Home General ହିମାଚଳ ରାଜ୍ୟପାଳଙ୍କୁ ଭେଟିଲେ ଗଣମାଧ୍ୟମ ପ୍ରତିନିଧି

ହିମାଚଳ ରାଜ୍ୟପାଳଙ୍କୁ ଭେଟିଲେ ଗଣମାଧ୍ୟମ ପ୍ରତିନିଧି

ସିମଲା : ପିଆଇବି, ଭୁବନେଶ୍ୱର ପକ୍ଷରୁ ଆୟୋଜିତ ଏକ ଗସ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ସିମଲା ଲୋକଭବନଠାରେ ହିମାଚଳ ପ୍ରଦେଶର ରାଜ୍ୟପାଳ ଶ୍ରୀ କବିନ୍ଦର ଗୁପ୍ତାଙ୍କୁ ଭେଟିଛନ୍ତି। ଏହି ପ୍ରତିନିଧି ଦଳ ସେମାନଙ୍କର ରାଜ୍ୟ ଗସ୍ତ ଅନୁଭୂତି ପ୍ରକାଶ କରିବା ସହିତ ସାଂସ୍କୃତିକ ବିନିମୟ, ବିକାଶମୂଳକ ପଦକ୍ଷେପ ଏବଂ ଜାତୀୟ ସଂହତିକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା କରିଥିଲେ।

ପ୍ରତିନିଧି ଦଳଙ୍କ ସହ ଆଲୋଚନା ଅବସରରେ ରାଜ୍ୟପାଳ କହିଥିଲେ, ଅଭିଜ୍ଞତା ଆହରଣ ଲାଗି ଏପରି ଗସ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ପାରସ୍ପରିକ ବୁଝାମଣାକୁ ସୁଦୃଢ଼ ​​କରିବା ସହିତ ‘‘ଏକ ଭାରତ, ଶ୍ରେଷ୍ଠ ଭାରତ’’ ଭାବନାକୁ ଦୃଢ଼ କରିଥାଏ। ଭାରତର ସମୃଦ୍ଧ ଭାଷାଗତ ଏବଂ ସାଂସ୍କୃତିକ ବିବିଧତା ଉପରେ ଆଲୋକପାତ କରି ସେ କହିଥିଲେ, ଏକତା ଦେଶର ସର୍ବବୃହତ ଶକ୍ତି।

ଉପାନ୍ତ ଏବଂ ସୀମାବର୍ତ୍ତୀ ଅଞ୍ଚଳରେ ସଂଯୋଗୀକରଣ ଉନ୍ନତ କରିବାରେ ରାଜ୍ୟର ପ୍ରୟାସ ବିଷୟରେ ସେ ସୂଚନା ଦେଇଥିଲେ। ଦୀର୍ଘସ୍ଥାୟୀ ବିକାଶ ଉପରେ ଗୁରୁତ୍ୱାରୋପ କରି ସେ ସ୍ଥାନୀୟ ଉତ୍ପାଦ, ଔଷଧୀୟ ଉଦ୍ଭିଦ ଚାଷ, ପ୍ରାକୃତିକ କୃଷି ଏବଂ ଯୁବପିଢ଼ିଙ୍କ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ କରିଥିଲେ। ସରକାରଙ୍କ ସକାରାତ୍ମକ ପଦକ୍ଷେପଗୁଡ଼ିକୁ ଆଲୋକପାତ କରିବାରେ ଗଠନମୂଳକ ଭୂମିକା ଗ୍ରହଣ କରିବାକୁ ରାଜ୍ୟପାଳ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଆହ୍ୱାନ କରିଥିଲେ।

ପୂର୍ବରୁ, ପ୍ରତିନିଧି ଦଳ ଅନାଡେଲ୍‌ ସେନା ତାଲିମ କମାଣ୍ଡ (ଆର୍ଟରାକ୍‌) ପରିଦର୍ଶନ କରିଥିଲେ। ସେଠାରେ ବରିଷ୍ଠ ଅଧିକାରୀମାନେ ପ୍ରତିନିଧି ଦଳର ସଦସ୍ୟମାନଙ୍କୁ ଏହି ପ୍ରତିଷ୍ଠାନର ଭୂମିକା ଏବଂ କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଅକ୍ଟୋବର ୧୯୯୧ରେ ପ୍ରତିଷ୍ଠିତ ଆର୍ଟରାକ୍‌ ହେଉଛି ଭାରତୀୟ ସେନାର ସର୍ବୋଚ୍ଚ ତାଲିମ କମାଣ୍ଡ ଯାହା ସବୁ କମାଣ୍ଡର ଅଧିକାରୀମାନଙ୍କୁ ତାଲିମ ଦେଇଥାଏ। ଅନେକ ବର୍ଷ ଧରି, ଏହା ଦୁଇଟି ତାଲିମ ପ୍ରତିଷ୍ଠାନରୁ ୩୪ଟି ପ୍ରତିଷ୍ଠାନକୁ ବିସ୍ତାରିତ ହୋଇଛି । ଏହା ବର୍ତ୍ତମାନ ପ୍ରଶିକ୍ଷଣ ନୀତି, ରଣନୀତି ପ୍ରସ୍ତୁତି ଓ ସମୀକ୍ଷା ଏବଂ କାର୍ଯ୍ୟଦକ୍ଷତା ମୂଲ୍ୟାଙ୍କନ ତଦାରଖ କରୁଛି । ଏହାର ତତ୍ତ୍ୱାବଧାନରେ ପ୍ରତିବର୍ଷ ପ୍ରାୟ ୫୦ ହଜାର କର୍ମଚାରୀ, ବିଦେଶୀ ଅଧିକାରୀ ଏବଂ ସୈନିକ ତାଲିମ ନେଇଥା’ନ୍ତି।

