ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପାଇଁ ପ୍ରତିବର୍ଷ ବଜେଟ୍ରେ ଅର୍ଥ ପରିମାଣ ବୃଦ୍ଧି ପାଉଥିବାବେଳେ ସେହି ଅନୁଯାୟୀ ଖର୍ଚ୍ଚ ହେଉନାହିଁ । ଚଳିତ ଆର୍ଥିକ ବର୍ଷରେ ବିଭାଗର ବଜେଟ୍ ବ୍ୟୟ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।
ବିଭାଗ ପକ୍ଷରୁ ବିଧାନସଭାରେ ଦିଆଯାଇଥିବା ୨୦୨୫-୨୬ ବର୍ଷର ବାର୍ଷିକ ବିବରଣୀରୁ ଏହା ପରିଲକ୍ଷିତ ହୋଇଛି । ଚଳିତ ଆର୍ଥକ ବର୍ଷରେ ବିଭାଗ ପାଇଁ ବଜେଟ୍ରେ ୯୯୭୨ କୋଟି ୫୬ଲକ୍ଷ ବରାଦ ହୋଇଥିଲେ ଆର୍ଥିକବର୍ଷ ସରିବାକୁ ଯାଉଥିବାବେଳେ ଖର୍ଚ୍ଚ ହୋଇଛି ୪୨୬୭ କୋଟି ଟଙ୍କା । ବିଗତ ଦୁଇବର୍ଷର ବ୍ୟୟକୁ ଦେଖିଲେ ଏହା ଅତ୍ୟନ୍ତ ନୈରାଶ୍ୟଜନକ ରହିଛି ।
ବିବରଣୀରେ ଦର୍ଶାଯାଇଛି ଯେ ୨୦୨୩-୨୪ ବର୍ଷରେ ବିଭାଗ ପାଇଁ ବଜେଟ୍ରେ ୯୦୭୧ କୋଟି ୮୯ଲକ୍ଷ ଟଙ୍କାର ବ୍ୟୟବରାଦ ଥିବାବେଳେ ସେହିବର୍ଷ ବିଭାଗ ଖର୍ଚ୍ଚ କରିଥିଲା ୭୭୭୪. ୬୪ କୋଟି ଟଙ୍କା । ସେହିଭଳି ୨୦୨୪-୨୫ ବର୍ଷରେ ବଜେଟ୍ରେ ବ୍ୟୟବରାଦ ବୃଦ୍ଧି ପାଇଁ ୯୬୦୩ କୋଟି ୩୩ଲକ୍ଷ ଟଙ୍କା ହୋଇଥିବାବେଳେ ବିଭାଗ ଖର୍ଚ୍ଚ କରିଥିଲା ୭୭୮୯କୋଟି ୮୦ଲକ୍ଷ ଟଙ୍କା । ତେବେ ଚଳିତ ଆର୍ଥିକ ବର୍ଷରେ ବଜେଟ ପରିମାଣ ବୃଦ୍ଧି ପାଇଥିବାବେଳେ ଖର୍ଚ୍ଚ କିନ୍ତୁ ଆଶାନୁରୂପ ହୋଇପାରି ନାହିଁ ।
ବଜେଟ୍ ବ୍ୟୟବରାଦ ବୃଦ୍ଧି ଜାରି ରହି ୨୦୨୬-୨୭ ବର୍ଷ ପାଇଁ ଏହା ୧୦ହଜାର କୋଟି ଟଙ୍କାକୁ ଟପିଯାଇଛି । ମୋଟ୍ ୧୦,୭୨୬ କୋଟି ୮୬ଲକ୍ଷ ଟଙ୍କା ମଧ୍ୟରୁ ଯୋଜନା ବ୍ୟୟ ୬୬୫୦ କୋଟି ଟଙ୍କା ରହିଥିବାବେଳେ ରାଜ୍ୟରୁ ହସ୍ତାନ୍ତରିତ ଅନୁଦାନ ବାବଦରେ ୩୩୩୪ କୋଟି ଟଙ୍କା ରହିଛି । ପ୍ରତିଷ୍ଠାନ ପରିଚାଳନା ଓ ରକ୍ଷଣା ବେକ୍ଷଣ ଖର୍ଚ୍ଚ ୭୪୨ କୋଟି ୭୮ଲକ୍ଷ ଟଙ୍କା ରହିଥିବା ଜଣାଯାଇଛି ।
ତେବେ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାରେ ୨୩୦୦ କୋଟି ଟଙ୍କା ଥିବାବେଳେ ଖର୍ଚ୍ଚ ହୋଇଛି ପାଖାପାଖି ୬୭୫ କୋଟି ଟଙ୍କା । ସେହିଭଳି ରାଜ୍ୟ ଯୋଜନାରେ ୪୩୨୦ କୋଟି ଟଙ୍କା ଥିବାବେଳେ ଏଥିରୁ ୨୧୩୩ କୋଟି ଟଙ୍କା ଖର୍ଚ୍ଚ ହୋଇପାରିବ । ମୋଟ୍ କାର୍ଯ୍ୟକ୍ରମ ବ୍ୟୟ ବାବଦରେ ୬୬୨୦ କୋଟି ଟଙ୍କା ଥିବାବେଳେ ଏଥିରୁ ୫୦ ପ୍ରତିଶତ ଅର୍ଥ ବ୍ୟୟ ହୋଇନଥିବା ବିଭାଗ ପକ୍ଷରୁ ଦର୍ଶାଯାଇଛି । ପ୍ରତିଷ୍ଠାନ ପରିଚାଳନା ଓ ରକ୍ଷଣା ବେକ୍ଷଣ ବାବଦରେ ବଜେଟ୍ରେ ପ୍ରାୟ ୬୮୯ କୋଟି ଟଙ୍କା ଥିବାବେଳେ ଏଥିରୁ ୩୦୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରିଛି ।
ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ କ୍ଷେତ୍ରରେ ବିଭାଗର ନୈରାଶ୍ୟଜନକ ବଜେଟ୍ ବ୍ୟୟ କର୍ତ୍ତୃପକ୍ଷଙ୍କୁ ଚିନ୍ତାରେ ପକାଇଛି । କାରଣ ବର୍ଷକୁ ବର୍ଷ ବିଭାଗ ପାଇଁ ବଜେଟ୍ ପରିମାଣ ବଢୁଥିବାବେଳେ କ୍ଷେତ୍ର ସ୍ତରରେ ଅର୍ଥ ବ୍ୟୟ ହେଇପାରୁ ନାହିଁ । (ତଥ୍ୟ)

