Home Assembly ଅଢେଇ ଲକ୍ଷରୁ ଅଧିକ ଇଭି

ଅଢେଇ ଲକ୍ଷରୁ ଅଧିକ ଇଭି

ଭୁବନେଶ୍ୱର : ରାଜ୍ୟରେ ଇଭି ପଞ୍ଜିକରଣ ଅଢେଇ ଲକ୍ଷକୁ ଟପିଯାଇଥିବାବେଳେ ଏଥିରେ ଦୁଇ ଚକିଆ ବୈଦ୍ୟୁତିକ ଯାନ ସର୍ବାଧିକ ରହିଛି । ରାଜ୍ୟ ସରକାର ଏବେ ୧୦୦ ଟି ଇଭିଚାର୍ଜିଂ ଷ୍ଟେସନ ସ୍ଥାପନ କରୁଥିବାବେଳେ ଆଉ ୫ଶହରୁ ଅଧିକ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କୁ ଲେଖିଛନ୍ତି ।

ରାଜ୍ୟରେ ଦୁଇ ଚକିଆ ଇଭି ଯାନ ପଞ୍ଜିକରଣ ସଂକ୍ରାନ୍ତରେ ବିଜେପି ବିଧାୟକ ମାନସ ଦତ୍ତ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ଚଳିତବର୍ଷ ଫେବୃଆରୀ ୨୦ ତାରିଖ ସୁଦ୍ଧା ୨ଲକ୍ଷ ୫୧ ହଜାର ୪୩୨ଟି ଇଭି ପଞ୍ଜିକରଣ ହୋଇଥିବାବେଳେ ଏଥିରେ ଦୁଇ ଚକିଆ ଯାନ ସଂଖ୍ୟା ୨ଲକ୍ଷ ୧୬ହଜାର ରୁ ଅଧିକ ରହିଛି । ଚାରିଚକିଆ ଛୋଟ ଇଭି ଯାନ ସଂଖ୍ୟା ପାଖପାଖି ୧୦ହଜାରହୋଇଥିବାବେଳେ ୨୨ହଜାରରୁ ଅଧିକ ତିନିଚକିଆ ଇଭି ପଞ୍ଜିକରଣ ହୋଇଥିବା ମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ଇଭି ଯାନର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହନ ଦେବାପାଇଁ ରାଜ୍ୟ ସରକାର ଓଡିଶା ବିଦ୍ୟୁତ୍‍ ଯାନ ନୀତି ୨୦୨୧କୁ ଜାରି କରିଥିଲେ ଯହା ପରେ ୨୦୨୩ ମସିହାରେ ସଂଶୋଧିତ କରାଯାଇଥିଲା । ଏହିନୀତି ଅନୁଯାୟୀ ଦୁଇ ଚକିଆ ଇଭି ଯାନ ପାଇଁ ପ୍ରତି କିଲୋୱାଟ ପିଛା ୫ହଜାର ଟଙ୍କା ହିସାବରେ ସର୍ବାଧିକ ୨୦ହଜାର ଟଙ୍କା, ତିନି ଚକିଆ ଯାନ ପାଇଁ ୩୦ହଜାର ଟଙ୍କା ଏବଂ ଚାରିଚକିଆ ଯାନ ପାଇଁ କିଲୋୱାଟ ପିଛା ୧୦ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ଦିଆଯାଉଛି ।

ଏଥି ସହିତ ବ୍ୟାଟେରୀ ଚାଳିତ ଯାନମାନଙ୍କ ପଇଁ ମୋଟର ଯାନ ଟିକସ ଓ ପଞ୍ଜିକରଣ ଫି ଛାଡ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ଟି ଇଭି ଚାର୍ଜିଂ ଷ୍ଟେସନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିବାବେଳେ ପିଏମ୍‍ ଇ-ଡ୍ରାଇଭ ସ୍କିମ୍‍ ମାଧ୍ୟମରେ ଆଉ ୫୧୨ଟି ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନପାଇଁ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି । (ତଥ୍ୟ)