Home Health ଟ୍ରାକକୁ ଫେରିଲାଣି ବେପାର

ଟ୍ରାକକୁ ଫେରିଲାଣି ବେପାର

ଭୁବନେଶ୍ୱର : ରାଜ୍ୟ ସରକାର ପ୍ରଥମେ ସମସ୍ତ ପ୍ରକାର ପାନମସଲାକୁ ନିଷିଦ୍ଧ କଲେ । ଏହାପରେ ଏହି କଟକଣାରୁ ନିକୋଟିନ୍‍ ରହିତ ପାନ ମସଲାକୁ ବାଦ୍‍ ଦେଲେ । ଏଭଳି କଟକଣା ଲଗାଇବା ଓ ପ୍ରତ୍ୟାହର ମଧ୍ୟରେ ସରକାରଙ୍କ ନାଲିଆଖି ଯୋଗୁଁ ବନ୍ଦ ହୋଇଯାଇଥିବା ଗୁଟ୍‍ଖା ବେପାର ପୁଣି ଟ୍ରାକକୁ ଫେରିଲାଣି । ଏବେ ଆଉ ଚଢାଉ କି ଯାଞ୍ଚ କଡାକଡି ହେଉନଥିବାରୁ ବ୍ୟବସାୟୀମାନେ ବେଧଡକ ଭାବେ ଗୁଟ୍‍ଖା ବେପାର ଚଳାଉଥିବା ଦେଖିବାକୁ ମିଳୁଛି ।

ଓଡିଶାର ସରକାର ପ୍ରଥମେ ୨୦୧୩ ମସିହାରେ ସମସ୍ତ ପ୍ରକାର ନିକୋଟିନ୍‍ ଯୁକ୍ତ ପାନ ମସଲା ଗୁଟ୍‍ଖାର ପ୍ରସ୍ତୁତି, ମହଜୁଦ ଓ ବିକ୍ରୟ ଉପରେ କଟକଣା ଲଗାଇଥିଲେ । ଏହି କଟକଣା ଲାଗିବାର କିଛିଦିନ ପାଇଁ ଚଢଉ ଯୋଗୁଁ ଗୁଟ୍‍ଖା ବେପାର ଧିମେଇ ଯାଇଥିଲା । ପରେ ଏହା ପୁଣି ଖୋଲାଖୋଲି ଭାବେ ଚାଲିଲା । ଅବସ୍ଥା ଏଭଳି ହେଲା ଯେ ସ୍ୱାସ୍ଥ୍ୟ ବିଭାଗର କଟକଣାକୁ ବେଖାତିର କରି ଅର୍ଥ ବିଭାଗ ଗୁଟ୍‍ଖା ଉପରୁ ବର୍ଷକୁ ୫୦୦ କୋଟି ଟଙ୍କାରୁ ଅଧିକ ଟିକସ ଆଦାୟ କଲା ।

ତେବେ ଏହାର ୧୨ବର୍ଷ ପରେ ରାଜ୍ୟ ସରକାର ପୁଣି ଥରେ ପାନମସଲା ଉପରେ ସମ୍ପୂର୍ଣ୍ଣ କଟକଣା କରି ବିଜ୍ଞପ୍ତିଜାରି କରିଥିଲେ । ପୂର୍ବଭଳି ଏଥିରେ ମଧ୍ୟ ପ୍ରସ୍ତୁତି, ମହଜୁଦ ଓ ବିକ୍ରି ଉପରେ କଟକଣା ଥିଲା । ଏହି କଟକଣା ପରେ ସାରା ରାଜ୍ୟରେ ଜୋରଦାର ଚଢଉ ଆରମ୍ଭ ହୋଇଥିଲା । ଫଳରେ ହଠାତ୍‍ ବଜାରରୁ ଗୁଟ୍‍ଖା ଓ ପାନମସଲା ଉଭାନ ହୋଇଗଲା । କିନ୍ତୁ ଦିନ କେଇଟା ପରେ ରାଜ୍ୟ ସରକାର ସାନି ବିଜ୍ଞପ୍ତି ଜାରି କରି କଟକଣା ତାଲିକାରୁ ନିକୋଟିନ୍‍ ରହିତ ପାନ ମସଲାକୁ ବାଦ୍‍ ଦେଇଥିଲେ ।

ନୂଆ ବିଜ୍ଞପ୍ତି ବାହାରିବା ପରେ ଆଉ ପୂର୍ବଭଳି ଚଢଉ ହେଲାନାହିଁ । ଫଳରେ ଉଭୟ ନିକୋଟିନ୍‍ ରହିତ ଓ ନିକୋଟିନ ଯୁକ୍ତ ଗୁଟ୍‍ଖା ଓ ପାନମସଲା ବେଧଡକ ଭାବେ ବିକ୍ରି ଆରମ୍ଭ ହୋଇଛି । ଦେଶର ପ୍ରାୟ ୧୭ଟି ରାଜ୍ୟରୁ ଓଡିଶାକୁ ବିଭିନ୍ନ ବ୍ରାଣ୍ଡ୍‍ରେ ଗୁଟ୍‍ଖା ଆସୁଥିଲେ ମଧ୍ୟ ଚଢଉ କି ଜୋରିମାନା ଭୟ ନଥିବାରୁ ଦୋକାନୀମାନେ ପୂର୍ବଭଳି ଏହାକୁ ବିକ୍ରି କରୁଥିବାବେଳେ ବ୍ୟବସାୟୀମାନେ ଏହାର ପ୍ରସ୍ତୁତି, ମହଜୁଦ ଓ ବିକ୍ରୟରେ ଲାଗି ପଡିଛନ୍ତି ।

ଯେଉଁଠାରେ ବି ଚଢଉ ହେଉଛି ସେଠାରେ ଛୋଟ ଛୋଟ ଦୋକାନୀମାନେ ଚଢଉ କରୁଥିବା ସରକାରୀ ବାବୁମାନଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି । ଗୁଟ୍‍ଖାର ଉତ୍ପାଦନ ଓ ମହଜୁଦ ସ୍ଥାନରେ ଚଢଉ ନକରି କ’ଣ ପାଇଁ ସେମାନେ ଛୋଟ ଦୋକାନରେ ଧରପଗଡ କରୁଛନ୍ତି ବୋଲିର ପ୍ରଶ୍ନ କରୁଛନ୍ତି । ଗୁଟ୍‍ଖା କେଉଁଠାରେ ପ୍ରସ୍ତୁତ ହେଉଛି, କେଉଁ ବାଟ ଦେଇ ଓଡିଶାକୁ ଆସୁଛି ଓ କେଉଁଠାରେ ମହଜୁଦ ରହିଛି ତାହାର ଅଧିକାଂଶ ଖବର ପ୍ରଶାସନ ନିକଟରେ ରହିଥିବାବେଳେ ସେମାନେ କିନ୍ତୁ ସବୁ ଦେଖି ନଦେଖିଲା ଭଳି ଆଚରଣ କରୁଥିବା ସାଧାରଣରେ ଆଲୋଚନା ହେଉଛି । (ତଥ୍ୟ)