ଭୁବନେଶ୍ୱର : ପର୍ଯ୍ୟାପ୍ତ ପରିମାଣର ରନ୍ଧନ ଗ୍ୟାସ ସିଲିଣ୍ଡର ଉପଲବ୍ଧ ଅଛି ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ସୂଚନା ଦିଆଯାଉଥିଲେ ମଧ୍ୟ ସିଲିଣ୍ଡର ପାଇଁ ଲୋକେ ନାହିଁ ନଥିବା ଡହଳ ବିକଳ ହେଉଛନ୍ତି । କେବଳ ଘରୋଇ ଉପଭୋକ୍ତା ନୁହନ୍ତି ସିଲିଣ୍ଡର ବ୍ୟବହାରକାରୀ ଯେଉଁମାନେ ରାସ୍ତାକଡରେ ଠେଲା ଦୋକାନମାନ କରି ପରିବାର ଚଳାଉଥିଲେ ସେମାନେ ମଧ୍ୟ ଉପବାସରେ କାଳ କାଟୁଛନ୍ତି ।
ଇତି ମଧ୍ୟରେ ରାଜଧାନୀର ଅନେକ ଠେଲା ଦୋକାନ ସହିତ ଛୋଟ ଛୋଟ ହୋଟେଲମାନ ବନ୍ଦହୋଇ ଗଲାଣି । ରନ୍ଧନଗ୍ୟାସ ସିଲିଣ୍ଡର ଅଭାବ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଯେଉଁ ହୋଟେଲ ଓ ଜଳଖିଆ ଦୋକାନଗୁଡିକରେ କାଠଚୂଲି ପାଇଁ ସ୍ଥାନ ଅଛି ସେମାନେ କୌଣସି ପ୍ରକାରେ ହୋଟେଲ ଚଳାଉଥିଲେ ମଧ୍ୟ ଜଳଖିଆ ଠାରୁ ମିଲ୍ ପର୍ଯ୍ୟନ୍ତ ସବୁଥିର ଦର ଢେର ବଢାଇ ଦେଉଛନ୍ତି । ଏମିତିକି କାଠଚୂଲା ବ୍ୟବହାର କରୁଥିବା ଦୋକାନୀମାନଙ୍କୁ ବିକିବାପାଇଁ ସରକାରୀ କାଠଗୋଲାରେ ମଧ୍ୟ ଜାଳେଣି କାଠର ଘୋର ଅଭାବ ରହିଛି ।
ଗ୍ୟାସ ବିତରକମାନେ କହୁଛନ୍ତି ଯେ ଉଜ୍ୱଳା ଯୋଜନା କାର୍ଯ୍ୟକାରୀ ହେବା ଏବଂ ସହର ବଢୁଥିବା ପରିପ୍ରେକ୍ଷୀରେ ଗତ ୧୫ବର୍ଷ ଭିତରେ ରନ୍ଧନଗ୍ୟାସ ଗ୍ରାହକଙ୍କ ସଂଖ୍ୟା ଢେର ବଢିଯାଇଛି । ତେବେ ଜଣେ ଜଣେ ଡିଲରଙ୍କ ପାଖରେ ଯେତେ ପଞ୍ଜିକୃତ ସିଲିଣ୍ଡର ଉପଭୋକ୍ତା ରହିଛନ୍ତି ସେମାନଙ୍କ ଭିତରୁ ପ୍ରାୟ ୪୦ପ୍ରତିଶତ ଦୀର୍ଘବର୍ଷ ଧରି ଗ୍ୟାସ ବୁକିଂ କରୁନଥିବାବେଳେ ଏବେ ସଙ୍କଟ ସମୟରେ କିନ୍ତୁ ଏମାନେ ବୁକିଂ କରି ଚାଲିଛନ୍ତି । ତେଣେ ଜଣେ ଜଣେ ଡିଲରଙ୍କୁ ମାସିକ ହାରାହାରି ଯେତେ ପରିମାଣର ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଏ ତାହା ସଂଖ୍ୟା କିଛି ପରିମାଣରେ ହ୍ରାସ ପାଇଥିବାବେଳେ ବୁକିଂ ପରିମାଣ ୪୦ରୁ ୫୦ ପ୍ରତିଶତ ବଢିଥିବାରୁ ଗ୍ୟାସ ଯୋଗାଇବା ସମ୍ଭବପର ହେଉନାହିଁ ।
