ଭୁବନେଶ୍ୱର : ବିଦ୍ୟୁତ୍ ଗ୍ରାହକମାନେ ବିଦ୍ୟୁତ୍ ଆଇନ୍ ୨୦୦୩ ଏବଂ କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ (ସିଇଏ)ର ପ୍ରଣିତ ନିୟମ ଅନୁଯାୟୀ ଖୋଲା ବଜାରରୁ ନିଜ ଇଚ୍ଛାରେ ବିଦ୍ୟୁତ୍ ମିଟିର କିଣି ଲଗାଇବାର ବ୍ୟବସ୍ଥା ଥିବାବେଳେ ଓଡିଶାରେ କିନ୍ତୁ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଏହି ସୁଯୋଗ ମିଳୁନାହିଁ । ଏଠାରେ ବିଦ୍ୟୁତ୍ ବିତରଣ କମ୍ପାନୀ ନିଜେ ଖରିଦ କରିଥିବା ମିଟରକୁ ଲଗାଇବାପାଇଁ ଉଭଭୋକ୍ତାମାନଙ୍କୁ ବାଧ୍ୟ କରୁଛି ।
ରାଜ୍ୟରେ ଏବେ ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ରହିଛି ଟାଟା ପାୱାର । କମ୍ପାନୀ ପକ୍ଷରୁ ଉଭଭୋକ୍ତାମାନଙ୍କର ପୁରୁଣା ବିଦ୍ୟୁତ୍ ମିଟର ବଦଳାଯାଇ ତାହା ସ୍ଥାନରେ ନୂଆ ଡିଜିଟାଲ ମିଟର ଲଗାଯାଉଛି । ତେବେ ଗ୍ରାହକମାନଙ୍କୁ ଖୋଲା ବଜାରରୁ ଏହି ମିଟର କିଣିବାକୁ ସୁଯୋଗ ମିଳୁନାହିଁ । କମ୍ପାନୀ କର୍ତ୍ତୃପକ୍ଷ ନିଜେ ଏହାକୁ ଲଗାଇବେବୋଲି କହୁଛନ୍ତି । ଫଳରେ ଗ୍ରାହକମାନେ ନାଚାର ହୋଇ କମ୍ପାନୀ ପ୍ରଦତ୍ତ ମିଟର ଲଗାଇବାକୁ ବାଧ୍ୟ ହେଉଛନ୍ତି ।
ଗୋଟିଏ ସିଙ୍ଗିଲ ଫେଜ୍ ଡିଜିଟାଲ ମିଟର ଲଗାଇବାପରେ ମାସକୁ ଏହା ଉପରେ ଟାଟା ପାୱାର ୬୦ ଟଙ୍କା କରି ଆଦାୟ କରୁଛି । ଗ୍ରାହକମାନେ ଛଅ ବର୍ଷ ପାଇଁ ଏହି ଅର୍ଥ ପ୍ରଦାନ କରିବେ । ତେବେ ଖୋଲା ବଜାରରେ ମିଟର ଦର କ’ଣ ରହିଛି ଓ କେଉଁ କେଉଁ କମ୍ପାନୀ ଏହାକୁ ବିକ୍ରି କରୁଛନ୍ତି ତାହା ଲୋକେ ଜାଣିପାରୁ ନାହାନ୍ତି ।
ନିୟମ ଅନୁଯାୟୀ ଗ୍ରାହକମାନେ ଖୋଲା ବଜାରରୁ ମିଟର କିଣିବେ ଓ ଯଦି ମିଟର ଠିକ୍ ରହିଥାଏ ତାହାକୁ ଗ୍ରାହକମାନେ ଲଗାଇପାରିବେ । ଏହି ମିଟର ଲଗାଇଲା ପରେ ଗ୍ରାହକମାନଙ୍କୁ ଆଉ ମାସକୁ ମାସ ଭଡା ଗଣିବାକୁ ପଡିବ ନାହିଁ । କିନ୍ତୁ ଯେହେତୁ କମ୍ପାନୀ କର୍ତ୍ତୃପକ୍ଷ ମିଟର ଲଗାଉଛନ୍ତି ତେଣୁ ଗ୍ରାହକମାନେ ବାଧ୍ୟହୋଇ ମାସକୁ ମାସ ମିଟର ଭଡା ଗଣୁଛନ୍ତି । ସେହିଭଳି କମ୍ପାନୀକୁ ମିଟର ବାବଦରେ ଏକକାଳୀନ ଅର୍ଥଦେବାକୁ କହିଲେ ମଧ୍ୟ କମ୍ପାନୀ ସେଥିରେ ରାଜି ହେଉନାହିଁ । ମାସକୁ ମାସ ଅର୍ଥ ବଦଳରେ ଏକକାଳୀନ ଅର୍ଥ ନେବାକୁ ଟାଟା ପାୱାର କାହିଁକି ପଛଘୁଞ୍ଚା ଦେଉଛି ତାହା ବି ଗ୍ରାହକମାନେ ଜାଣିପାରୁ ନାହାନ୍ତି ।
ଅନ୍ୟ ପକ୍ଷରେ ଯେଉଁମାନେ ପୁରୁଣା ମିଟର ବାବଦରେ ସମ୍ପୂର୍ଣ୍ଣ ଅର୍ଥ ପରିଶୋଧ କରିଛନ୍ତି ଓ ସେମାନଙ୍କର ପୁରୁଣା ମିଟର ସଚଳ ରହୁଛି ତାହାକୁ ପରିବର୍ତ୍ତନ ସମୟରେ ମଧ୍ୟ ବିତରଣ କମ୍ପାନୀ କୌଣସି ପ୍ରକାର ରିହାତି ପ୍ରଦାନ କରୁନାହିଁ । ଫଳରେ ବିଦ୍ୟୁତ୍ ଗ୍ରାହକମାନେ ବର୍ଷ ବର୍ଷ ଧରି ଗୋଟିଏ ପରେ ଗୋଟିଏ ମିଟର ବାବଦରେ ଅର୍ଥ ଗଣି ଚାଲୁଛନ୍ତି ।
ନିକଟରେ ଗ୍ରାହକମାନେ ନିଜେ ବିଦ୍ୟୁତ୍ ମିଟର କିଣିପାରିବେ ବୋଲି ଶକ୍ତି ବିଭାଗ ପକ୍ଷରୁ ବିଧାନସଭାରେ ସ୍ପଷ୍ଟ କରାଯାଇଛି । ତେଣୁ ଗ୍ରାହକମାନେ ଖୋଲା ବଜାରରୁ ମିଟିର କିଣିବାପାଇଁ ଉଭୟ ସରକାର ଓ ବିତରଣ କମ୍ପାନୀ ଉପରେ ଚାପ ପକାଇବା ଆବଶ୍ୟକ ବୋଲି ବିଜୁଳି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)

