଡାରର ପରିଚାଳନାର ନିର୍ଦ୍ଦେଶାବଳୀ ଅନୁଯାୟୀ ସଂରକ୍ଷକ ଏସଏଚଜି ଶୀତଳଭଣ୍ଡାରର ଉପଯୁକ୍ତ ଯତ୍ନ ସହିତ ପରିଚାଳନା କରିବେ ଏବଂ ପ୍ରବର୍ତ୍ତନ କରିବାପାଇଁ ତାଲିମ ନେବା ଆବଶ୍ୟକ ଥିଲା । କିନ୍ତୁ ଶୀତଳଭଣ୍ଡାର ହସ୍ତାନ୍ତର ସମୟରେ ଏହାର ପରିଚାଳନା ନେଇ ଏସଏଚଜି ସଦସ୍ୟମାନଙ୍କୁ ତାଲିମ ଦେବାର କୌଣସି ପ୍ରମାଣ ସିଏଜି ପାଇନଥିଲେ । ଏଠାରେ କୌଣସି ଲଗ୍‍ ବହିର ରକ୍ଷଣା ବେକ୍ଷଣ କରାଯାଇନଥିଲା । ଏଥିଯୋଗୁଁ ୧୨ଟି ଶୀତଳଭଣ୍ଡାର ପାଇଁ ପାଖାପାଖି ୨ କୋଟି ଟଙ୍କା ବ୍ୟୟ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳନଥିଲା । ଶୀତଳଭଣ୍ଡାରଗୁଡିକ ଅଚଳ କିମ୍ବା କାର୍ଯ୍ୟ କରୁନଥିବା ନେଇ କୌଣସି ରେକର୍ଡ ଅଡିଟ୍‍ ସମୟରେ ମିଳିନଥିଲା ।

ଜମିଜମା ସମସ୍ୟା ଯୋଗୁଁ ମୋରଡା ଏବଂ ଯଶୀପୁରରେ ଶୀତଳ ଭଣ୍ଡାର ୟୁନିଟ୍‍ ପ୍ରତିଷ୍ଠା ହୋଇନଥିବା ସ୍ୱୀକାର କରି ବିଭାଗ ଦର୍ଶାଇଥିଲା ଯେ କୃଷି ଉତ୍ପାଦ କମ୍‍ ହେଉଥିବା ଋତୁରେ ଶୀତଳଭଣ୍ଡାର ଗୁଡିକର କମ୍‍ ବ୍ୟବହାର ହେଉଥିଲା । କିନ୍ତୁ ବାସ୍ତବରେ ଏହି ଶୀତଳଭଣ୍ଡାଗୁଡିକ ଜନଜାତି ସମ୍ପ୍ରଦାୟର ଲୋକଙ୍କ ଦ୍ୱାରା ବ୍ୟବହୃତ ହୋଇନଥିଲା । କାରଣ ଅଡିଟ୍‍ ସମୟରେ ଏହିସବୁ ଶୀତଳଭଣ୍ଡାରରେ କୌଣସି କୃଷିଜାତ ସାମଗ୍ରୀ ଗଚ୍ଛିତ ଥିବା ଦେଖିବାକୁ ମିଳନଥିଲା । (ତଥ୍ୟ)