ଭୁବନେଶ୍ୱର : ରାଜ୍ୟରେ ଥିବା ସରକାରୀ ଉଦ୍ୟୋଗଗୁଡିକ ମଧ୍ୟରୁ ୬ଟି ଉଦ୍ୟୋଗ କ୍ଷତିରେ ଚାଲୁଛି । ଏହି କ୍ଷତି ତାଲିକାରେ ଗ୍ରିଡ୍କୋ ଠାରୁ ଆରମ୍ଭ କରି ଓଡିଶା ରାଜ୍ୟ ସଡକ ପରିବହନ ଭଳି ନିଗମ ରହିଛନ୍ତି ।
ରାଜ୍ୟର ସରକାରୀ ଉଦ୍ୟୋଗ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସରକାରୀ ଉଦ୍ୟୋଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶାରେ ୨୦୨୩ ମସିହା ସୁଦ୍ଧା ୩୫ ଟି ସରକାରୀ ଉଦ୍ୟୋଗ କାର୍ଯ୍ୟ କରୁଥିଲା । ସେଥି ମଧ୍ୟରୁ ୪ଟି ଉଦ୍ୟୋଗ ଓଡିଶା ଖଣି ନିଗମ ସହିତ ମିଶିଯିବା ପରେ ମୋଟ୍ ସରକାରୀ ଉଦ୍ୟୋଗ ସଂଖ୍ୟା ୩୧ରେ ପହଞ୍ଚିଲା । ଇତି ମଧ୍ୟରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ନାମରେ ଗୋଟିଏ ଉଦ୍ୟୋଗ ପ୍ରତିଷ୍ଠା ହେବାକୁ ମୋଟ୍ ସରକାରୀ ଉଦ୍ୟୋଗ ସଂଖ୍ୟା ୩୨ରେ ପହଞ୍ଚିଛି । ତେବେ ଏଥି ଏହି ସମୟ ମଧ୍ୟରେ କୌଣସି ସରକାରୀ ଉଦ୍ୟୋଗ ବନ୍ଦ ହୋଇନାହିଁ ।
ମନ୍ତ୍ରୀ ରଖିଥିବା ଉତ୍ତର ଅନୁଯାୟୀ ଶିଳ୍ପ ବିଭାଗ ଅଧିନରେ ୪ଟି ସରକାରୀ ଉଦ୍ୟୋଗ ଥିବାବେଳେ ଶକ୍ତି ବିଭାଗ ଅଧିନରେ ୭ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ୪ଟି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଅଧିନରେ ୨ଟି, ଜଳସମ୍ପଦ ବିଭାଗ ଅଧିନରେ ୨ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ୨ଟି, ଅବକାରୀ, ପୂର୍ତ୍ତ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସ୍ୱରାଷ୍ଟ୍ର, ପର୍ଯ୍ୟଟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଇସ୍ପାତ ଓ ଖଣି, ସମବାୟ, ମତ୍ସ୍ୟ ଓ ପାଣୀସମ୍ପଦ ବିକାଶ, ବାଣିଜ୍ୟ ଓ ପରିବହନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଗୋଟିଏ କରି ସରକାରୀ ଉଦ୍ୟୋଗ ରହିଛି ।
ଏହିସବୁ ସରକାରୀ ଉଦ୍ୟୋଗ ମଧ୍ୟରୁ ୬ଟି ନିଗମ ଯଥା ଗ୍ରିଡ୍କୋ, କଳିଙ୍ଗ ଷ୍ଟୁଡିଓ, ଓଆରଏଚଡିସି, ମତ୍ସ୍ୟ ଉନ୍ନୟନ ନିଗମ, ସଡକ ପରିବହନ ନିଗମ ଓ ରାଜ୍ୟ ଅର୍ଥ ନିଗମ କ୍ଷତିରେ ଚାଲୁଛି । ଏହାଛଡା ଆଉ ୨ଟି ନିଗମ ଯଥା ଓଡିଶା ରାଜ୍ୟ ଯୋଗାଣ ନିଗମ ଲିମିଟେଡ ଓ ୱାଟ୍କୋ ବିନା ଲାଭ ଓ ବିନା କ୍ଷତିରେ ଚାଲୁଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ କ୍ଷତିରେ ଚାଲୁଥିବା ଉଦ୍ୟୋଗଗୁଡିକୁ ଲାଭଜନକ କରିବାପାଇଁ ଉଦ୍ୟୋଗରେ କର୍ମଚାରୀ ହ୍ରାସ ଯୋଜନା କାର୍ଯ୍ୟକାରୀ କରାଯାଉଛି । ଏହାଦ୍ୱାରା ନିଗମର ପ୍ରତିଷ୍ଠାନ ଖର୍ଚ୍ଚ ହ୍ରାସ ପାଇବ । ସେଥିପାଇଁ ସ୍ୱେଚ୍ଛାକୃତ ଅବସର ଯୋଜନା କାର୍ଯ୍ୟକାରୀ କରାଯାଉଛି । ସେହିଭଳି କର୍ପୋରେଟ ଗଭର୍ଣ୍ଣାନ୍ସ ମାନୁଆଲ ଅନୁଯାୟୀ କାର୍ଯ୍ୟାନ୍ୱୟନ କରିବା, ଉଦ୍ୟୋଗୁଡିକରେ ସ୍ୱାଧୀନ ନିର୍ଦ୍ଦେଶକ ମାନଙ୍କୁ ନିଯୁକ୍ତି ଦେବା, ସରକାରୀ ଉଦ୍ୟୋଗ ଚୟନ କମିଟି ଜରିଆରେ ଶୀର୍ଷସ୍ତରୀୟ ନିର୍ଦ୍ଦେଶକ ପଦବୀ ପୂରଣ କରିବା,ପ୍ରଶାସନିକ ବିଭାଗ ସହିତ ପ୍ରତିବର୍ଷ ରାଜିନାମା ସ୍ୱାକ୍ଷର କରିବା, ଅର୍ଥ ନିଗମର ବକେୟା ଋଣ ଆଦାୟକୁ ଗୁରୁତ୍ୱ ଦେବା ସହିତ ଆବଶ୍ୟକ ସ୍ଥଳେ ନିଗମମାନଙ୍କର ଆର୍ଥିକ ଏବଂ ମାନବ ସମ୍ବଳର ପୁନର୍ବିନ୍ୟାସ କରାଇବା ଉପରେ ସରକାର ଗୁରୁତ୍ୱାରୋପ କରୁଛନ୍ତି । (ତଥ୍ୟ)