ଯୁଦ୍ଧର ପରିବର୍ତ୍ତିତ ପ୍ରକୃତି ଉପରେ ଆଲୋକପାତ କରି ପ୍ରତିଷ୍ଠାନ ଅଧିକାରୀମାନେ ପ୍ରଯୁକ୍ତିବିଦ୍ୟା ପ୍ରୟୋଗର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେମାନେ କହିଥିଲେ, ଆର୍ଟରାକ୍‌ ତାଲିମ ଏବଂ କାର୍ଯ୍ୟରେ ସ୍ୱଦେଶୀ ପ୍ରଯୁକ୍ତିକୁ ଉପଯୋଗ କରିବା ପାଇଁ ଆଇଆଇଟି, ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ଏବଂ ଶିଳ୍ପ ଅଂଶୀଦାରଙ୍କ ସହିତ ସହଭାଗିତା ସ୍ଥାପନ କରୁଛି। ଆଧୁନିକ ଯୁଦ୍ଧରେ ଗଣମାଧ୍ୟମକୁ ଏକ ପ୍ରମୁଖ ଉପାଦାନ ଭାବରେ ବର୍ଣ୍ଣନା କରି, ସେମାନେ ଏହାକୁ “ଅବଧାରଣାର ଯୁଦ୍ଧ’’ ବୋଲି ଅଭିହିତ କରିଥିଲେ। ସେନା ବାହିନୀ ଏବଂ ଗଣମାଧ୍ୟମ ମଧ୍ୟରେ ଅଧିକ ସମନ୍ୱୟ ଉପରେ ସେମାନେ ଗୁରୁତ୍ୱାରୋପ କରିଥିଲେ।

ପ୍ରତିନିଧି ଦଳ ସେନାବାହିନୀ ଐତିହ୍ୟ ସଂଗ୍ରହାଳୟରେ ନବନିର୍ମିତ ‘ଶ୍ରଦ୍ଧାଞ୍ଜଳି ସ୍ଥଳ’ର ପୁନଃସମର୍ପଣ ଅବସରରେ ଆୟୋଜିତ ସମାରୋହରେ ମଧ୍ୟ ଯୋଗ ଦେଇଥିଲେ। ଆର୍ଟରାକର କମାଣ୍ଡିଂ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଦେବେନ୍ଦ୍ର ଶର୍ମା ଏହି ସମାରୋହର ନେତୃତ୍ୱ ନେଇଥିଲେ। ଏହି ଅବସରରେ ଏକ ୫୨ ଫୁଟ ଉଚ୍ଚ ଜାତୀୟ ପତାକା ଉତ୍ସର୍ଗ କରାଯାଇଥିଲା। ଏହା ଜାତୀୟ ଏକତା, ଗର୍ବ ଏବଂ ସୈନିକଙ୍କ ସର୍ବୋଚ୍ଚ ବଳିଦାନର ପ୍ରତୀକ। ସମାରୋହରେ ସାମରିକ କର୍ମଚାରୀ, ପୂର୍ବତନ ସୈନିକ ଏବଂ ଏନସିସି କ୍ୟାଡେଟମାନେ ସହିଦ ନାୟକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପ୍ରତିନିଧି ଦଳ ସେନା ଐତିହ୍ୟ ସଂଗ୍ରହାଳୟ ମଧ୍ୟ ପରିଦର୍ଶନ କରିଥିଲା।

ବରିଷ୍ଠ ସାମ୍ବାଦିକଙ୍କ ପ୍ରତିନିଧି ଦଳ ସହିତ ପିଆଇବି ଭୁବନେଶ୍ୱରର ଉପ-ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ଜାଲି, ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ଶ୍ରୀ ସ୍ୱାଧୀନ ଶକ୍ତି ପ୍ରସାଦ, ପିଆଇବି, ସିମଲାର ସହାୟକ ନିର୍ଦ୍ଦେଶକ ଶ୍ରୀ ସଞ୍ଜିବ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।