ନୂଆ ବ୍ୟବସ୍ଥା ଅନୁଯାୟୀ ଥରେ ଗ୍ୟାସ ସିଲିଣ୍ଡର ପାଇବାର ୨୫ଦିନ ପରେ ଜଣେ ଉପଭୋକ୍ତା ଆଉଗୋଟିଏ ସିଲିଣ୍ଡର ପାଇଁ ବୁକିଂ କରିପାରିବେ । ତେବେ ବୁକିଂ କରାଯିବାର କେତେଦିନ ଭିତରେ ଗ୍ୟାସ ମିଳିପାରିବ ତାହାର ନିର୍ଦ୍ଦିଷ୍ଟ ଗ୍ୟାରେଣ୍ଟି କେହି ଦେଇପାରୁ ନାହାନ୍ତି । ବିଶେଷକରି ବିଭିନ୍ନ ଆପାର୍ଟମେଣ୍ଟ, ବହୁତଳ ବିଶିଷ୍ଟ ପ୍ରାସାଦଗୁଡିକରେ ରହୁଥିବା ପରିବାରଗୁଡିକ ପାଇଁ କାଠ କିମ୍ବା କୋଇଲା ଚୂଲା ବ୍ୟବହାର କରିବା ଅସମ୍ଭବପର ।
ପର୍ଯ୍ୟାପ୍ତ ପରିମାଣର କୋଇଲା କିମ୍ବା ଜାଳେଣି କାଠ ମିଳୁନଥିବାବେଳେ ସରକାର ପ୍ରେଟ୍ରୋଲପମ୍ପଗୁଡିକ ମାଧ୍ୟମରେ କିରୋସିନି ଯୋଗାଇବାକୁ କହୁଛନ୍ତି । ଫଳରେ ଲୋକେ ଏଠାରୁ କିରୋସିନି ସଂଗ୍ରହକରି ଷ୍ଟୋଭରେ ରୋଷେଇ କରିପାରିବେ । ଗ୍ୟାସ ସଙ୍କଟ ପରିପ୍ରେକ୍ଷୀରେ ରାଜଧାନୀରେ ଇଣ୍ଡକସନ୍ ଚୂଲା ବିକ୍ରି ଗତ୨୦ଦିନ ଭିତରେ ଢେର ବଢିଯାଇଛି । ଏମିତିକି ବହୁ ଦୋକାନ ଚାହିଦା ମୁତାବକ ଇଣ୍ଡକସନ୍ ଚୂଲା ଯୋଗାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ସୌରଚୂଲା ଏକ ଭଲ ବିକଳ୍ପ ହୋଇଥିଲେ ମଧ୍ୟ ସରକାରଙ୍କ ଅକ୍ଷୟଶକ୍ତି ବିକାଶ ନିଗମ (ଓରେଡା) ପୂର୍ବଭଳି ଆଉ ସୌରଚୂଲା ଯୋଗାଉନାହିଁ । ଏଣେ ଇଣ୍ଡକସନ୍ ଚୂଲା ଯେଉଁମାନେ ବ୍ୟବହାର କରୁଛନ୍ତି ସେମାନଙ୍କର ବିଦ୍ୟୁତ୍ ବିଲ୍ ଢେର ଅଧିକ ବଢିଯାଉଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧର ସଙ୍କଟ ଟଳୁ ନଥିବାରୁ ଆଗାମୀ ଦିନରେ ଗ୍ୟାସ, ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଆଦିର ସମସ୍ୟା ବଢିପାରେ ବୋଲି ସାଧାରଣ ଲୋକେ ଆଶଙ୍କା କରୁଛନ୍ତି । ଉଜ୍ୱଳା ଯୋଜନା କାର୍ଯ୍ୟକାରୀ କରାଯିବାବେଳେ ଜନସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ କୋଇଲା ଓ କାଠଚୂଲି ବ୍ୟବହାର କଲେ ବିଭିନ୍ନ କିସମର ରୋଗ ହୋଇଥାଏ ବୋଲି ଯେଉଁ ପ୍ରଚାର କରାଯାଇଥିଲା ତାହା ଭୟରେ ଅନେକ ପରିବାର ମଧ୍ୟ କାଠ ଓ କୋଇଲା ଚୂଲା ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି । ତେବେ ରାଜଧାନୀର ବିଭିନ୍ନ ହାଟରେ ମାଟି ନିର୍ମିତ ଉଠା କାଠଚୂଲା ବିକ୍ରି ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)

